କନକ ବ୍ୟୁରୋ : ପାଲଲହଡାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ଚାହିଁଥିଲେ ପାଲଲହଡା ମାଟିର ପ୍ରତି ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରିଥାନ୍ତେ । କିନ୍ତୁ ସେମିତି କିଛି ହେଲାନି । ଗୋଟିଏ ଦସ୍ତଖତରେ ଜବାହାର ନବୋଦୟ ଖୋଲିପାରିଥାନ୍ତେ, କିନ୍ତୁ ଗୋଟିଏ ବି ଜବାହାର ନବୋଦୟ ବିଦ୍ୟାଳୟ ଖୋଲିପାରିଲେନି । ଓଡ଼ିଶା ପିଲା ସବୁବେଳେ ବାହାରକୁ କାମ ପାଇଁ ଯାଉଛନ୍ତି ବୋଲି ଅଭିଯୋଗ ଆଣୁଛନ୍ତି । ନିଜେ ଦକ୍ଷତା ବିକାଶ ମନ୍ତ୍ରୀ ଅଛନ୍ତି, କିନ୍ତୁ ଅଞ୍ଚଳର ପିଲାଙ୍କୁ ଦକ୍ଷ କରିବାକୁ ଦକ୍ଷତା ବିକାଶ କେନ୍ଦ୍ର ଖୋଲିନାହାନ୍ତି । ଏନଏଚ୍-୫୫ ରାସ୍ତା ଶେଷ କରିପାରିଲେନି । ଏହା ହେଉଛି ଏହି ମାଟିରେ ଜନ୍ମ ନେଇ ଏ ଅଞ୍ଚଳକୁ ଭୁଲି ଯାଇଥିବା ଜଣେ ବ୍ୟକ୍ତିଙ୍କ ପରିଚୟ ।
ନିଜ ବ୍ଲକ, ନିଜ ଅଞ୍ଚଳ, ନିଜ ଗାଁରେ ଯଦି କିଛି କରିବେନି ତେବେ କେମିତି ତାଙ୍କୁ ନିଦ ଆସୁଛି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀଙ୍କ ପଞ୍ଚାୟତର ସ୍କୁଲକୁ ୫-ଟିରେ ମୁଖ୍ୟମନ୍ତ୍ରୀ ରୂପାନ୍ତରଣ କରିଛନ୍ତି । ଯଦି କେନ୍ଦ୍ରମନ୍ତ୍ରୀଙ୍କୁ ରୂପାନ୍ତରଣ ଦିଶୁନି ତେବେ ନିଜ ଗାଁ ସ୍କୁଲକୁ ଯାଇ ଦେଖନ୍ତୁ ସେଠାରେ ବ୍ଲାକବୋର୍ଡ ଅଛି ନା ଡିଜିଟାଲ ବୋର୍ଡ ଅଛି । ତେଲମନ୍ତ୍ରୀ ଥିବା ବେଳେ ୩୦୦ କୋଟି ଖର୍ଚ୍ଚ କରି ପୋଷ୍ଟରରେ ନିଜ ଚେହେରା ରଖି ପେଟ୍ରୋଲ ପମ୍ପରେ ଲଗାଇଲେ । ସେହି ପୋଷ୍ଟର ଖର୍ଚ୍ଚରୁ ୧୦% ଯଦି ନିଜ ଗାଁ ପାଇଁ ଖର୍ଚ୍ଚ କରିଥାନ୍ତେ ତେବେ ଗାଁର ଉନ୍ନତି ହୋଇଥାନ୍ତା । ଯେହେତୁ ନିଜ ଜନ୍ମମାଟିରେ କିଛି କଲେନି, ନିଜ ଜନ୍ମମାଟି ପାଇଁ କିଛି କରିନାହାନ୍ତି ସେଥିପାଇଁ ପ୍ରତ୍ୟେକ ନିର୍ବାଚନରେ ତାଙ୍କୁ ଲୋକେ ଉଚିତ୍ ଜବାବ ଦେଇଛନ୍ତି । ସେଥିପାଇଁ ଢେଙ୍କାନାଳ ଛାଡି ସମ୍ବଲପୁର ପଳାଇଲେ ।
ଓଡ଼ିଶାବାସୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଯେଉଁଭଳି ଅସମ୍ମାନ କରୁଛନ୍ତି ତାହା ଦୁଃଖଦାୟକ । ନିଜ ଅଞ୍ଚଳର ବିକାଶ ପାଇଁ କିଛି କରିନଥିବା କେନ୍ଦ୍ରମନ୍ତ୍ରୀଙ୍କର କେମିତି ସାହସ ହେଲା ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବାକୁ । ଏଥିପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପାଲଲହଡାବାସୀ ଓ ଓଡ଼ିଶାବାସୀ କ୍ଷମା ଦେବେନି । ବିକାଶର ରଥକୁ ଆଗେଇ ନେବାକୁ ଶଙ୍ଖ ଚିହ୍ନରେ ଭୋଟ ଦେବେ । ଜୁନ୍ ୯ରେ ଓଡ଼ିଶାର ସେବା କରିବାକୁ ନବୀନ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ ପରେ ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍ ଛାଡ କରାଯିବ । ମୁଖ୍ୟମନ୍ତ୍ରୀ ବିଜୁଳି ଛାଡ କରିବା ବେଳେ ବିରୋଧୀଙ୍କୁ କରେଣ୍ଟ ଲାଗୁଛି । ଏହାସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ଭିକେ ପାଣ୍ଡିଆନ ।