କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇଛି । ପ୍ରାୟ ୩ଘଣ୍ଟା ଧରି ଭୁବନେଶ୍ୱରରେ ମିଛଧରା ପରୀକ୍ଷା କରାଯାଇଛି । ଘଟଣା ଦିନ କ’ଣ ଘଟିଥିଲା ଏହା କହିବା ବେଳେ କାନ୍ଦି ପକାଇଥିଲେ ବିଦ୍ୟାଭାରତୀ । ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ତଦନ୍ତ ପରିସରଭୁକ୍ତ କରିଛି କ୍ରାଇମବ୍ରାଂଚ ।

Advertisment

ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇଦେଇଥିବା ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ  ଲାଏ-ଡିେଟେକ୍ସନ ଟେଷ୍ଟ ଅର୍ଥାତ ମିଛ ଧରା ପରୀକ୍ଷା । ଏଥିରେ ପରୀକ୍ଷା କରାଯାଉଛି ବିଦ୍ୟାଭାରତୀ  ସତ କହୁଛନ୍ତି ନା ମିଛ କହୁଛନ୍ତି । ପ୍ରଥମେ ଡିଏଫଓ, ତା ପରେ ରୋଷେୟା ଆଉ ଏବେ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ହୋଇଛି ଲାଏ ଡିଟେକ୍ସନ ଟେଷ୍ଟ ।

ଘଟଣା ଦିନ କଣ ଘଟିଥିଲା, ସେନେଇ ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ ହୋଇଥିବା ତାଙ୍କ ବୟାନ ସତ ନା ମିଛ ଜାଣିବାକୁ ପ୍ରୟାସ ଚଳାଇଛି କ୍ରାଇମବ୍ରାଞ୍ଚ ।  ତଦନ୍ତକାରୀ ଅଧିକାରୀ, ଲାଏ ଡିଟେକ୍ସନ ଟେଷ୍ଟ ଏକ୍ସପର୍ଟଙ୍କ ଉପସ୍ଥିତିରେ ବିଦ୍ୟାଭାରତୀଙ୍କୁ ୧୦୦ରୁ ଅଧିକ ପ୍ରଶ୍ନ ପଚାରିଥିଲେ ଅଧିକାରୀ ।

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ସମୟରେ ଘରେ କେବଳ ପତ୍ନୀ ବିଦ୍ୟା ଭାରତୀ ହିଁ ଉପସ୍ଥିତ ଥିଲେ । ତେଣୁ ବିଦ୍ୟାଙ୍କ ବୟାନ ଅନେକ ଗୁରୁତ୍ୱ ରଖୁଛି । ସେପଟେ ସୌମ୍ୟଙ୍କ ବାପା, ମାଆ ବିଦ୍ୟାଭାରତୀଙ୍କ ଉପରେ ସନ୍ଦେହ ଉଠାଇଛନ୍ତି । ଅଧିକାରୀଙ୍କ ପ୍ରଶ୍ନ ମାଡ ଭିତରେ କାନ୍ଦି ପକାଇଥିଲେ ବିଦ୍ୟାଭାରତୀ । ୩ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ଏହି ମିଛ ଧରା ପରୀକ୍ଷା ।