ତାଲିବାନ କବଳକୁ ଏବେ ବି ଆସିନି ପଂଜଶିର । ଦଖଲ କରିବାକୁ ଚାରିପଟୁ ଘେରାବନ୍ଦୀ କରୁଛନ୍ତି ତାଲିବାନୀ 

325

କନକ ବ୍ୟୁରୋ: ତାଲିବାନର ଶେଷ ଟାର୍ଗେଟରେ ରହିଛି ପଂଜସିର ପ୍ରଦେଶ । ଅଭେଦ୍ୟ ଗଡ କୁହାଯାଉଥିବା ଏହି ପ୍ରାନ୍ତକୁ ନିଜ ଦଖଲକୁ ନେବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି । କାବୁଲଠାରୁ ଶହେ କିଲୋମିଟର ଦୂରରେ ଥିବା ଏହି ଅଂଚଳକୁ ବହୁ ସଂଖ୍ୟାରେ ତାଲିବାନୀ ସୈନ୍ୟ ଯିବା ସହ ଚାରିପଟୁ ଘେରାଉ କରିଛନ୍ତି । ଏନେଇ ତାଲିବାନ ପକ୍ଷରୁ ସୂଚନା ଦିଆଯାଇଛି । ପଂଜସିର ପ୍ରାନ୍ତ ଏବେ ତାଲିବାନ କବଜାରେ ବୋଲି କହିଛି ତାଲିବାନ । କିନ୍ତୁ ଏବେବି ସୁରକ୍ଷିତ ରହିଛି ବୋଲି  କହିଛନ୍ତି କାବୁଲ ଛାଡି ପଂଜସିରରେ ଥିବା ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁହ୍ଲା ସାଲେହ ।

କାବୁଲ ଦଖଲ କରିବା ପରେ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛନ୍ତି ତାଲିବାନୀ । କିନ୍ତୁ ଏବେ ବି ଆଫଗାନିସ୍ତାନର କେତେକ ଅଂଚଳ ରହିଛି ଯେଉଁଠି ତାଲିବାନଙ୍କୁ କଡା ବିରୋଧ କରାଯାଉଛି । ପଞ୍ଜସିର ପରେ ବଗଲାନ ପ୍ରାନ୍ତରେ ବି ତାଲିବାନକୁ କଡା ବିରୋଧ କରାଯାଉଛି । ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ବିରୋଧୀଙ୍କ ଆକ୍ରମଣରେ ଏହି ପ୍ରାନ୍ତରେ ତାଲିବାନର ଜିଲ୍ଲା ମୁଖ୍ୟ ସହ ଆଉ ୫୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୨୦ ତାଲିବାନୀଙ୍କୁ ବନ୍ଦୀ କରି ନେଇଛନ୍ତି ।

ଆଫଗାନିସ୍ତାନ ସ୍ଥିତିକୁ ନେଇ ଆସନ୍ତା ୨୬ ତାରିଖ ଦିନ ୧୧ଟାରେ ମାନସ ମନ୍ଥନ କରିବେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଫଗାନିସ୍ତାନରେ ଲଗାତର ବିଗୁଡୁଥିବା ସ୍ଥିତି ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହେବ । ଆଫଗାନିସ୍ତାନରେ ଭାରତ ବଡ ନିବେଶ କରିଛି । ଏବେ ତାଲିବାନ କବ୍ଜା କରିବା ପରେ ଭାରତ ପାଇଁ ବଡ ଚ୍ୟାଲେଂଜ ସୃଷ୍ଟି ହୋଇଛି । ଏପରି ସ୍ଥିତିରେ ଭାରତର କ’ଣ ରହିବ ରଣନୀତି, ସେନେଇ ଆଲୋଚନା କରାଯିବ । ତାଲିବାନ ଶାସନ ପରେ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ । ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି ।