ଉଚ୍ଚଶିକ୍ଷିତ ଯୁବକଙ୍କ ନିଆରା ପ୍ରୟାସ । ସ୍ୱାବଲମ୍ବୀ ହେବାକୁ ଚାକିରି ଛାଡି ଚାଷ ଓ ବ୍ୟବସାୟରେ ବଳାଇଲେ ମନ ।

130

କନକ ବ୍ୟୁରୋ: କରୋନା ଛଡେଇ ନେଇଛି ହଜାର ହଜାର ଯୁବକ ଯୁବତୀଙ୍କ ଚାକିରି ଓ ବନେଇ ଦେଇଛି ସେମାନଙ୍କୁ ବେକାର । ଏଭଳି ସ୍ଥିତିରେ ଜଣେ ଆଦିବାସୀ ଯୁବକ ଉଚ୍ଚ ଶିକ୍ଷିତ ହୋଇଥିଲେ ସୁଦ୍ଧା କୌଣସି ଚାକିରି ପଛରେ ନଗୋଡ଼ାଇ ପେପର କପ ତିଆରି କରି ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟକୁ ରୋଜଗାର ଦେଇ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ବଡଲିମା ଗ୍ରାମର ଆଦିବାସୀ ଯୁବକ ରଞ୍ଜନ ୱାଡାକା । ଭୁବନେଶ୍ୱରରେ ଏମବିଏ ପାସ କଲାପରେ ବେସରକାରୀ ସଂସ୍ଥାରେ ଚାକିରି କରିଥିଲେ ରଞ୍ଜନ । ହେଲେ ଏହି ଚାକିରିରେ ଆତ୍ମସନ୍ତୁଷ୍ଟି ନ ମିଳିବାରୁ ନିଜେ କିଛି କରିବାର ଇଚ୍ଛାପ୍ରକାଶ କରିଲେ । ପ୍ରଧାନମନ୍ତ୍ରୀ କର୍ମ ନିଯୁକ୍ତି ଯୋଜନାରେ ବ୍ୟାଙ୍କରୁ ଋଣ ଆଣି ଚା ଓ ସୁପ କପ ତିଆରି ମେସିନ ଆଣି ବ୍ୟବସାୟ କରି ଭଲ ଦୁଇପାଇସା ରୋଜଗାର କରିବା ସହ ଅନ୍ୟ ଯୁବକଙ୍କୁ ଦେଇ ପାରିଛନ୍ତି ରୋଜଗାର ।

କେବଳ କପ ବ୍ୟବସାୟ ନୁହଁ ଜଣେ ଚାଷୀ ପୁଅ ହିସାବରେ କୁକୁଡ଼ା ପାଳନ ମଧ୍ୟ ଆରମ୍ଭ କରିଛନ୍ତି । ନିଜ ବଗିଚାରେ ଏକ କୁକୁଡ଼ା ଘରକରି ଶତାଧିକ କୁକୁଡ଼ା ପାଳିଛନ୍ତି । ଯେଉଁଥିରୁ ଅଧିକ ଲାଭ ଆଶା ରଖିଛନ୍ତି ରଞ୍ଜନ । ଗତବର୍ଷ କରୋନା ସମୟରେ ଅନ୍ୟ ରାଜ୍ୟରେ ଚାକିରୀ କରୁଥିବା ବହୁ ଯୁବକଯୁବତୀ ଚାକିରୀ ହରାଇବା ସହ ଦୁଖଃ କଷ୍ଟରେ ନିଜ ଗାଁକୁ ଫେରୁଥିବା ବେଳେ ରଞ୍ଜନ ନିଜେ ରୋଜଗାରକ୍ଷମ ହେବା ସହ ୫ଜଣଙ୍କୁ ରୋଜଗାର ଯୋଗାଇଛନ୍ତି ଓ ଗାଁରେ ରୋଜଗାର ପାଇ ଖୁସି ଅଛନ୍ତି ନିଯୁକ୍ତି ପାଇଥିବା ପିଲାମାନେ । ତେବେ ଆଗାମୀ ଦିନରେ ନିଜ ବ୍ୟବସାୟ ଓ କୁକୁଡ଼ା ଚାଷକୁ ବୃଦ୍ଧି କରିବା ସହ ନିଜ ଅଂଚଳର ଅଧିକରୁ ଅଧିକ ଯୁବକଙ୍କୁ ନିଯୁକ୍ତି ଦେବାକୁ ଆଶା ରଖିଛନ୍ତି ରଞ୍ଜନ ୱାଡାକା ।