କନକ ବ୍ୟୁରୋ : ପାରାଦୀପ ଢିଙ୍କିଆରେ ପୁଣି ଉତ୍ତେଜନା । ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିବା ହାଇକୋର୍ଟର ୫ ଜଣିଆ ଟିମର ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଏହି ଟିମକୁ ସ୍ଥାନୀୟ କିଛି ଲୋକେ ଭେଟିବାକୁ ଚାହୁଁଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିବା ଜଣାପଡ଼ିଛି । ହାଇକୋର୍ଟ ଟିମ୍ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଠେଲା ପେଲା ଓ ଧସ୍ତାଧସ୍ତି ହୋଇଛି ।

Advertisment

ଜଗତ୍‌ସିଂହପୁରର ଢିଙ୍କିଆରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ପଦ‌କ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ୫ ଜଣିଆ ଆଇନଜୀବୀଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । ୫ଜଣଙ୍କ ମଧ୍ୟରେ ରହିଛନ୍ତି, ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରଶାନ୍ତ କୁମାର ଜେନା, ଓମ୍‌କାର ଦେବଦାସ, ସୁକାନ୍ତ କୁମାର ଦଳାଇ । ଅନ୍ୟ ଦୁଇଜଣ ହେଲେ, ଅତିରିକ୍ତ ସରକାରୀ ଓକିଲ ଦେବକାନ୍ତ ମହାନ୍ତି ଓ ଜନ୍ମେଜୟ କଟକିଆ । ୫ଜଣଙ୍କୁ ନେଇ ଗଠିତ କମିଟି ଢିଙ୍କିଆ ଗ୍ରାମ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିବେ ଏବଂ ସ୍ଥିତି ଆକଳନ ସଂପର୍କିତ ମିଳିତ ରିପୋର୍ଟ ଦାଖଲ କରିବେ ।

ଢିଙ୍କିଆଠାରେ ପ୍ରସ୍ତାବିତ ଜେଏସ୍‌ଡବ୍ଲୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ତିନୋଟି ମାମଲା ଦାୟର ହୋଇଛି । ଗତ ଜାନୁଆରି ୧୮ରେ ହାଇକୋର୍ଟ ଢିଙ୍କିଆର କୁନି ମଲ୍ଲିକ ଓ ଅନ୍ୟ ୪ଜଣଙ୍କ ଆବେଦନର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଥିଲେ । ଜାନୁଆରି ୧୯ରେ ଆଇନଜୀବୀ କ୍ଷୀରୋଦ କୁମାର ରାଉତ, ଦୀପକ କୁମାର ମହାପାତ୍ର ଓ କବିରାଜ ପ୍ରଧାନଙ୍କ ଆବେଦନର ଶୁଣାଣି କରି ଜାନୁଆରି ୨୦ରେ ଦୁଇ ମାମଲାର ଏକତ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତୃତୀୟ ମାମଲାଟି ପ୍ରତାପରୁଦ୍ର ସାମନ୍ତରାୟ ଦାୟର କରିଛନ୍ତି। ମାମଲାରେ ଦର୍ଶାଯାଇଛି ଯେ ଢିଙ୍କିଆରେ ପୁଲିସ କାର୍ଯ୍ୟାନୁଷ୍ଠାନ ସବୁ ସୀମା ଟପିଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ମୁତୟନ କରାଯାଇଥିବା ପୁଲିସ ଫୋର୍ସ ଢିଙ୍କିଆ ଓ ଏହାର ଆଖପାଖ ଅଞ୍ଚଳରୁ ପ୍ରତ୍ୟାହାର ସହିତ ସ୍ଥାନୀୟ ଅଞ୍ଚଳରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଉ । ଘଟଣାର ନିରପେକ୍ଷ ତଦନ୍ତ କରାଯାଉ । ଆହତଙ୍କ ଉପଯୁକ୍ତ ଚିକିତ୍ସା ଓ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉ । ଏଥିସହିତ ବିନା ଆଇନଗତ ପ୍ରକ୍ରିୟା ଅନୁସରଣରେ ଜମି ଅଧିଗ୍ରହଣ କରାନଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି ।