କିନ୍ନର ନେଇଗଲେ ଜୀବନ : ସାଥୀଙ୍କ ସହ ମିଶି ଯୁବକଙ୍କୁ ହତ୍ୟା କଲେ; ଗିରଫ ୭ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ

ଗିରଫ ୭ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ

245

କନକ ବ୍ୟୁରୋ : ରାସ୍ତାରେ ଠିଆ ହୋଇଥିବା କିନ୍ନର ବି ଲୋକଙ୍କ ଜୀବନ ନେଇପାରନ୍ତି । ଏଭଳି ଏକ ଘଟଣାର ପର୍ଦ୍ଦାଫାସ କରିଛି ଯାଜପୁର ପୁଲିସ । ଯାଜପୁର ସୋଡି ଗାଁ ଡବଲ ମର୍ଡର ହତ୍ୟାକାଣ୍ଡରେ ଦୁଇ କିନ୍ନର ଗିରଫ ହୋଇଛନ୍ତି । ଖବର ଅନୁସାରେ, ଗତ ୩ ତାରିଖରେ ସୋଡି ଗାଁ ନିକଟରେ ଜହ୍ନା ଗାଁର ଦୁଇ ଯୁବକ ବିଜୟ ସାହୁ ଓ ମାନସ ଦାସଙ୍କ ମୃତଦେହ ମିଳିଥିଲା । ପୁଲିସ ଏହାକୁ ଦୁର୍ଘଟଣାଜନିତ ବୋଲି ଦର୍ଶାଇ ପ୍ରାଥମିକ ତଦନ୍ତ କରିଥିଲା । ପରେ ଏହା ହତ୍ୟାକାଣ୍ଡ ବୋଲି ଦର୍ଶାଇ ତଦନ୍ତର ଦିଗ ବଦଳାଇଥିଲା । ଅପ୍ରାକୃତିକ ଯୌନ ସମ୍ପର୍କକୁ ନେଇ ଏହି ହତ୍ୟା ହୋଇଥିବା ଜଣାପଡିଛି ।

ଦେହ ବ୍ୟବସାୟକୁ ନେଇ ଦୁଇ କିନ୍ନର , ଭଦ୍ରକର ୫ ଜଣ ଯୁବକ ଓ ମୃତ ଦୁଇ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଯାଜପୁରର ଦୁଇ କିନ୍ନର ଓ ଭଦ୍ରକର ୫ ଜଣ ଯୁବକ ମିଶି ଦୁଇ ଯୁବକଙ୍କୁ ହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ନାବାଳକ ବି ଅଛନ୍ତି । ବଡ କଥା ହେଉଛି, ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥିଲେ ସମସ୍ତ ଅଭିଯୁକ୍ତ । କିନ୍ନରଙ୍କ ସହ ଝଗଡା ପରେ ଏହି ଦୁଇ ଯୁବକଙ୍କୁ ଜୀବନରୁ ହଟାଇବା ପାଇଁ ନିଜର କିଛି ସହଯୋଗୀଙ୍କ ସହାୟତା ଲୋଡିଥିଲେ । ଏହାପରେ ଘଟଣା ସାଂଘାତିକ ରୂପ ନେଇଥିଲା । କିନ୍ନରଙ୍କ ଫୋନ ପାଇ ଘଟଣାସ୍ଥଳରେ ପଂହଚିଥିଲେ ନିକଟରେ ରହୁଥିବା ଭଦ୍ରକ ଅଂଚଳର ୫ ଯୁବକ । ବଚସା ବଢିଥିଲା ଏବଂ ସେଠାରେ ହିଁ ଦୁଇ ଯୁବକଙ୍କୁ ହତ୍ୟା କରିଥିଲେ କିନ୍ନରଙ୍କ ସମେତ ୭ ଜଣ ।

ପରେ ନିଜ ବାଇକରେ ପ୍ରାଣ ହରାଇଥିବା ୨ ଯୁବକଙ୍କ ମୃତଦେହକୁ ଆଗରେ କଲଭର୍ଟ ନିକଟରେ ଫୋପାଡି ଦେଇଥିଲେ । ଉଭୟଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଛି ବୋଲି ଦର୍ଶାଇବା ସହ ପୁଲିସକୁ ଚକମା ଦେବା ପାଇଁ ଚେଷ୍ଟା କରିଥିଲେ ସମସ୍ତ ଅଭିଯୁକ୍ତ । ହେଲେ ନିକଟରେ ଥିବା ସିସିଟିଭିରୁ ମିଳିଥିବା ଖିଅକୁ ଆଧାର କରି ପୁଲିସ ତଦନ୍ତ କରି ମାମଲାର ପର୍ଦ୍ଦାଫାସ କରିଛି । ଏହି ପୁରା ଘଟଣାରୁ ଏକ ବଡ ଦିଗ ସାମ୍ନାକୁ ଆସିଛି । ରାସ୍ତାକଡରେ ଠିଆ ହେଉଥିବା କିନ୍ନର କିଭଳି ହିଂସାତ୍ମକ ଆଚରଣ କରୁଛନ୍ତି ଇଏ ତାର ଏକ ଉଦାହରଣ । ତେବେ ଏହି ଘଟଣାରେ ଭଦ୍ରକର ଜଣେ ନାବାଳକ ସମେତ ୫ ଜଣ ଅଭିଯୁକ୍ତ ଏବଂ ଦୁଇ ଜଣ କିନ୍ନରଙ୍କୁ ପାଣିକୋଇଲି ପୁଲିସ ଗିରଫ କରିଛି। କେସ୍‌ ନମ୍ବର ୨୩୮/୨୧ ଦଫା ୩୦୨, ୨୦୧ ଓ ୩୪ଆଇପିସିରେ ସୋମବାର କୋର୍ଟ ଚାଲାଣ କରାଯାଇଛି।