କନକ ବ୍ୟୁରୋ : ପାରାଦୀପରେ ହାଜତ ମୃତ୍ୟୁ ଅଭିଯୋଗ । ପାରାଦୀପ ବୃନ୍ଦାବନ କଲୋନୀର ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ପୋଲିସ ବାଡେଇ ବାଡେଇ ମାରିଦେଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ । ପାରାଦୀପ ଅଭୟଚାନ୍ଦପୁର ପୋଲିସ ବ୍ରାଉନସୁଗାର ବେପାରୀ ଆସୁଥିବା ନେଇ ଖବର ପାଇବା ପରେ ରଙ୍ଗିଆଗଡ ପୋଲ ନିକଟରେ ଜଗି ରହିଥିଲା । ଏହି ସମୟରେ ଦୁଇ ଜଣ ଯୁବକ ବାଇକରେ ଦ୍ରୁତ ଗତିରେ ଯାଉଥିବା ଦେଖି ପୋଲିସ ଗାଡିଟିକୁ ଅଟକାଇଥିଲା । ବାଇକ ଚଳାଉଥିବା ୨ ଯୁବକଙ୍କ ପାଖରୁ ୧୧ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରିଥିଲା ।
ତେବେ ବାଇକ ପଛରେ ବସିଥିବା ଯୁବକ ମନୋରଂଜନ ଖୁବ ଜୋରରେ ଦୌଡ଼ିବାକୁ ଆରମ୍ଭ କଲେ । ପୋଲିସ ତାଙ୍କ ପିଛା କରୁଥିବା ସମୟରେ ପୋଲ ନିକଟରେ ଥିବା ଏକ ଲୁହା ପ୍ଲେଟରେ ବାଡେଇ ହୋଇ ମନୋରଂଜନ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ । ପୋଲିସ ମନୋରଂଜନକୁ ଉଦ୍ଧାର କରି ପ୍ରଥମେ ଅଠରବାଙ୍କି ଓ ପରେ ଜଗତସିଂହପୁର ମେଡିକାଲ ନେଇଥିଲା । ଜଗତସିଂହପୁର ମେଡିକାଲରେ ଡାକ୍ତର ମନୋରଂଜନକୁ ମୃତ ଘୋଷଣା କରିଥିଲେ । ହେଲେ ପୋଲିସର ଏଭଳି କାହାଣୀରେ ସନ୍ତୁଷ୍ଟ ହୋଇନାହାନ୍ତି ମନୋରଂଜନଙ୍କ ପରିବାର ଲୋକ । ପୋଲିସ ବାଡେଇ ବାଡ଼େଇ ତାଙ୍କୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଅଭୟଚାନ୍ଦପୁର ଥାନା ଆଇଆଇସି ଜୀବନାନନ୍ଦ ଜେନାଙ୍କ କାର୍ଯ୍ୟକଳାପ ପୂର୍ବରୁ ମଧ୍ୟ ସନ୍ଦେହପୂର୍ଣ୍ଣ ରହି ଆସିଛି । ପୁରୀ ବାସେଳୀ ସାହିରେ ଆଇଆଇସି ଥିବା ବେଳେ ତାଙ୍କ ବିରୋଧରେ ହାଜତମୃତ୍ୟୁ ଅଭିଯୋଗ ଆସିଥିଲା ।
Follow Us