ପଞ୍ଜଶୀର ଦଖଲ କରିନେଲା କି ତାଲିବାନ ? ଆସିଲା ବଡ଼ ସୂଚନା

575

କନକ ବ୍ୟୁରୋ : ପଞ୍ଜଶୀର ଘାଟି କବଜା କରିଥିବା ନେଇ ଦାବି କରିଛି ତାଲିବାନ । ଜଣେ ତାଲିବାନ କମାଣ୍ଡର କହିଛନ୍ତି, ପୂରା ଆଫଗାନିସ୍ତାନ ଆମ କଣ୍ଟ୍ରୋଲରେ ରହିଛି । ଅସୁବିଧା ସୃଷ୍ଟି କରୁଥିବା ଲୋକଙ୍କୁ ଆମେ ପରାସ୍ତ କରିଛୁ ଓ ପଞ୍ଜଶୀର କବଜା କରିଛୁ । କିନ୍ତୁ ତାଲିବାନର ଏପରି ଦାବିକୁ ଖାରଜ କରିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ଅମରୁଲା ସାଲେହ । ଏବେ ବି ଯୁଦ୍ଧ ଚାଲିଥିବା କହିଛନ୍ତି ଅମରୁଲ୍ଲା ସାଲେହ ।

ଗତ କିଛି ଦିନ ହେବ ଅମରୁଲ୍ଲା ସୋହେଲ ଓ ଅହମ୍ମଦ ମସୁଦ ତାଲିବାନକୁ ବିରୋଧ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । କିଛି ଦିନ ପର୍ଯ୍ୟନ୍ତ ତାଲିବାନ ଓ ମସୁଦଙ୍କ ମଧ୍ୟରେ କଥାବାର୍ତା ଚାଲିଥିଲା । ହେଲେ ଏଥିରୁ କୌଣସି ନିର୍ଯାସ ବାହାରି ପାରିନଥିଲା । ପଞ୍ଜଶୀର କବଜା କରିବା ପାଇଁ ତାଲିବାନୀ ଆତଙ୍କବାଦୀଙ୍କୁ ପଠାଯାଇଥିଲା । ସେଠାରେ ଯୁଦ୍ଧ ଚାଲିଥିବା ନେଇ ଖବର ଆସିଥିଲା । ଏଥିରେ ୩ ଶହରୁ ଅଧିକ ତାଲିବାନୀ ନିହତ ହୋଇଥିବା କୁହାଯାଉଥିଲା ।

ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବା ତାଲିବାନ ଗୋଟିଏ ଗୋଟିଏ ସହର ଦଖଲ କରିଥିଲା । ଅଗଷ୍ଟ ୧୫ରେ ରାଜଧାନୀ କାବୁଲ ତାଲିବାନ ନିୟନ୍ତ୍ରଣକୁ ଯିବା ପୂର୍ବରୁ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାୟନ କରିଥିଲେ । କେବଳ ପଞ୍ଜଶୀରକୁ ଛାଡିଦେଲେ ଅନ୍ୟ ସବୁ ସହର ତାଲିବାନ କବଳକୁ ଆସିଯାଇଥିଲା । ଆଫଗାନିସ୍ତାନରେ ସରକାର ଗଢିବା ପାଇଁ ପ୍ରକ୍ରିୟା ଶେଷ କରିଛି ତାଲିବାନ ।

ଦେଶର ମୁଖ୍ୟ ହେବେ ମୁଲ୍ଲା ଅବଦୁଲ ଘନି ବରାଦର । ସରକାର ଗଠନ ନେଇ ଆଜି ବିଧିବଦ୍ଧ ଘୋଷଣା କରାଯାଇପାରେ । ତାଲିବାନ ନେତାଙ୍କ ସୂଚନା ଅନୁସାରେ ଶାସନ ବ୍ୟବସ୍ଥା ପରିଚାଳନା କରିବା ପାଇଁ ଧାର୍ମିକ ପରିଷଦ ଗଠନ ହେବ । ସେପଟେ କାବୁଲ ଏୟାରପୋର୍ଟରେ ଗତକାଲି ଫାୟାରିଂ ହୋଇଛି । ପଞ୍ଜଶିର ଘାଟି କବ୍ଜା ଓ ସରକାର ଗଠନ ହେବା ପରେ ଖୁସିରେ ତାଲିବାନମାନେ ଫାଙ୍କା ଗୁଳି ଚାଳନା କରିଥିବା କୁହାଯାଉଛି ।