କନକ ବ୍ୟୁରୋ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଳାଟଫର୍ମ ଟ୍ୱିଟରକୁ ବିଶ୍ୱର ଧନୀ ବ୍ୟକ୍ତି ଏଲନ ମସ୍କ କିଣିନେବା ପରେ ଭାରତୀୟ ବଂଶୋଦ୍ଭବ ତଥା ଟ୍ୱିଟର ସିଇଓ ପରାଗ ଅଗ୍ରୱାଲଙ୍କ ଚାକିରି ନେଇ ସୃଷ୍ଟି ହୋଇଛି ଆଶଙ୍କା । ଏମିତିକି ପରାଗଙ୍କ ଚାକିରି ରହିବ କି ନାହିଁ ସେ ନେଇ ଚର୍ଚ୍ଚା ହେଉଛି । କାରଣ ମସ୍କ ଟ୍ୱିଟରକୁ କିଣିବା ପରେ ପୁରୁଣା କର୍ମଚାରୀଙ୍କୁ ବଦଳାଇବାକୁ ସୂଚନା ଦେଇଛନ୍ତି ।
ହେଲେ ପରାଗଙ୍କ ଚାକିରି ଗଲେ ବି ସେ ମୋଟ ଅଙ୍କର ଟଙ୍କା ପାଇବେ । ଯଦି ତାଙ୍କୁ ଆସନ୍ତା ୧ ବର୍ଷ ମଧ୍ୟରେ ଚାକିରିରୁ ବରଖାସ୍ତ କରାଯାଏ ତେବେ ସେ ୪.୨ କୋଟି ଡଲାର ଅର୍ଥାତ୍ ୩୨୧ କୋଟି ଦରମା ପାଇବେ । ସେ ଗତ ୫ ମାସ ଧରି ଟ୍ୱିଟରର ସିଇଓ ଥିଲେ । ଗତବର୍ଷ ନଭେମ୍ବରରେ ସେ ଦାୟିତ୍ୱ ନେଇଥିଲେ । ପରାଗ ଏବେ ଯେତିକି ଦରମା ପାଉଛନ୍ତି ଓ ତାଙ୍କର ଯେତିକି ଇକ୍ୱିଟି ଆୱାଡର୍ ରହିଛି ସେଥିରୁ ପରାଗ ଏଭଳି ମୋଟା ରକମର ଅର୍ଥ ପାଇବେ ।
ଟ୍ୱିଟରକୁ କିଣି ମସ୍କ ଲକ ରେକର୍ଡ ସୃଷ୍ଟି କରିଛନ୍ତି । ଟେକ୍ନୋଲୋଜି କ୍ଷେତ୍ରରେ ଏହା ବିଶ୍ୱର ସବୁଠାରୁ ବଡ ଡିଲ ବୋଲି କୁହାଯାଉଛି । ସେୟାର ମୂଲ୍ୟ ୫୪.୨୦ ଡଲାର ହିସାବରେ ସେ ଟ୍ୱିଟରକୁ ଅଧିଗ୍ରହଣ କରିଛନ୍ତି ।