ଅମୃତଭଣ୍ଡା ଚାଷ କରିଛି ସ୍ୱାବଲମ୍ବୀ । ବ୍ୟବସାୟିକ ଭିତ୍ତିିରେ ଚାଷ କରି ଲାଭବାନ ୬ ଚାଷୀ ।

155

କନକ ବ୍ୟୁରୋ: ଶିଳ୍ପ ବିହୀନ ଦେବଗଡ ଜିଲ୍ଲାର ଅଧିକାଂଶ ଲୋକ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ । ଜିଲ୍ଲାରେ ଚାଷୀମାନେ ମୁଖ୍ୟତଃ ଧାନ ଚାଷ ଉପରେ ବେଶୀ ଗୁରୁତ୍ୱ ଦେଉଥିବା ବେଳେ ଅନ୍ୟାନ୍ୟ ଚାଷକୁ ସେତେଟା ଗୁରୁତ୍ୱ ଦେଇନଥାନ୍ତି । ହେଲେ ଗତ କିଛି ମାସ ହେଲା ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକର ପାରପୋଷି ପଞ୍ଚାୟତ ରୁକୁଡା ଗ୍ରାମର ୬ଜଣ ଚାଷୀ ବ୍ୟବସାୟିକ ଭିତ୍ତିରେ ଅମୃତଭଣ୍ଡା ଚାଷ କରି ଲାଭାନ୍ନିତ ହେଉଥିବା ଦେଖିବାକୁ ମିଳିଛି ।

ସାଧାରଣତଃ ଆଦିବାସୀ ଅଞ୍ଚଳର ଆଦିବାସୀ ପରିବାର ପାରମ୍ପରିକ ଧାନ ଚାଷକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ମାତ୍ର କିଛି ସଂଗଠନର ପ୍ରୟାସରେ ପାରମ୍ପରିକ ଧାନ ଚାଷ କରୁଥିବା ଆଦିବାସୀ ଶ୍ରେଣୀର ଲୋକଙ୍କ ମଧ୍ୟରେ ଏବେ ଫଳ ବଗିଚା ପ୍ରତି ଆଗ୍ରହ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ନିଜ ଜମିରେ ଆମ୍ବ ଗଛ ଲଗାଇଥିବା ବେଳେ କୃଷି ବିଜ୍ଞାନ କେନ୍ଦ୍ରର ପରାମର୍ଶରେ ଆମ୍ବ ଗଛ ମଧ୍ୟ ଭାଗରେ ଖୋଲାଥିବା ସ୍ଥାନରେ ଉନ୍ନତ କିସମର ଅମୃତ ଭଣ୍ଡା ଲଗାଇବା ସହ ଭଲ ରୋଜଗାର କରୁଛନ୍ତି ।

ପ୍ରାଥମିକ ପର୍ଯ୍ୟାୟରେ ଉକ୍ତ ଅଞ୍ଚଳର ୬ଜଣ ଚାଷୀ ନିଜ ନିଜର ୧ ଏକର ସ୍ଥାନରେ ମିଳିତଭାବେ ଅମୃତଭଣ୍ଡା ଚାଷକରିଥିବା ବେଳେ ଏହି ଚାଷ କାର୍ଯ୍ୟରେ ପରିବାର ସଦସ୍ୟ ସଦସ୍ୟା ମଧ୍ୟ ଏହି ବଗିଚାରେ ନିଜର ଶ୍ରମଦାନ କରିଥାନ୍ତି । ତିଲେଇବଣୀ ବ୍ଲକ ଅଞ୍ଚଳରେ ନାବାର୍ଡ ସହାୟତାରେ ୱାଡି ଯୋଜନା ଅନୁଯାୟୀ ଆଗାମୀ ୬ ବର୍ଷ ମଧ୍ୟରେ ଆଦିବାସୀମାନଙ୍କ ଅର୍ଥନୈତିକ ଅଭିବୃଦ୍ଧିପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଉକ୍ତ ଅଞ୍ଚଳର ୬ଟି ପଞ୍ଚାୟତ ଅନ୍ତର୍ଗତ ୧୭ଟି ଗ୍ରାମର ଚାଷୀମାନଙ୍କୁ ଏହି ଅମୃତଭଣ୍ଡା ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଚାଷୀମାନଙ୍କୁ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ନିୟମିତ ବ୍ୟବଧାନରେ ବୈଷୟିକ ଶିକ୍ଷା ଓ ଜ୍ଞାନ କୈାଶଳ ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି । ଏଥିସହ ଚାଷୀଙ୍କ ଉତ୍ପାଦିତ ଫସଲର ବିକ୍ରି ପାଇଁ ସମ୍ବଲପୁର ଆରଏମସି ନିୟମିତ ଭାବେ ନିଜର ଗାଡି ସାହାଯ୍ୟରେ ପର୍ଯ୍ୟାୟ କ୍ରମେ ନେଉଥିବା ବେଳେ ଚାଷୀମାନେ ତାଙ୍କ ଫସଲର ଉଚିତ ମୂଲ୍ୟ ପାଇ ପାରୁଥିବା କହିଛନ୍ତି ।