ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବିସିସିଆଇ ନାରାଜ, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ମିଳିନପାରେ ସ୍ଥାନ ।

225

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ ହୋଇଛି । ଆଫଗାନିସ୍ତାନକୁ ନ୍ୟୁଜିଲାଣ୍ଡ ହରାଇବା ପରେ ଭାରତର ସେମିଫାଇନାଲ ଆଶା ଧୂଳିସାତ୍ ହୋଇଛି । ତେବେ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଆଉ ଏଥିପାଇଁ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଟିମ୍ ଘୋଷଣା କରାଯିବ । ତେବେ ଘୋଷଣା ହେବାକୁ ଥିବା ଟିମରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବାଦ୍ ଦିଆଯାଇପାରେ । କିଛି ସିନିୟର ଖେଳାଳୀଙ୍କୁ ବୋର୍ଡ ବିଶ୍ରାମ ଦେବାକୁ ମଧ୍ୟ ଚିନ୍ତା କରୁଛି ।

ଜଣେ ଅନଫିଟ ଖେଳାଳୀଙ୍କୁ କିଭଳି ଟିମରେ ସାମିଲ କରାଗଲା ତାହାକୁ ନେଇ ଚୟନକର୍ତ୍ତାଙ୍କୁ ପ୍ରଶ୍ନ ପଚାରିପାରେ ବୋର୍ଡ । ଏପରିକି ଆଇପିଏଲ-୨୦୨୧ ପରେ କାହିଁକି ତାଙ୍କୁ ଏନସିଏ ପଠାଗଲା ନାହିଁ । ଏନେଇ ଚୟନ ସମିତି ଓ ଟିମ୍ ମ୍ୟାନେଜମେଣ୍ଟ ଏକ ରିପୋର୍ଟ ବୋର୍ଡ ସାମ୍ନାରେ ରଖିପାରନ୍ତି । ଯେଉଁଥିରେ ହାର୍ଦ୍ଦିକଙ୍କୁ ନେଇ ଅନେକ କିଛି ତଥ୍ୟ ରଖିପାରେ ଟିମ୍ ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତା ସମିତି । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିପକ୍ଷରେ ହାର୍ଦ୍ଦିକଙ୍କୁ ଖେଳାଯାଇଥିଲା । କିନ୍ତୁ ପାକିସ୍ତାନ ବିପକ୍ଷରେ ବୋଲିଂ କରିନଥିଲେ ହାର୍ଦ୍ଦିକ । ଯେଉଁଥିପାଇଁ ଭାରତ ପାଖରେ ୬ଷ୍ଠ ବୋଲରର ବିକଳ୍ପ ଆଉ ନଥିଲା ।

କେବଳ ହାର୍ଦ୍ଦିକ ନୁହଁନ୍ତି ବରଂ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ନେଇ ମଧ୍ୟ ପ୍ରଶ୍ନବାଣର ସମ୍ମୁଖୀନ ହୋଇପାରନ୍ତି ଚୟନକର୍ତ୍ତା ସମିତି ଓ ଟିମ୍ ମ୍ୟାନେଜମେଣ୍ଟ । ବରୁଣ ଫିଟନେସକୁ ନେଇ ସଂଘର୍ଷ କରୁଥିବା ବେଳେ କେଉଁ ଆଧାରରେ ଟିମରେ ସାମିଲ କରାଗଲା ତାହାକୁ ନେଇ ପ୍ରଶ୍ନ ଉଠିପାରେ । ବରୁଣଙ୍କ ସ୍ଥାନରେ ଚହଲଙ୍କୁ ଦଳରେ ସାମିଲ କରାଯିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ । ଆହତ ହେବା ପରେ ହାର୍ଦ୍ଦିକ ଏନସିଏ ଯିବା ପରିବର୍ତ୍ତେ ମୁମ୍ବାଇ ଟିମ୍ ସହ ରହିବାକୁ ପସନ୍ଦ କରିଥିଲେ । ଯାହାକୁ ନେଇ କିଛି ମାତ୍ରାରେ ବିସିସିଆଇ ଖପ୍ପା ଥିବା କୁହାଯାଉଛି । ତେବେ ଟି-୨୦ ବିଶ୍ୱକପ ପରେ ହାର୍ଦ୍ଦିକଙ୍କୁ ଲମ୍ବା ଛୁଟିରେ ପଠାଇପାରେ ବିସିସିଆଇ ଏବଂ ଫିଟନେସ ପାଇଁ ଏନସିଏରେ ହାର୍ଦ୍ଦିକଙ୍କୁ ଝାଳ ବୁହାଇବାକୁ କହିପାରେ ।