କନକ ବ୍ୟୁରୋ: ପର ବିଲରେ ମୂଲ ଲାଗୁଛନ୍ତି ଜାତୀୟ ସ୍ତରରେ ମେଡାଲ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିବା ପାରା ଆଥଲେଟ୍ । ନା ମିଳୁଛି ପ୍ରୋତ୍ସାହନ ନା ମିଳୁଛି ସରକାରୀ ସହାୟତା । ନବରଙ୍ଗପୁର ଜିଲ୍ଲା ଭଳି ଉପାନ୍ତ ଅଂଚଳରୁ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରି ମେଡାଲ ଜିତି ଗୌରବ ଆଣିଥିବା ଆଥଲେଟଙ୍କ ପ୍ରତି ପଡୁନାହିଁ ପ୍ରଶାସନ କିମ୍ବା ସରକାରଙ୍କ ନଜର ।
ମୂଲ ଲାଗୁଛନ୍ତି ଜାତୀୟ ସ୍ତରର ଖେଳାଳି । ମେଡାଲ ଜିତି ରାଜ୍ୟ ପାଇଁ ଗୌରବ ସୃଷ୍ଟି କରିଥିବା ପାରା ଆଥଲେଟ୍ ଅର୍ଜୁନ ଭତ୍ରା ଏବେ ଅଲୋଡ଼ା ହୋଇପଡ଼ିଛନ୍ତି । ନବରଙ୍ଗପୁର ଭଳି ଉପାନ୍ତ ଅଂଚଳରୁ ପ୍ରତିକୂଳ ପରିସ୍ଥିତି ସତ୍ୱେ ଜାତୀୟ ସ୍ତରରେ ରାଜ୍ୟର ପ୍ରତିନିଧିତ୍ୱ କରିଛନ୍ତି । ଦୃଷ୍ଟିହୀନ କ୍ରିକେଟରେ ଜଣେ ଅଲରାଉଣ୍ଡର ଭାବେ ଯୋଗ ଦେଇଥିଲେ ଅର୍ଜୁନ । ସ୍କୁଲ ସ୍ତରରୁ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ଅନେକ ପୁରସ୍କାର ବିଜୟୀ ହୋଇଛନ୍ତି । ଚଳିତବର୍ଷ ପାରା ଆଥଲେଟ ରେ ୪୦୦ ମିଟର ଦୌଡ ପ୍ରତିଯୋଗିତାରେ ଭାଗ ନେଇ ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି । ହେଲେ ଏବେ ପରିବାର ଚଳାଇବା ପାଇଁ ତାଙ୍କୁ ମୂଲ ଲାଗିବାକୁ ପଡ଼ୁଛି । ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥିବା ଏହି ଆଥଲେଟ ଏବେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ।
ନିଜ ପରିବାରର ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଚାକିରୀ ଖଣ୍ଡିଏ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ଅର୍ଜୁନ ଜଣେ ଆଥଲେଟ ଭାବେ ନିଜ ପରିଚୟ ଖୋଜୁଥିବା ବେଳେ ଉପାନ୍ତ ଅଂଚଳର ଏଭଳି ପ୍ରତିଭାକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ପରିବାର ଏବଂ ଗ୍ରାମବାସୀ ଦାବି କରିଛନ୍ତି । ବାସ୍ତବରେ କ୍ରୀଡା ଓ କ୍ରୀଡ଼ାବିତଙ୍କ ପାଇଁ ସରକାର କେତେ ଯେ ତତ୍ପର ତାହା ଅର୍ଜୁନଙ୍କ କାହାଣୀ ହିଁ ବୟାନ କରୁଛି ।