ଆସନ୍ତା ୨୬ରେ ବିଜେଡିରେ ଯୋଗ ଦେଇପାରନ୍ତି ପାରଳା ରାଣୀ କଲ୍ୟାଣୀ ଦେବୀ ! ଲଢିପାରନ୍ତି ନିର୍ବାଚନ, ପ୍ରାର୍ଥୀତ୍ୱକୁ ନେଇ ବଢିଲା ଚର୍ଚ୍ଚା ।
କନକ ବ୍ୟୁରୋ : ଆସନ୍ତା ୨୬ରେ ପାରଳା ରାଣୀ କଲ୍ୟାଣୀ ଦେବୀ ବିଜେଡି ଦଳରେ ଯୋଗ ଦେଇପାରନ୍ତି ଆସନ୍ତା ୨୬ ତାରିଖରେ ଭୁବନେଶ୍ୱରର ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ତଥା ଦଳର ହାଇ କମାଣ୍ଡଙ୍କୁ ଭେଟି ନିଜ ସମର୍ଥକଙ୍କ ସହ ଦଳରେ ସାମିଲ ହେବେ କଲ୍ୟାଣୀ ଦେବୀ । ଏ ସଂପର୍କରେ ନବୀନ ନିବାସରୁ ଆମନ୍ତ୍ରଣ ଆସିଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ରାଣୀଙ୍କ ନିକଟତମ ବ୍ୟକ୍ତି ତଥା ପୂର୍ବତନ ବିଜେଡି ଜିଲ୍ଲା ସଭାପତି ବସନ୍ତ ଦାଶ ସ୍ପଷ୍ଟ କରିଛନ୍ତି ଯେ, ୨୬ ତାରିଖରେ ସମର୍ଥକଙ୍କ ସହ ସ୍ୱତନ୍ତ୍ର ଗାଡ଼ିରେ ଭୁବନେଶ୍ୱର ନବୀନ ନିବାସକୁ ଯାଇ ବିଜେଡିରେ ଯୋଗଦେବେ। ପୂର୍ବରୁ ୨୮ ତାରିଖରେ ମୂଖ୍ୟମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ ସମୟରେ ଗାରାବନ୍ଧ ସଭାରେ ଯୋଗଦେବା ପାଇଁ ଯୋଜନା ହୋଇଥିଲା।ତେବେ କୌଣସି କାରଣବସତଃ ଏହା ପୂର୍ବରୁ ଅଥାର୍ତ ଆସନ୍ତା ୨୬ ତାରିଖରେ ଯୋଗ ଦେବା ନେଇ ସ୍ଥିର ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ରାଣୀ କଲ୍ୟାଣୀ ଦେବୀ ରାଜନୀତିରେ ପାଦ ଥାପିବା ନେଇ ପୂର୍ବରୁ ଗଣମାଧ୍ୟମରେ ଜୋରରେ ଆଲୋଚନା ହେଉଥିଲା।
ପୂର୍ବରୁ ମଧ୍ୟ କଲ୍ୟାଣୀ ଦେବୀଙ୍କ ପରିବାର ରାଜନୀତି ସହ ଜଡିତ ରହିଛନ୍ତି । ଏପରିକି କଲ୍ୟାଣୀ ଦେବୀଙ୍କ ଜେଜେ କୃଷ୍ଣଚନ୍ଦ୍ର ଗଜପତି ରାଜ୍ୟର ପ୍ରଥମ ପ୍ରଧାନମନ୍ତ୍ରୀ ଥିବା ବେଳେ ବାପା ଗୋପୀନାଥ ଗଜପତି ଦୁଇ ଦୁଇଥର ସାଂସଦ ରହିଛନ୍ତି । ତେଣୁ କଲ୍ୟାଣୀ ଦେବୀଙ୍କ ପାଇଁ ରାଜନୀତି ନୂଆ ନଥିବା ବେଳେ ତାଙ୍କର ପ୍ରାର୍ଥୀତ୍ୱକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମହିଳା ରହିଥିବାରୁ ତାଙ୍କର ପ୍ରାର୍ଥୀତ୍ୱ ସମ୍ଭାବନା ଅଧିକ ରହିଛି ବୋଲି ଏବେ ଚର୍ଚ୍ଚା ହେଉଛି । ତେବେ କଲ୍ୟାଣୀ ଦେବୀଙ୍କୁ ବିଧାନସଭା କି ଲୋକସଭା ଆସନରୁ ଟିକେଟ ଦିଆଯିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।