କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଧନୀବ୍ୟକ୍ତି ଏଲନ ମସ୍କ ଏବେ ଟ୍ୱିଟରର ମାଲିକ ହୋଇଯାଇଛନ୍ତି । ସେ ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟରର ମଙ୍ଗ ଧରିବାର ମାତ୍ର କେଇଘଂଟା ମଧ୍ୟରେ କମ୍ପାନୀର ୪ ଜଣ ମୁଖ୍ୟ ପାଦାଧିକାରୀଙ୍କୁ ବହିସ୍କୃତ କରିଛନ୍ତି । ସେମାନଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ସିଇଓ ପରାଗ ଅଗ୍ରୱାଲ ଓ କମ୍ପାନୀର ଆଇନ ପରାମର୍ଶଦାତା ବିଜୟ ଗଡ୍ଡେ ସାମିଲ ଅଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ପରାଗ ଅଗ୍ରୱାଲ ଖାଲି ହାତରେ କମ୍ପାନୀରୁ ବାହରିବେ ନାହିଁ । ତାଙ୍କୁ ଏଲନ ମସ୍କଙ୍କ ତରଫରୁ ଏକ ମୋଟା ଅଙ୍କର ସେଟେଲମେଣ୍ଟ ଦେବାକୁ ପଡିବ । ରିସର୍ଚ୍ଚ ଫାର୍ମ ଇକ୍ୱିଲାର ମୁତାବକ ଏଲନ ମସ୍କ ପରାଗ ଅଗ୍ରୱାଲଙ୍କୁ ୩୪୫ କୋଟି ଟଙ୍କା ଦେବାକୁ ପଡିବ । କମ୍ପାନୀର ମୁଖୃ ଅଧିକାରୀ ଭାବେ ପରାଗଙ୍କୁ ବାର୍ଷିକ ୯ କୋଟି ୨୪ ଲକ୍ଷ ଟଙ୍କା ଦରମା ମିଳୁଥିଲା ।
ଗତବର୍ଷ ନଭେମ୍ବର ମାସରେ କମ୍ପାନୀର ସଂସ୍ଥାପକ ଜେକ୍ ଡୋସୀଙ୍କ ଇସ୍ତଫା ପରେ ପରାଗ ଅଗ୍ରୱାଲ ଟ୍ୱିଟରର ସିଇଓ ଭାବେ ନିଯୁକ୍ତି ପାଇଥିଲେ । ପ୍ରଦ୍ୟେଗିକ ସଂସ୍ଥାନ ବମ୍ବେ ଓ ଷ୍ଟେନଫୋର୍ଡ ୟୁନିଭରସିଟିରୁ ନିଜର ପାଠ ଶେଷ କରିଥିଲେ ପରାଗ । ଏହାପରେ ଦୀର୍ଘ ୧୦ ବର୍ଷ ହେବ ସେ ଟ୍ୱିଟରରେ ଚାକିରି କରୁଥିଲେ ।
ସେପଟେ ଗଣମାଧ୍ୟମର ରିପୋର୍ଟ ମୁତାବକ ପରାଗ ଅଗ୍ରୱାଲ ଓ ଏଲନ ମସ୍କଙ୍କ ମଧ୍ୟରେ ଭଲ ସଂପର୍କ ନାହିଁ । ଏଲନ ମସ୍କ ଅଭିଯୋଗ ଆଣିଥିଲେ କି ଟ୍ୱିଟର ତରଫରୁ ନକଲି ଆକାଉଣ୍ଟ ଖୋଲି ନିବେଶକମାନଙ୍କୁ ଭ୍ରମିତ କରୁଥିଲା ।