ନିଆଁ ଲାଗି ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ଘଟଣା । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ସାଇଂଟିଫିକ୍ ଟିମ ସହ ତଦନ୍ତ ଆରମ୍ଭ କଲା ପୁଲିସ

238

କନକ ବ୍ୟୁରୋ: ପାରଳାଖେମୁଣ୍ଡି ସରକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ । ଏହା ଏକ ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁ ନା ହତ୍ୟା ତାକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । ସୌମ୍ୟରଞ୍ଜନଙ୍କ ପରିବାରର ଅଭିଯୋଗ ପରେ ଡିଏଫଓ, ରୋଷେୟା ଓ ତାଙ୍କ ପତ୍ନୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ ବା ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କର କେମିତି ହେଲା ମୃତ୍ୟୁ । ଏହାର କାରଣ ଖୋଜୁଛି ପାରଳଖେମୁଣ୍ଡି ପୋଲିସ । ସରକାରୀ ବାସଭବନରେ ସବୁକିଛି ଘଟିଥିବାରୁ ସେଦିନ ସେଠାରେ କଣ ହୋଇଥିଲା? କେମିତି ନିଆଁ ଲାଗିଲା? ସେସବୁର ପ୍ରମାଣ ସଂଗ୍ରହ ପାଇଁ ମାଜିଷ୍ଟ୍ରେଟ୍ ଓ ପରିବାର ଲୋକଙ୍କ ଉପସ୍ଥିତିରେ ତାଲାଭାଙ୍ଗି ଘରକୁ ଖୋଲିଛି ପୋଲିସ । ସାଇଂଟିଫିକ୍ ଟିମ୍ ଓ ଅନୁସନ୍ଧାନୀ କୁକୁର ସହାୟତାରେ ଆଗକୁ ବଢ଼ାଇଛି ଅନୁସନ୍ଧାନ । ଘର ଭିତରେ ତନତନ କରି ଯାଂଚ କରିଛନ୍ତି ଉଭୟ ସାଇଂଟିଫିକ୍ ଟିମ୍ ଓ ଅନୁସନ୍ଧାନୀ କୁକୁର ।

ନିଜ ସରକାରୀ ବାସଭବନରେ ଅଦରକାରୀ କାଗଜପତ୍ର , ଫାଇଲ ଏକାଠି କରି ନିଆଁ ଲଗାଉଥିବାବେଳେ ଅଗ୍ନିକାଣ୍ଡ ଘଟି ସୌମ୍ୟରଞ୍ଜନ ଜଳି ଯାଇଥିଲେ ବୋଲି ପ୍ରଥମରୁ କୁହାଯାଉଥିଲା । ତେବେ କେମିତି ନିଆଁ ଲାଗିଲା ସେନେଇ କୌଣସି ସଠିକ୍ ଉତର କେହି ଦେଇପାରୁନଥିବାରୁ ବଢ଼ୁଛି ସନ୍ଦେହ ।

ଅନ୍ୟପଟେ ମୃତ ସୌମ୍ୟରଞ୍ଜନଙ୍କ ପରିବାର ଲୋକ ଆସି ପାରଳଖେମୁଣ୍ଡିରେ ପହଁଚିଛନ୍ତି । ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସୌମ୍ୟଙ୍କ ମୃତ୍ୟୁ ମାମଲା ଯେତିକି ରହସ୍ୟ ମୟ ଓ ଜଟିଳ ହେଉଛି, ପୋଲିସ ଘଟଣାକୁ ସେତିକି ଗୁରୁତ୍ୱର ସହ ନେଉଛି । ମୃତଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା , ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଡିଏଫଓଙ୍କ ସମେତ ତିନି ଜଣଙ୍କ ବିରୋଧରେ ଆଇପିସି ଧାରାର ଦଫା ୩୦୨ ଅର୍ଥାତ ହତ୍ୟା, ଦଫା ୧୨୦- ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର) ମାମଲା ରୁଜୁ ହୋଇଛି । ହତ୍ୟା ମାମଲା ରୁଜୁ କରିବା ପରେ ପ୍ରଥମେ ଡିଏଫଓ କଲୋନୀରେ ପହଁଚି ପାଖ ପଡୋଶୀଙ୍କୁ ପୋଲିସ ପଚରାଉଚରା ଉଚରା କରିଛି । ଏବଂ ରୋଷେୟାକୁ ତଦନ୍ତ ପରିଧିକୁ ଆଣିଛି ପୋଲିସ । ସେପଟେ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ଆସୁଛନ୍ତି ଡିଏଫଓ ଓ ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ । ହେଲେ ପ୍ରଶ୍ନ ଉଠୁଛି, ପ୍ରକୃତରେ କେମିତି ଲାଗିଲା ନିଆଁ? କିଏ କହୁଛି ସତ? ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ନା ସୌମ୍ୟଙ୍କ ପରିବାର ଲୋକ?