ବଣରୁ ବିଦେଶକୁ ଲମ୍ବିଛି ବଜ୍ରକାପ୍ତା ଚୋରା ଚାଲାଣର ଚେର: ୧୦ କେଜିଆ ବଜ୍ରକାପ୍ତା ପାଇଁ ମିଳୁଛି ୧୦ ଲକ୍ଷ । ସୋସିଆଲ ମିଡିଆରେ ହେଉଛି ଡିଲ୍

574

କନକ ବ୍ୟୁରୋ: ବଜ୍ରକାପ୍ତା କାତିରୁ ବୁଲେଟପ୍ରୁଫ ଜ୍ୟାକେଟ୍ । ବଜ୍ରକାପ୍ତା ଅଙ୍ଗପ୍ରତ୍ୟଙ୍ଗରୁ ତିଆରି ହେଉଛି ମୁଲ୍ୟବାନ େଔଷଧ । ବିରଳ ଜନ୍ତୁଙ୍କୁ ନେଇ ଲକ୍ଷାଧିକ ଟଙ୍କାର ଡିଲ କରାଯାଉଛି । ଓଡିଶା ଜଙ୍ଗଲରୁ ବିଦେଶକୁ ଲମ୍ବିଛି ଏହି ଚୋରା କାରବାରର ଚେର । ଆଠଗଡ ବନାଚଂଳରୁ ସପ୍ତାହେ ମଧ୍ୟରେ ଏହି ରାକେଟର ୧୦ ଜଣ ଗିରଫ ହୋଇଥିବା ବେଳେ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ତେବେ ଘଟଣାର ପର୍ଦ୍ଦାଫାସ ପରେ ଭିତିରି କାରବାର ତଥ୍ୟ ପାଇଛି ବନବିଭାଗ ।

ବିଦେଶକୁ ଚାଲାଣ ହେଉଥିବା ବଜ୍ରକାପ୍ତାର ମୁଖ୍ୟ ଖଳନାୟକ କିଏ ? ଏହି କାରବାର ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି? ତାର ସବିଶେଷ ତଥ୍ୟ ପାଇଁ ଏହି ଚୋରାଚାଲାରକାରୀଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି ବନବିଭାଗ । ଏହା ସହିତ ଆନ୍ତର୍ଜାତୀୟ ଲିଙ୍କ ଜଣାପଡିବା ପରେ ବନବିଭାଗର ଅନୁରୋଧକ୍ରମେ ଅଧିକ ତଦନ୍ତ ପାଇଁ ୱାଇଲ୍ଡ ଲାଇଫ୍ କ୍ରାଇମ୍ କଂଟ୍ରୋଲ ବ୍ୟୁରୋର ଟିମ୍ ଓଡିଶାରେ ପହଂଚିଛନ୍ତି ।

ସେପଟେ ସମଗ୍ର ରାଜ୍ୟରେ ଏହି ରାକେଟର ଚେର ଲମ୍ବିଥିବା ଅନୁମାନ କରୁଛି ବନବିଭାଗ । ତେଣୁ କ୍ରାଇମବ୍ରାଂଚର ସ୍ୱତନ୍ତ୍ର ଟାସ୍କ ଫୋର୍ସକୁ ମଧ୍ୟ ତଦନ୍ତ କରିବାକୁ ଅନୁରୋଧ କରାଯାଇଥିବା କହିଛନ୍ତି ପିସିସିଏଫ୍ ।

ତେବେ ଗିରଫ ଅଭିଯୁକ୍ତଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଗୋଟିଏ ୧୦ କେଜିର ବଜ୍ରକାପ୍ତା ପାଇଁ ମିଳୁଛି ପ୍ରାୟ ୧୦ ଲକ୍ଷ ଟଙ୍କା । ସୋସିଆଲ ମିଡିଆ ଦ୍ୱାରା ଡିଲ ହେବା ପରେ କଲିକତା ଦେଇ ଏଗୁଡିକୁ ଚୀନ ଓ ଭିଏତନାମ ପରି ଦେଶକୁ ଚାଲାଣ କରାଯାଉଛି । ଫଳରେ ଚୋରାଚାଲାଣକାରୀଙ୍କ ଲୋଲୁପ ଦୃଷ୍ଟି ପଡିଛି ଏହି ବିରଳ ପ୍ରାଣୀଙ୍କ ଉପରେ ।