କନକ ବ୍ୟୁରୋ : ଚଳିତ ବର୍ଷ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଚିତ୍ତାକର୍ଷକ ପରେଡ୍‌ ଦେଖିବାକୁ ମିଳିବନାହିଁ । କରୋନା କଟକଣାରେ ପାଳିତ ହେବାକୁ ଥିବା ଏହି ପରେଡ୍‌ ବେଳେ ସାଧାରଣ ଲୋକଙ୍କୁ ପଡ଼ିଆ ଭିତରକୁ ପଶିବାକୁ ଅନୁମତି ମିଳବ ନାହିଁ । ପ୍ରଦର୍ଶନୀ ପଡ଼ିଆକୁ ହାଇ-ଆଲର୍ଟ ଜୋନ୍ ଭାବେ କମିସନରେଟ୍‌ ପୁଲିସ ଘୋଷଣା କରିଛି । ପଡ଼ିଆ ଚାରି ପାଖ ବିଲ୍ଡିଂ ଓ ସରକାରୀ ପ୍ରତିଷ୍ଠାନ ସବୁକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ପୂର୍ବ ଭଳି ପରେଡ୍‌ରେ ୪୬ଟି ଦଳକୁ ଭାଗ ନେବାକୁ ଅନୁମତି ମିଳିଛି । ଉତ୍ସବରେ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କୁ ନେଇ ପ୍ରାୟ ୫୦ ଜଣ ଅତିଥି ଉପସ୍ଥିତ ରହିବେ । ଏହି ଅବସରରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବ ।

Advertisment

ଏ ନେଇ ବୁଧବାର ଅପରାହ୍‌ଣରେ ପ୍ରଦର୍ଶନୀ ପଡ଼ିଆରେ ପୁଲିସ ଟିମ୍‌ ରିହର୍ସାଲ କରିଛି । ରିହର୍ସାଲ ବେଳେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ଉମାଶଙ୍କର ଦାଶ ଉପସ୍ଥିତ ଥିଲେ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ (ଏସ୍‌ଏସ୍‌ବି), ଓଡ଼ିଶା ସ୍ପେସାଲ୍‌ ଆର୍ମଡ୍ ପୁଲିସ (ଓଏସ୍‌ଏପି) ଓ ଓଡ୍ରାଫ୍‌ର ୩ଟି ଟ୍ରୁପ୍‌ ଏହି ଅଭ୍ୟାସ କରିଥିଲେ । ଷଷ୍ଠ ଓ ସପ୍ତମ ବାଟାଲିୟନ ପକ୍ଷରୁ ମିଳିତ ଭାବେ ପୁଲିସ୍ ବ୍ୟାଣ୍ଡ୍ ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ ।