କନକ ବ୍ୟୁରୋ: ଚୀନରେ କାହିଁକି ବ୍ୟାପିଲା ମାରାତ୍ମକ କରୋନା ଭୂତାଣୁ, ତାକୁ ନେଇ ଭିନ୍ନଭିନ୍ନ କାରଣ ସାମ୍ନାକୁ ଆସିବାରେ ଲାଗିଛି । ପ୍ରଥମେ ଚୀନବାସୀ ଖାଉଥିବା ବାଦୁଡିରୁ ଏହି ଭୂତାଣୁ ବ୍ୟାପିଥାଇ ପାରେ ବୋଲି ସନ୍ଦେହ କରାଯାଉଥିଲା । ଏବେ ଚର୍ଚ୍ଚାକୁ ଆସିଛି ଆଉ ଏକ ସ୍ତନ୍ୟପାୟୀ ପ୍ରାଣୀ ବଜ୍ରକାପ୍ତା । ଚୀନରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୭୧୭ ଓ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ଟପିବା ପରେ ସାରା ବିଶ୍ୱର ଚିନ୍ତା ବଢି ଯାଇଛି । ତେଣୁ ଏହାର କାରଣ ଓ ନିରାକରଣ ପାଇଁ ସବୁ ସ୍ତରରେ ଚାଲିଛି ଗବେଷଣା ।
ଦକ୍ଷିଣ ଚୀନ କୃଷି ବିଶ୍ୱବିଦ୍ୟାଳୟର ଅନସନ୍ଧାନରୁ କରୋନା ଭୂତାଣୁୁ ବ୍ୟାପିବା ପଛରେ ବଜ୍ରକାପ୍ତାର ଭୂମିକା ରହିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଯଦିଓ ଏ ସଂପର୍କରେ କୌଣସି ନିଷ୍କର୍ସରେ ପହଂଚିବା ପାଇଁ ଅଧିକ ଗବେଷଣାର ଆବଶ୍ୟକତା ଥିବା ରିପୋର୍ଟରେ କୁହାଯାଇଛି । ଚୀନକୁ ବେଆଇନ ଭାବେ ବହୁ ସଂଖ୍ୟାରେ ବଜ୍ରକାପ୍ତା ମାଂସ ରପ୍ତାନୀ ହେଉଥିବାରୁ ଏହାକୁ କରୋନା ଭୂତାଣୁର କାରଣ ବୋଲି କୁହାଯାଉଛି ।
କାରଣ ବଜ୍ରକାପ୍ତାରେ ମିଳୁଥିବା ଭୂତାଣୁ ଓ କରୋନା ଆକ୍ରାନ୍ତଙ୍କ ଦେହରେ ମିଳୁଥିବା ଭୂତାଣୁ ମଧ୍ୟରେ ୯୯ ପ୍ରତିଶତ ସମାନତା ରହିଛି । ପ୍ରାୟ ହଜାରେ ଜଣ କରୋନା ଆକ୍ରାନ୍ତଙ୍କ ରକ୍ତ ନମୂନା ପରୀକ୍ଷା ପରେ ଏଭଳି ଏକ ସମ୍ଭାବନା ସାମ୍ନାକୁ ଆସିଛି । ଓଡିଶାରୁ ବହୁ ସଂଖ୍ୟାରେ ବଜ୍ରକାପ୍ତା ମାଂସ ଚୀନକୁ ବେଆଇନ ଭାବେ ରପ୍ତାନୀ ହେଉଥିବା ଖବର ମଧ୍ୟ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ।