କନକ ବ୍ୟୁରୋ : ଓମ୍‌ଫେଡ୍‌ କ୍ଷୀର ଦର ବଢ଼ିବା ପରେ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ଛେନା ଦର ବୃଦ୍ଧି କରିଛନ୍ତି । ଛେନା କିଲୋଗ୍ରାମ ପିଛା ୧୫ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ପନିର୍‌ ଦର ମଧ୍ୟ କିଲୋଗ୍ରାମ୍‌ ପିଛା ୧୮ ଟଙ୍କା ବୃଦ୍ଧି ପାଇଛି । ଏଣୁ ପୂର୍ବରୁ ୧୬୦ ଟଙ୍କା ଦରରେ ବିକ୍ରି ହେଉଥିବା ଛେନା ୧୮୦ ଟଙ୍କା ହୋଇଛି । ସେହିଭଳି ୨୨୦ ଟଙ୍କା ଦରରେ ବିକ୍ରି ହେଉଥିବା ପନିର ୨୪୦ ଟଙ୍କା ହୋଇଛି । ଆଜି ସହିଦ ନଗରସ୍ଥିତ ବାପୁ ରେଷ୍ଟୁରାଣ୍ଟ ପରିସରରେ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ସହ ସମସ୍ତ ଚାଷୀଙ୍କୁ ଏ ବାବଦରେ ଅବଗତ କରାଯାଇଛି । ଛେନାର ଏହି ଦରବୃଦ୍ଧି ଯୋଗୁଁ ବିଭିନ୍ନ ଛେନା ଉତ୍ପାଦଗୁଡ଼ିକର ଦର ସମାନୁପାତିକ ଭାବେ ବଢ଼ିବାକୁ ଯାଉଥିବାରୁ ସମିତି ଗ୍ରାହକମାନଙ୍କର ସହଯୋଗ କାମନା କରିଛି ।

Advertisment

ସମିତିର ସଭାପତି ବିମ୍ବାଧର ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସମ୍ପାଦକ ସୁଜିତ ପୋଦ୍ଦାର, ଉପସଭାପତି ପ୍ରମୋଦ କୁମାର ପୃଷ୍ଟି, ଉପଦେଷ୍ଟା ପ୍ରଶାନ୍ତ କର, ଖୋର୍ଦ୍ଧା ଜିଲ୍ଲା ସଭାପତି ଶିଶିର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । କ୍ଷୀର ଦର ବୃଦ୍ଧି ପାଇଥିବାରୁ ଏହି ଚାଷୀମାନେ ଛେନା ଦର ବୃଦ୍ଧି କରିବା ପାଇଁ ସମିତିକୁ ଅନୁରୋଧ କରିଥିଲେ । ଅନ୍ୟପଟେ ଓମ୍‌ଫେଡ୍‌ କ୍ଷୀର ଦର ଏକ ଟଙ୍କା ବଢ଼ିଲେ ଛେନା ଦର ୫ ଟଙ୍କା ବଢ଼ିବାକୁ ପୂର୍ବରୁ ସମିତି ନିଷ୍ପତ୍ତି ମଧ୍ୟ ନେଇଥିଲା । ବୈଠକରେ ଏହି ସବୁ ପ୍ରସଙ୍ଗ ଉପରେ ଦୀର୍ଘ ଏକ ଘଣ୍ଟା କାଳ ଆଲୋଚନା ହେବା ପରେ ନିଷ୍ପତ୍ତି ନିଆଯାଇଥିବା ବାପୁ ରେଷ୍ଟୁରାଣ୍ଟ ପ୍ରୋ‌ପାଇଟର ପ୍ରମୋଦ ପୃଷ୍ଟି ସୂଚନା ଦେଇଥିଲେ ।

ନକଲି ଛେନା ବା ଅପମିଶ୍ରିତ ଛେନା ବିକ୍ରି ସମ୍ପର୍କରେ ମଧ୍ୟ ସମିତି ବୈଠକରେ ଗୁରୁତ୍ୱର ସହ ଆଲୋଚନା ହୋଇଥିଲା । ଅନେକ ସମୟରେ ଅପମିଶ୍ରିତ ଛେନା ବିକ୍ରି ନେଇ ଅଭିଯୋଗ ହେଉ ଥିବାରୁ ଚାଷୀମାନେ ଯେଭଳି ଅସଲି ଛେନା ପ୍ରସ୍ତୁତ କରିବେ ବା ବିକ୍ରି କରିବେ ତାହା ଉପରେ ଚାଷୀ ମାନେ ଧ୍ୟାନ ରଖିବାକୁ ପରାମର୍ଶ ଦିଆଯାଇଥିଲା । କେବଳ ଅସଲି ଛେନାରେ ହିଁ ଏହି ବର୍ଦ୍ଧିତ ଦର ଲାଗୁ ହେବ ବୋଲି ସମିତି ସ୍ପଷ୍ଟ କରିଥିଲା ।