ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା । ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

227

କନକ ବ୍ୟୁରୋ : ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜବୀ ପଣ୍ଡା । ସେ କହିଛନ୍ତି, ସ୍ୱତନ୍ତ୍ର ମହିଳା ଅଧିକାରୀ ମାମଲା ନେଇ ବିଦ୍ୟାଭାରତୀଙ୍କୁ ପଚରାଉଚରା କରିବେ । ଏପର୍ଯ୍ୟନ୍ତ ୧୪ଜଣ ସାକ୍ଷୀଙ୍କର ବୟାନ ରେକର୍ଡ ସରିଛି । ତଥାପି ସୌମ୍ୟରଞ୍ଜନଙ୍କ ମୃତ୍ୟୁ କିପରି ହେଲା ତା ଉପରୁ ପରଦା ହଟିପାରିନାହିଁ । ନିଜ ଘରେ ଥିବା ସମୟରେ ସୌମ୍ୟରଞ୍ଜନ ନିଆଁରେ ପୋଡି ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ହସ୍ପିଟାଲ ଓ ପରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା, ହେଲେ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ଘଟିଥିଲା ।

ଏହି ମାମଲା ସେତେବେଳେ ବିବାଦୀୟ ହେଲେ ଯେତେବେଳେ ବିଦ୍ୟାଭାରତୀଙ୍କ ଭୂମିକା, ସ୍ଥାନୀୟ ଡିଏଫଓଙ୍କ ସମ୍ପୃକ୍ତି ଓ ଜଣେ ଥାନା ଅଧିକାରୀଙ୍କର କାର୍ଯ୍ୟ ସନ୍ଦେହ ସୃଷ୍ଟି କରିଥିଲା । ପରିବାର ଲୋକ ଅଭିଯୋଗ କରିଥିଲେ ସୌମ୍ୟଙ୍କ ମୃତ୍ୟୁ ପଛରେ ବିଦ୍ୟାଭାରତୀଙ୍କ ହାତ ରହିଛି, ଏହା ଏକ ହତ୍ୟାକାଣ୍ଡ । ପ୍ରଥମେ ଓଡ଼ିଶା ପୋଲିସ ଏହାର ତଦନ୍ତ କରିଥିଲା ସାକ୍ଷୀମାନଙ୍କୁ ଜେରା କରିବା ପରେ ଡିଏଫଓଙ୍କ ସମ୍ପୃକ୍ତି ନଥିବା ସେତେବେଳେ ଏସପି କହିଥିଲେ । ହେଲେ ପରବର୍ତି ପର୍ଯ୍ୟାୟରେ ମାମଲା ବେଶି ବିବାଦୀୟ ହେବାରୁ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା ।