କଂଗ୍ରେସ ଜିନ୍ଦାବାଦ ପକାଇଲେ, ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ । ପୁର୍ଣ୍ଣିଆ ନିର୍ବାଚନ ମୈଦାନକୁ ଓହ୍ଲାଇଲେ ପପୁ ଯାଦବ ।

284

କନକ ବ୍ୟୁରୋ : କିଛି ଦିନ ପୂର୍ବେ କଂଗ୍ରେସରେ ନିଜ ଦଳକୁ ବିଲୟ କରିଥିଲେ, କିନ୍ତୁ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ । କାରଣ ଆତ୍ମହତ୍ୟା କରିଦେବି ପଛେ ପୁର୍ଣ୍ଣିଆ ଆସନ ଛାଡିବିନି ବୋଲି କହିଥିଲେ ବିହାର ରାଜନୀତିର ଜଣାଶୁଣା ଚେହେରା ପପୁ ଯାଦବ । କଂଗ୍ରେସରେ ମିଶିଥିଲେ ମଧ୍ୟ ଇଣ୍ଟିଆ ମେଣ୍ଟ ପକ୍ଷରୁ ପପୁ ଯାଦବଙ୍କୁ ପୁର୍ଣ୍ଣିଆ ଆସନରୁ ଟିକେଟ ମିଳିନଥିଲା । ବରଂ ଏହି ଆସନ ଆରଜେଡି ଭାଗରେ ପଡିଥିଲା । ଆରଜେଡି ପକ୍ଷରୁ ବୀମା ଭାରତୀ ଏହି ଆସନରୁ ନାମାଙ୍କନପତ୍ର ଭରିଛନ୍ତି । ଶେଷ ମୁହୂର୍ତ୍ତରେ ଆରଜେଡି ପକ୍ଷରୁ ଲଢିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ ପପୁ । କିନ୍ତୁ ପପୁଙ୍କ ପ୍ରସ୍ତାବକୁ ଗ୍ରହଣ କରିନଥିଲା ଆରଜେଡି । ଯେଉଁଥିପାଇଁ ନାମାଙ୍କନପତ୍ରର ଶେଷ ଦିନରେ ପପୁ ଯାଦବ ପୁର୍ଣ୍ଣିଆ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଯାହା ପୁର୍ଣ୍ଣିଆ ରାଜନୀତିକୁ ରୋଚକ କରିଛି ।

ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ମଧ୍ୟ କଂଗ୍ରେସର ଜୟ ଜୟକାର ପକାଇଥିଲେ ପପୁ ଯାଦବ । ଯେହେତୁ ମେଣ୍ଟ ବୁଝାମଣା ଅନୁଯାୟୀ, କଂଗ୍ରେସ ଖାତାକୁ ଏହି ଆସନ ଆସିନାହିଁ ତେଣୁ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମଧ୍ୟ ଆସିନାହିଁ । ଗତ କିଛି ଦିନ ପୂର୍ବେ ପପୁ ଯାଦବ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ଭେଟିଥିଲେ ଏବଂ ପରବର୍ତ୍ତୀ ସମୟରେ ଦିଲ୍ଲୀରେ କଂଗ୍ରେସରେ ନିଜର ଦଳକୁ ବିଲୟ କରିବା ନେଇ ଘୋଷଣା କରିଥିଲେ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ପୁର୍ଣ୍ଣିଆ ଆସନରୁ ତାଙ୍କୁ ପ୍ରାର୍ଥୀ କରାଯାଇନଥିଲା । ପପୁ କଂଗ୍ରେସରେ ସାମିଲ ହେବା ପରେ ଜେଡିୟୁ ନେତ୍ରୀ ବୀମା ଭାରତୀ ଆରଜେଡିରେ ଯୋଗ ଦେବା ସହ ପୁର୍ଣ୍ଣ୍ରିଆ ଆସନରୁ ପ୍ରାର୍ଥୀ ହୋଇଥିଲେ ।