ସର୍ବକାଳୀନ ରେକର୍ଡ ରଚିଲା ପାରାଦୀପ ପୋର୍ଟ । ୨୪ ଘଂଟାରେ ବନ୍ଦରରେ ଚଳାଚଳ କଲା ୩୦ ଜାହାଜ

ପଣ୍ୟ କାରବାରରେ ପାରାଦୀପ ପୋର୍ଟକୁ ଦେଶରେ ଏକ ନମ୍ବର କରିବା ଲକ୍ଷ୍ୟ

1,325

କନକ ବ୍ୟୁରୋ: ସଫଳତା ପରେ ସଫଳତା ହାସଲ କରିଚାଲିଛି ପାରାଦୀପ ପୋର୍ଟ । ଜାହାଜ ଚଳାଚଳରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର । ୨୪ ଘଂଟା ଭିତରେ ପୂର୍ବରୁ ୨୭ଟି ଜାହାଜ ପାରାଦୀପ ବନ୍ଦର ପୋତାଶ୍ରୟରେ ଚଳାଚଳ କରିଥିବା ବେଳେ ଗତକାଲି ୩୦ଟି ଜାହାଜ ଚଳାଚଳ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ।

ଗୋଟିଏ ଦିନରେ ପାରାଦୀପ ପୋର୍ଟରେ ୩୦ଟି ଜାହାଜ ଚଳାଚଳ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଗତକାଲି ୨୪ ଘଂଟା ଭିତରେ ୧୦ଟି ଜାହାଜ ବନ୍ଦର ଭିତରକୁ ଆସିଥିବା ବେଳେ ୯ଟି ଜାହାଜ ବନ୍ଦର ପୋତାଶ୍ରୟରୁ ବାହାରକୁ ଯାଇଛି । ସେହିଭଳି ବିଭିନ୍ନ ପଣ୍ୟ କାରବାର ପାଇଁ ୧୧ଟି ଜାହାଜକୁ ସ୍ଥାନାନ୍ତରୀତ କରାଯାଇଛି । ଆହୁରି ୩୯ଟି ଜାହାଜ ବନ୍ଦର ଭିତରକୁ ଆସିବା ପାଇଁ ଆଙ୍କରେଜ୍ ଏରିଆରେ ଅପେକ୍ଷା କରି ରହିଥିବା କହିଛନ୍ତି ବନ୍ଦର କର୍ତୃପକ୍ଷ । ପାରାଦୀପ ପୋର୍ଟର ଏହି ରେକର୍ଡ ପାଇଁ ବନ୍ଦରର ଶ୍ରମିକ ଓ କର୍ମଚାରୀଙ୍କୁ ଶ୍ରେୟ ଦେଇଛନ୍ତି ।

୨୦୧୮ରେ ପାରାଦୀପ ବନ୍ଦର ୧୦୯ ମିଲିୟନ୍ ଟନ୍ ପଣ୍ୟ କାରବାର କରି ଦେଶରେ ଦ୍ୱିତୀୟ ବୃହତ ବନ୍ଦର ମାନ୍ୟତା ପାଇଥିଲା । ଚଳିତ ବର୍ଷ ୧୨୦ ମିଲିୟନ୍ ଟନ୍ ପଣ୍ୟ କାରବାର କରି ଏକ ନମ୍ବର ବୃହତ ବନ୍ଦର ମାନ୍ୟତା ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ପାରାଦୀପ ବନ୍ଦର ଉପ-ସଂରକ୍ଷକ । ପୂର୍ବରୁ ୨୪ ଘଂଟାରେ ୨୪ ଓ ୨୪ ଘଂଟାରେ ୨୭ଟି ଜାହାଜ ପାରାଦୀପ ବନ୍ଦରରେ ଚଳାଚଳ କରିଥିଲା । ବର୍ତମାନ ପାରାଦୀପ ବନ୍ଦର ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିବା ବେଳେ ଆଗକୁ ଏହା ଦେଶର ଶ୍ରେଷ୍ଠ ବନ୍ଦର ହେବ ବୋଲି ଆଶା କରାଯାଉଛି ।