ମୃତ୍ୟୁପୂର୍ବରୁ ପୁଲିସକୁ କଣ କହିଥିଲେ ଗଜପତି ଏସିଏଫ ସୌମ୍ୟରଞ୍ଜନ ? ଜମାନବନ୍ଦୀର ଆସିଲା ପୂରା ତଥ୍ୟ, ପତ୍ନୀଙ୍କ ସହ ବିବାଦକୁ ନେଇ ଲେଖିଥିଲେ ଚିଠି । 

9,774

କନକ ବ୍ୟୁରୋ : ଯେତିକି ଦିନ ଗଡୁଛି, ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାରେ ରହସ୍ୟ ସେତେ ବଢୁଛି । ଏହାରି ଭିତରେ ସାମ୍ନାକୁ ଆସିଛି ଏସିଏଫ ସୌମ୍ୟରଂଜନ ଦେଇଥିବା ମୃତ୍ୟୁପୂର୍ବର ଜମାନବନ୍ଦୀ । ସେଥିରେ ସେ କହିଛନ୍ତି ଅସାବଧାନତାରୁ କିରାସିନ ଢାଳି ହୋଇ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ହେଲେ ମୃତ୍ୟୁ ପୂର୍ବର ଏହି ବୟାନ ଉପରେ ପୁଲିସ ସନ୍ଦେହ କରୁଛି । କାରଣ ଗଜପତି ପୁଲିସ ସୌମ୍ୟରଞ୍ଜନଙ୍କ ଏକ ହାତ ଲେଖା ନୋଟ୍ ପାଇଛି, ଯେଉଁଥିରେ ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କର ଗୁମର କଥା ଥିବା ଚର୍ଚ୍ଚା ହେଉଛି ।

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ବାହାରକୁ ଯେତେ ସହଜ ଦେଖା ଯାଉଛି ତାହା ସେତେ ସହଜ ନୁହେଁ । ବରଂ ପୁରା ଘଟଣାରେ ଭରି ରହିଛି ଅନେକ ରହସ୍ୟ ଏବଂ ଏକାଧିକ ରହସ୍ୟମୟ ଚରିତ୍ର । ମୃତ୍ୟୁ ପୂର୍ବରୁ ସୌମ୍ୟରଂଜନ ରଖିଥିବା ବୟାନ, ସେଦିନ ଘଟିଥିବା ଘଟଣାର ଏକ ବିସ୍ତୁତ ବିବରଣୀ  ଛାଡ଼ି ଯାଇଛି । କେମିତି ନିଆଁ ଲାଗିଥିଲା? କ’ଣ ଥିଲା ପାରିପାଶ୍ୱିକ ସ୍ଥିତି? ମୃତ୍ୟୁକାଳୀନ ଜମାନବନ୍ଦୀରେ ସୌମ୍ୟରଂଜନ ଏଭଳି କିଛି ତଥ୍ୟ ରଖିଥିଲେ, ଯାହା କନକ ନ୍ୟୁଜର ହସ୍ତଗତ ହୋଇଛି ।

ମୃତ୍ୟୁ ପୂର୍ବରୁ ହୋଇଥିବା ଭିଡିଓ ଗ୍ରାଫିରେ ସୌମ୍ୟରଂଜନ ମହାପାତ୍ର କହିଥିଲେ, ସେଦିନ ସେ ବହି ପଢ଼ୁଥିଲେ । ବହିଟି ରଖି, ଆଉ ଏକ ବହି ଆଣିବା ପାଇଁ ଯିବା ସମୟରେ ଅଚାନକ୍ ତାଙ୍କ ଗୋଡ଼ କିରୋସିନ୍ ବୋତଲରେ ବାଜିଥିଲା । ଆଉ କିରୋସିନ ଢ଼ାଳି ହୋଇଯିବା ପରେ ନିଆଁ ଲାଗି ଯାଇଥିଲା । ଆଉ ଚାହୁଁ ଚାହୁଁ ତାଙ୍କ ଦେହସାରା ନିଆଁ ଲାଗିଯାଇଥିଲା ।

କିନ୍ତୁ କିରୋସିନ୍ କେମିତି ଢ଼ାଳି ହୋଇଗଲା ଏବଂ ନିଆଁ କେମିତି ଲାଗିଲା, ସେ ବିଷୟରେ ପୁଲିସ୍ ବୁଝି ପାରିଲା ନାହିଁ । ଏହା ଛଡ଼ା ସେହି ରୁମରେ ବହି ମଧ୍ୟ ପାଇନଥିଲା ପୁଲିସ୍ । କିନ୍ତୁ କାହିଁକି ବା ମିଛ କହିବେ ସୌମ୍ୟରଂଜନ । ହେଲେ ପୁଲିସର ସନ୍ଦେହ ହେଉଛି, ସୌମ୍ୟରଂଜନ ବଂଚିଯିବେ ବୋଲି ଆଶା ରଖିଥିଲେ ଏବଂ ଘର କଥା ହୁଏତ ପଦାକୁ ଆଣିବାକୁ ଚାହୁଁନଥିଲେ ।

ଏହାରି ଭିତରେ ସୌମ୍ୟରଂଜନଙ୍କ ଘରୁ ପୁଲିସ୍ ଜବତ କରିଥିବା ହାତ ଲେଖା ଚିଠି, ପୁରା କାହାଣୀର ମୋଡ଼ ବଦଳାଇ ଦେଇଛି । ବିଶ୍ୱସ୍ତସୂତ୍ରରୁ ମିଳିବା ସୂଚନା ଅନୁସାରେ ସେ ନୋଟ୍ରେ ଏମିତି କିଛି ଲେଖା ରହିଛି, ଯାହା ସ୍ପଷ୍ଟ ବୟାନ କରୁଛି ଯେ, ସୌମ୍ୟରଂଜନ ଏବଂ ତାଙ୍କ ସ୍ତ୍ରୀଙ୍କ ଭିତରେ ସବୁକିଛି ଠିକଠାକ୍ ନଥିଲା ।

ଏଥିରେ ଲେଖାଥିବା ତଥ୍ୟ ଅନୁସାରେ, ବିଦ୍ୟାଭାରତୀ, ସୌମ୍ୟରଂଜନଙ୍କୁ ବାହା ହେବାକୁ ଚାହୁଁନଥିଲେ । କାରଣ ସେ ପାଠ ପଢ଼ିବାକୁ ଚାହୁଁଥିବା ସେତେବେଳେ କହିଥିଲେ । ଆଉ ବିଦ୍ୟାଭାରତୀ ଚାହୁଁଥିଲେ, ସୌମ୍ୟରଂଜନ ଯାଇ ଏକଥା ନିଜ ବାପାଙ୍କୁ କୁହନ୍ତୁ ଏବଂ ବାହାଘର ପାଇଁ ମନା କରନ୍ତୁ । ହେଲେ, ସେଭଳି କିଛି ହୋଇନଥିଲା । ଆଉ ଏହାରି ଭିତରେ ଦୁଇ ଜଣଙ୍କ ବାହା ଘର ହୋଇଯାଇଥିଲା । ଏମିତି କି ତାଙ୍କ ପତ୍ନୀଙ୍କ ଚରିତ୍ରକୁ ନେଇ ମଧ୍ୟ ସନ୍ଦେହ କରୁଥିଲେ ସୌମ୍ୟରଂଜନ । ଯେଉଁ କଥା ସେ ନିଜ ମା’ ଓ ମାଇଁଙ୍କୁ କହିଥିଲେ ।

ହେଲେ ବିବାହର କିଛି ମାସ ପରେ ଏଭଳି ଏକ ଘଟଣା ଘଟିଗଲା, ଯେଉଁଥିରେ ସବୁ ଦିନ ପାଇଁ ଆଖିବୁଜି ଦେଲେ ସୌମ୍ୟରଂଜନ ମହାପାତ୍ର । ଏବେ ହତ୍ୟା ଅଭିଯୋଗ ନେଇ ତଦନ୍ତ ଚଳାଇଛି ପୁଲିସ୍ । ବାଲେଶ୍ୱର ଏବଂ କପ୍ତିପଦା ଯାଇ ଉଭୟ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ ପୁଲିସ୍ ।