୮ ଲେନ୍ ବିଶିଷ୍ଟ ହେବ ପାରାଦୀପ-ବଡବିଲ୍ ରାସ୍ତା । ଖର୍ଚ୍ଚ ହେବ ୯ ହଜାର କୋଟି

860

କନକ ବ୍ୟୁରୋ: ଓଡିଶାରେ ରାଜପଥ ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହୋଇଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ରାଜପଥ ପ୍ରକଳ୍ପ ନେଇ ଆଲୋଚନା ହୋଇଛି । ପାରାଦୀପ ଠାରୁ ବଡବିଲ୍ ମଧ୍ୟରେ ୮ ଲେନ୍ ବିଶିଷ୍ଟ ହେବ ରାସ୍ତା । ଏହି ରାସ୍ତା ପ୍ରାୟ ୩୦୦ କିମି ବିଶିଷ୍ଟ ରହିବ । ଏଥିପାଇଁ ବଜେଟ୍ ରହିଛି ୯ ହଜାର କୋଟି ଟଙ୍କା ।

ଏହି ରାସ୍ତା ପାରାଦୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ-ଡୁବୁରୀ-କେନ୍ଦୁଝର-ରିମୁଳି-ବଡରସାହୀ ଦେଇ ବଡବିଲରେ ଶେଷ ହେବ । ଏହି ପ୍ରସ୍ତାବିତ ପ୍ରକଳ୍ପ ରାସ୍ତା ଅର୍ଥନୈତିକ କରିଡର ଚଣ୍ଡିଖୋଲ ସମେତ ଦେଶର ସବୁଠୁ ବଡ କଳିଙ୍ଗନଗର ଇସ୍ପାତ କ୍ଲଷ୍ଟରର ବିକାଶ ପାଇଁ ବାଟ ଦେଖାଇବ । ସେହିପରି କୋଷ୍ଟାଲ ହାଇୱେରେ ଗୋପାଳପୁରରୁ ସାତପଡା ଯାଏଁ ରାସ୍ତା ପାଇଁ ଆଲୋଚନା ହୋଇଛି । ପ୍ରକଳ୍ପ ନେଇ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ରଖିଛନ୍ତି । ଏହା ସହିତ ଭୁବନେଶ୍ୱର ରିଙ୍ଗ ରୋଡ୍ ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା ହୋଇଛି । ଏହି ଭର୍ଚୁଆଲ୍ ବୈଠକରେ ରାଜ୍ୟରେ ଚାଲିଥିବା ରାଜପଥ ପ୍ରକଳ୍ପ ଗୁଡିକର ସମୀକ୍ଷା କରାଯିବା ସହିତ ପ୍ରସ୍ତାବିତ ପ୍ରକଳ୍ପ ନେଇ ବିଶେଷ ଭାବେ ଆଲୋଚନା ହୋଇଛି । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ସାମିଲ ଥିଲେ ।