ତଦନ୍ତକାରୀ ଟିମ୍ ଉପରେ ପ୍ରଶ୍ନ ଉଠାଇଲେ ସୌମ୍ୟଙ୍କ ପରିବାରର ଓକିଲ : ବିରିୟାନୀ ଖାଇ ବିଦ୍ୟାଭାରତୀଙ୍କୁ ଜେରା କରିଛି ତଦନ୍ତ ଟିମ୍

499

କନକ ବ୍ୟୁରୋ : ସୌମ୍ୟଙ୍କ ପତ୍ନୀଙ୍କୁ ପୋଲିସ ଜେରା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ତାଙ୍କ ପରିବାର । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଓକିଲ କହିଛନ୍ତି, ଅଭିଯୁକ୍ତଙ୍କ ଘରେ ବିରିୟାନୀ ଖାଇ ତାଙ୍କ ବାପା, ମାଆଙ୍କ ଉପସ୍ଥିତିରେ ବନ୍ଦ ଘରେ ଜେରା କରିଛି ପୋଲିସ । ପାରିପାର୍ଶ୍ବିକ ପ୍ରମାଣ ଏବଂ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନରେ ତାଳମେଳ ରହୁନଥିବାରୁ ତାଙ୍କୁ ପୋଲିସ ଗିରଫ କରିବା କଥା ବୋଲି କହିଛନ୍ତି ସୌମ୍ୟଙ୍କ ପରିବାରର ଓକିଲ ପାର୍ଥସାରଥୀ ନାୟକ ।

ସେପଟେ ଆଜି କ୍ରାଇମସିନ୍ ବୁଲି ଦେଖିବ କ୍ରାଇମବ୍ରାଂଚ । ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ସରକାରୀ କ୍ୱାର୍ଟରକୁ ମଧ୍ୟ ଯିବ କ୍ରାଇମବ୍ରାଂଚ ଟିମ୍ । ଯେଉଁ ସ୍ଥାନରେ ପୋଡିହୋଇ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା, ସେହିଠାରେ ପୋଲିସ ଉପସ୍ଥିତିରେ କ୍ରାଇମ ସିନ କରାଯିବ । ଏହା ଛଡା ଡିଏଫଓ ଏବଂ ଗୁରାଣ୍ଡି ଥାନାର ମହିଳା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରାଯିବ । ଉଭୟ ଡିଏଫଓ ଏବଂ ମମତା ପଣ୍ଡାଙ୍କ ଭୂମିକାକୁ ନେଇ ସୌମ୍ୟଙ୍କ ପରିବାର ସନ୍ଦେହ ପ୍ରକାଶ କରିଥିବାରୁ ପୋଲିସ ଓ କ୍ରାଇମବ୍ରାଂଚ ମିଳିତ ଭାବେ ପଚରା ଉଚୁରା କରିବେ ବୋଲି ଜଣାପଡିଛି ।

ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ଡିଏଫଓଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ । ସେହିପରି ଘଟଣାଦିନ ଗୁରୁତର ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଅଟକାଇବାରେ ମମତା ପଣ୍ଡାଙ୍କ ଭୂମିକା ରହିଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା ।