ଗୋଟିଏ ସଂସ୍ଥାର ଦୁଇଟି ଚେହେରା : ପାରଳା ଗଣଆତ୍ମହତ୍ୟା ମାମଲାରେ କ୍ରାଇମବ୍ରାଂଚ କହିଲା, ଅପବାଦ ନେଲା ଜୀବନ

21

କନକ ବ୍ୟୁରୋ : ଷଡଯନ୍ତ୍ର, ସମ୍ମାନହାନୀ ଓ ମାନସିକଚାପ ନେଲା ଚାରି ଜଣଙ୍କ ଜୀବନ । ଅନଙ୍ଗମଞ୍ଜରୀ ଓ ତାଙ୍କ ପରିବାରକୁ ବଦନାମ କରିବାକୁ ହୋଇଥିଲା ଷଡଯନ୍ତ୍ର । ଇଏ ହେଉଛି ପାରଳା ଗଣଆତ୍ମହତ୍ୟା ମାମଲାରେ ମାନବାଧିକାର କମିଶନଙ୍କ ନିକଟରେ କ୍ରାଇବ୍ରାଂଚ ଦାଖଲ କରିଥିବା ଅନ୍ତରୀଣ ରିପୋର୍ଟ । ଯେଉଁଥିରେ ଅନଙ୍ଗମଞ୍ଜରୀ ଓ ତାଙ୍କ ଭାଇଭଉଣୀଙ୍କ ମୃତ୍ୟୁ ପାଇଁ ବିଧାୟକ କେ ସୁର୍ୟା ରାଓଙ୍କ ସମେତ ଛଅ ଜଣଙ୍କୁ ପକ୍ଷଭୁକ୍ତ କରିଛି ତଦନ୍ତକାରୀ ଟିମ । ଏହା ସହ ସଫା ସଫା ଲେଖାଯାଇଛି ଯେ ଅନଙ୍ଗମଞ୍ଜରୀ ଓ ତାଙ୍କ ପରିବାରକୁ ବଦନାମ କରିବା ପାଇଁ କିଛି ବ୍ୟକ୍ତି ଷଡଯନ୍ତ୍ର କରିଥିଲେ । ଏପରିକି ତାଙ୍କ ପୋଷ୍ଟରେ ଜୋତାମାଳ ପିନ୍ଧାଇ ରାଲି କରିଥିଲେ । ଆଉ ଏସବୁ ଘଟଣାରେ ମାନସିକ ଚାପରେ ଆସି ଅନଙ୍ଗମଞ୍ଜରୀ ଓ ଭାଇଭଉଣୀ ଆତ୍ମହତ୍ୟା କରିଛନ୍ତି ।

କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ରିପୋର୍ଟରୁ ବାଦ ପଡିଛନ୍ତି କିଛି ମୁଖ୍ୟ କାର୍ପଟଦାର । ଅନଙ୍ଗମଞ୍ଜରୀଙ୍କ ଭାଇ କିଛି ରାଜନେତା ସ୍ଥାନୀୟ ବାସିନ୍ଦାଙ୍କ ସମେତ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିରୋଧରେ ମାମଲା ଦାୟର କରିଥିଲେ । ହେଲେ ଆଶ୍ଚର୍ଯ୍ୟ ଜନକଭାବେ ଯେଉଁ ଗଣମାଧ୍ୟମ ପାରଳାରାଜା ନଜରବନ୍ଦୀ ଓ ଅନଙ୍ଗମଞ୍ଜରୀଙ୍କୁ ସମ୍ପତି ହଡପକାରୀ ଭାବେ ଚିତ୍ରଣ କରି ଖବର ପ୍ରସାରଣ କରିଥିଲା ତାକୁ ତଦନ୍ତ ପରିସରଭୁକ୍ତ କରି ନାହିଁ କ୍ରାଇମବ୍ରାଂଚ । ଏହା ସହ ଯେଉଁମାନେ ଅନଙ୍ଗମଞ୍ଜରୀଙ୍କ ଫଟୋରେ ଜୋତାମାଳ ପିନ୍ଧାଇ ରାଲି କରିଥିଲେ ତଦନ୍ତ ରିପୋର୍ଟରେ ସେମାନଙ୍କ ବିଷୟରେ ବି କିଛି ଉଲ୍ଲେଖ ନାହିଁ ।

ଅଗଷ୍ଟ ୨୦୧୬ । ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ବ୍ୟକ୍ତିଗତ ସହାୟିକା ଅନଙ୍ଗ ମଂଜରୀଙ୍କ ବାସଭବନରୁ ୩ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଓ ଗୁରୁତର ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରିଥିଲା ପାରଳାଖେମୁଣ୍ଡି ପୋଲିସ୍ । ଗୁରୁତର ଥିବା ଅନଙ୍ଗ ମଂଜରୀଙ୍କ ସାନ ଭାଇ ମଧ୍ୟ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ ।

କ୍ରାଇମବ୍ରାଂଚର ଜଣେ ଏସପି ର୍ୟାଙ୍କର ଅଫିସର ତଦନ୍ତ ଜାରି ରଖିଛନ୍ତି । କିନ୍ତୁ ବହୁ ଅଭିଯୁକ୍ତବାଦ ପଡିବା ପରେ ଏବେ ତଦନ୍ତକାରୀ ସଂସ୍ଥା ଉପରୁ ଭରସା ହରାଇବସିଛନ୍ତି ଅନଙ୍ଗମଞ୍ଜରୀଙ୍କ ପରିବାର । ଆଉ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯାଉଛନ୍ତି ଅନଙ୍ଗମଞ୍ଜରୀଙ୍କ ପରିବାର ।