ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ପରିବାର ଲୋକଙ୍କୁ ପଚରାଉଚରା : ମାମୁଁ କହିଲେ, ସୌମ୍ୟଙ୍କ ପାରିବାରିକ ସମ୍ପର୍କରେ ସମ୍ପୃକ୍ତ ଥିଲେ ଡିଏଫଓ

1,344

କନକ ବ୍ୟୁରୋ : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଆଇଆଇସିଙ୍କ ନେତୃତ୍ୱରେ ଯାଇଥିବା ୫ ଜଣିଆ ଟିମ୍ ସୌମ୍ୟଙ୍କ ପରିବାର ସଦସ୍ୟଙ୍କୁ ପଚରା ଉଚରା କରିଛି । ତାଙ୍କ ମାଆ, ମାମୁଁ ଓ ଭାଇଙ୍କ ସହ ଆଲୋଚନା କରିଥିବାବେଳେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ମାମୁଁ । ତାଙ୍କ କହିବା ହେଲା, ସୌମ୍ୟ ଓ ତାଙ୍କ ପତ୍ନୀଙ୍କୁ ଭୁବନେଶ୍ୱର ନେବା ଆଣିବା ପାଇଁ ଗାଡି ପଠାଉଥିଲେ ଡିଏଫଓ । ଏକଥା କହି ସୌମ୍ୟଙ୍କ ପାରିବାରିକ ସଂପର୍କରେ ଡିଏଫଓଙ୍କ ସଂପୃକ୍ତି ରହିଥିବା ସେ ଅଭିଯୋଗ ବାଢିଛନ୍ତି । ଏପରିକି ସୌମ୍ୟଙ୍କ ପତ୍ନୀଙ୍କ ସହ ତାଙ୍କର ସଂପର୍କ ଥିବା କଥାକୁ ଦୋହରାଇଛନ୍ତି ।

ସେପଟେ ଗତ ୯ ତାରିଖରେ ସୌମ୍ୟଙ୍କ ସଂପତିର ଉତ୍ତରାଧିକାର ନେଇ ଏକ କୋର୍ଟ ଏଗ୍ରିମେଂଟ ହୋଇଥିବା କହିଛନ୍ତି ସୌମ୍ୟଙ୍କ ମାମୁଁ । ଏଥିରେ ଲେଖାଯାଇଛି ଯେ, ସୌମ୍ୟଙ୍କର କିଛି ହୋଇଗଲେ, ତାଙ୍କର ସମସ୍ତ ସ୍ଥାବର, ଅସ୍ଥାବର ସଂପତିର ଅଧିକାରୀ ତାଙ୍କ ପତ୍ନୀ ବିଦ୍ୟାଭାରତୀ ହେବେ ବୋଲି ଉଲ୍ଲେଖ କରାଯାଇଛି । ଏପରିକି କରିବା କାହିଁକି ଆବଶ୍ୟକ ପଡିଲା ବୋଲି ସେ ପ୍ରଶ୍ନ ଉଠାଇଠନ୍ତି । ସେପଟେ ସୌମ୍ୟଙ୍କ ମୃତ୍ୟୁ ପରେ ତାଙ୍କ କ୍ୱାର୍ଟରର ଚାବି ବିଭାଗ ପାଖରେ କେମିତି ରହିଲା ବୋଲି ପ୍ରଶ୍ନ ଉଠାଇ ପୋଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ।

ଏପଟେ ଆଜି ପୋଲିସ ଡିଜିଙ୍କୁ ଭେଟିଛନ୍ତି ମୃତ ସୌମ୍ୟରଞ୍ଜନଙ୍କ ବାପା । କଟକ ସ୍ଥିତ କାର୍ଯ୍ୟାଳୟରେ ଭେଟି ବାଟରେ କାହିଁକି ଆମ୍ବୁଲାନ୍ସ ଅଟକିଥିଲା ସେନେଇ ତଦନ୍ତ କରିବାକୁ ଦାବି ଜଣାଇଛନ୍ତି । ଗାଡି ଅଟକିବା ସମୟରେ ଗରବନ୍ଦ ଥାନାର ଆଇଆଇସି ସେଠାରେ ଉପସ୍ଥିତ ଥିବାରୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ କହିଛନ୍ତି । ଏପରିକି ସୌମ୍ୟଙ୍କ ପତ୍ନୀ, ଡିଏଫଓ ଏବଂ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଇବାକୁ ଦାବି ରଖିଛନ୍ତି ।