ପରପାରିରେ ପାରଳା ମହାରାଜା । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଦେହାନ୍ତ, ସାରା ରାଜ୍ୟରେ ଶୋକର ଛାୟା

520

କନକ ବ୍ୟୁରୋ: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଦେହାନ୍ତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୬ ବର୍ଷରେ ଆଖି ବୁଜିଲେ ପାରଳା ମହାରାଜା । ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ପାରଳା ମହାରାଜା ଗୋପୀନାଥ ଗଜପତି । ଗତ ୨୦୧୬ରୁ ପାରାଳା ମହାରାଜାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ବିଗିଡ଼ିବାରେ ଲାଗିଥିଲା । ତେଣୁ ତାଙ୍କ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ପ୍ରଥମେ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା କିନ୍ତୁ ପୁଣି ଥରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ୨୦୧୭ ଜାନୁଆରୀରେ ଭୁବନେଶ୍ୱର ଆପୋଲୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ତେବେ ଦୀର୍ଘଦିନ ଧରି ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନଆସିବାରୁ ଆଜି ସକାଳେ ଗୋପୀନାଥ ଗଜପତିଙ୍କର ଦେହାନ୍ତ ହୋଇଛି । ପାରାଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବ ରାଜନୀତି କ୍ଷେତ୍ରରେ ମଧ୍ୟ ବେଶ୍ ପରିଚିତ ଥିଲେ । ନବମ ଏବଂ ଦଶମ ଲୋକସଭା ନିର୍ବାଚନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରକୁ ପ୍ରତିନିଧିତ୍ୱ କରିଥିଲେ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ଦୁଇ ଦୁଇ ଥର ୧୯୮୯ରୁ ୧୯୯୬ ପର୍ଯ୍ୟନ୍ତ କଂଗ୍ରେସ ଲୋକସଭା ସାଂସଦ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ତେବେ ପାରଳା ମହାରାଜଙ୍କ ଦେହାନ୍ତ ଖବର ଶୁଣି ରାଜନୀତିଠୁ ଆରମ୍ଭ କରି ସାମାଜିକ କ୍ଷେତ୍ରରେ ଜଡ଼ିତ ଥିବା ସମସ୍ତଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।