କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ଘଟଣାର ତନାଘନା ଆରମ୍ଭ କରିଛି ପୁଲିସ । ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ସରକାରୀ ବାସଗୃହକୁ ରାତିରେ ଯାଇ ପୁଲିସ ଖୋଳତାଡ କରିଛି । ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ସମେତ ତଦନ୍ତକାରୀ ଦଳ ସୌମ୍ୟଙ୍କ ସରକାରୀ ବାସଭବନରେ ସରଜମିନ ତଦନ୍ତ କରିଛନ୍ତି ।

Advertisment

ଘଟଣାଦିନ ସୌମ୍ୟ ଜଳିଯିବା ପରେ କେମିତି ପଡିଥିଲେ, ତାଙ୍କୁ ଦେଖିବା ପୂର୍ବରୁ କିଏ କେଉଁଠି ଥିଲେ । ଗୁରୁତର ସୌମ୍ୟଙ୍କୁ କିପରି ହସ୍ପିଟାଲ ନେଲେ । ପ୍ରତ୍ୟକ୍ଷଦର୍ଶୀଙ୍କୁ ସାଙ୍ଗରେ ନେଇ ଡେମୋ କରାଇଛନ୍ତି ଗଜପତି ଏସପି । ଏଥିସହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗଜପତି ଏସପି କହିଛନ୍ତି, ସୌମ୍ୟଙ୍କ ପରିବାର ଏକ ସ୍ପର୍ଶକାତର ଅଭିଯୋଗ ଆଣିଛନ୍ତି । ଏହାକୁ ଠିକ୍ ଭାବେ ତଦନ୍ତ କରିବାର ନୈତିକ ଦାୟିତ୍ୱ ପୁଲିସର ଅଛି ।

ସୌମ୍ୟଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଥିବା ବେଳେ ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲାଗିଥିବା ସିସିଟିଭି କ୍ୟାମେରା ଅନେକ ଦିନ ହେଲା ଅଚଳ ହୋଇ ପଡ଼ିଛି । କ୍ବାର୍ଟର୍ସ ବାହାରେ ଥିବା ଖୁଣ୍ଟରେ ବିଜୁଳିବତୀ ମଧ୍ୟ ଅନେକ ଦିନ ହେଲା ଜଳୁନାହିଁ । ‌ତେଣୁ ସୌମ୍ୟଙ୍କ ମୃତ୍ୟୁ ପୂର୍ବର ଘଟଣାବଳୀ ଓ ପୁଲିସ ସ୍କାନର୍‌ରେ ଥିବା ଚରିତ୍ରଙ୍କ ଗତିବିଧି ବିଷୟରେ ତଥ୍ୟ ସଂଗ୍ରହ ମୁସ୍କିଲ୍‌ ହୋଇଛି । ତଦନ୍ତରୁ ସେମିତି କିଛି ଠୋସ୍‌ ପ୍ରମାଣ ମିଳି ପାରୁନାହିଁ । ଅନ୍ୟ ପକ୍ଷରେ ଏସିଏଫ୍‌ ସୌମ୍ୟରଞ୍ଜନ ବାହାଘର ପରଠାରୁ ଅଧିକାଂଶ ସମୟ ମାନସିକ ଚାପରେ ରହୁଥିଲେ, ଏ କଥା ତ‌ାଙ୍କ ସହ କାମ କରିଥିବା ବନ ବିଭାଗର ତଳିଆ କର୍ମଚାରୀ ପ୍ରକାଶ କରିଛନ୍ତି । କ୍ଷେତ୍ର ପରିଦର୍ଶନରେ ଏସିଏଫ୍ ଆସିଲେ ପାରଳାଖେମୁଣ୍ତି ଫେରିବାକୁ ଚାହୁଁ ନଥିଲେ ବୋଲି ଅନେକ ତଳିଆ କ୍ଷେତ୍ର କର୍ମଚାରୀ ପ୍ରକାଶ କରିଛନ୍ତି ।

ପାରିବାରିକ ଅଶାନ୍ତି ଯୋଗୁଁ ସେ ଅଧିକ ସମୟ କାର୍ଯ୍ୟାଳୟରେ ବିତାଉଥିଲେ । ସେ ବହୁ ସମୟରେ ଫୋନ୍‌ରେ କଥା ହେବା ସହ ଅନ୍ୟମନସ୍କ ରହୁଥିଲେ । ପାରିବାରିକ କଳହ କିମ୍ବା ଉଚ୍ଚ ପଦାଧିକାରୀଙ୍କ ଚାପ ଯୋଗୁଁ ସେ ମାନସିକ ଚାପରେ ରହୁଥିଲେ ବୋଲି କୁହାଯାଉଥିବା ବେଳେ ଏବେ ସୌମ୍ୟଙ୍କ ବାପା ଦେଇଥିବା ଏତଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ପତ୍ନୀ ଓ ରୋଷେୟାଙ୍କ ନାମ ଦର୍ଶାଯାଇଥିବାରୁ ସେମାନଙ୍କୁ ଜେରା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି ।