ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ରଙ୍କ ମୃତଦେହ ବେଗୁନିଆରେ ପହଂଚିବା ପରେ ଶୋକାକୁଳ ପରିବେଶ : ଦୁର୍ଘଟଣା ଜନିତ ମୃତ୍ୟୁ ନେଇ ସନ୍ଦେହ ପ୍ରକାଶ କଲେ ପରିବାର

216

କନକ ବ୍ୟୁରୋ : ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତଦେହ ତାଙ୍କ ଗାଁରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତକାଲି ତାଙ୍କ ମୃତଦେହ ବାଲେଶ୍ୱର ଜିଲ୍ଲା ଖଇରା ଥାନା ବେଗୁନିଆ ଗାଁରେ ପହଂଚିଥିଲା । ତେବେ ଦୁର୍ଘଟଣାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକ ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ନିଯୁକ୍ତ ଥିବା ସୌମ୍ୟରଞ୍ଜନ, କିଛି କାଗଜପତ୍ର ପୋଡୁଥିବାବେଳେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବାରୁ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରଥମେ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର ଅଣାଯାଇଥିବାବେଳେ ଶେଷରେ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାୟ ବର୍ଷେ ତଳେ ସୌମ୍ୟରଞ୍ଜନଙ୍କ ବିବାହ ହୋଇଥିଲା ।

ତାଙ୍କ ଅଶ୍ୱାଭାବିକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବାପା ଅଭିରାମ ମହାପାତ୍ର । ତାଙ୍କ କହିବା ହେଲା ପୁଅ ପୋଡି ଯାଇଥିବା ଖବର ପାଇ ସେ ବୋହୂଙ୍କୁ ଫୋନ କରିଥିଲେ । ହେଲେ କେମିତି ନିଆଁ ଲାଗିଲା ସେ ଜାଣିନଥିବା କହିଥିଲେ । ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଅଭିରାମ । ଏପରିକି ପତ୍ନୀଙ୍କ ସହ ସୌମ୍ୟରଞ୍ଜନଙ୍କର ମତାନ୍ତର ରହିଥିବା ଅଭିଯୋଗ କରିଛନ୍ତି । ତେଣୁ ପୁଅର ମୃତ୍ୟୁ ପାଇଁ ସେ ବୋହୂଙ୍କୁ ଦାୟୀ କରିବା ସହ ବିଭାଗୀୟ ଅବହେଳାକୁ ମଧ୍ୟ ଦୋଷ ଦେଇଛନ୍ତି ।