ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ, ଜବାବ ଦେବେ ଓଡ଼ିଶାବାସୀ । ଅତି ଶୋଚନୀୟ ଭାବେ ହାରିବ ବିଜେପି । ହିନ୍ଦୋଳରୁ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ ।

155

କନକ ବ୍ୟୁରୋ : ହିନ୍ଦୋଳରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଅସମ୍ମାନ କରିଛନ୍ତି । ତାଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ଏହା ସମସ୍ତଙ୍କୁ ଦୁଃଖ ଦେଉଛି । ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ପରିବାର ଭାବି ସୁଃଖ ଦୁଃଖରେ ଛିଡା ହେଉଛନ୍ତି । ଏଭଳି ମୁଖ୍ୟମନ୍ତ୍ରୀଙ୍କୁ କେହି ଅସମ୍ମାନ କଲେ ତାଙ୍କୁ ଉଚିତ୍ ଜବାବ ଦେବା ବୋଲି କହିଛନ୍ତି ପାଣ୍ଡିଆନ ।

ବିଜେପୁର ଉପ-ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ପକାଇବାକୁ ଚେଷ୍ଟା କରିଥିଲେ । ଯେଉଁଥିପାଇଁ ବିଜେପି ୪୦ ହଜାରରୁ ଅଧିକ ଭୋଟରେ ହାରିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରି ଆସିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରରୋଚନାରେ କିଛି ବିଜେପି କର୍ମୀ ଅଣ୍ଡାମାଡ କଲେ । ଯେଉଁଥିପାଇଁ ୩୦ରୁ ୩୦ରୁ ଜିଲ୍ଲା ପରିଷଦ ଆସନ ବିଜେପି ହାରିଲା । କେନ୍ଦ୍ରମନ୍ତ୍ରୀ ଦିନ ରାତି ଏକ କରି ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଉଛନ୍ତି, ଏଥର ଓଡ଼ିଶାବାସୀ ଜବାବ ଦେବେ । ଅତି ଶୋଚନୀୟ ଭାବେ ହାରିବ ବିଜେପି । କେନ୍ଦ୍ରମନ୍ତ୍ରୀ ୧୦ ବର୍ଷ ହେବ ମାଟିର ପୁଅ ବୋଲି କହି ବୁଲିବା ସହ ଅଞ୍ଚଳ ପାଇଁ କାମ କରିବାକୁ କହିଥିଲେ । କିନ୍ତୁ ୧୦ ବର୍ଷ ଭିତରେ କିଛି ମଧ୍ୟ କଲେନି । ମାଟିର ସେବା କରିବାକୁ ତାଙ୍କର ଆନ୍ତରିକତା ନାହିଁ । କେବଳ ମୁଖ୍ୟମନ୍ତ୍ରୀଙ୍କ ଚୌକି ପାଇଁ ତାଙ୍କର ଲୋଭ ରହିଛି । ଏଭଳି ଆଶା ରଖିଥିବା ଲୋକ କେବେ ଜନସାଧାରଣଙ୍କ ସେବା କରିବେ ନାହିଁ । ପର୍ଯ୍ୟଟକ ଭଳି ଆସି ବୁଲିକି ଯାଉଥିବା ନେତାଙ୍କୁ ମୁହଁତୋଡ ଜବାବ ଦେବେ । ୨ ଦିନ ତଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ମାଗଣା ବିଜୁଳି ଦେବାକୁ କହିଥିଲେ । ସୋଲାର ପ୍ୟାନେଲ ଜରିଆରେ ସୂର୍ଯ୍ୟ କିରଣରୁ ମାଗଣା ବିଜୁଳି ଦେବାକୁ କହିଛି ବିଜେପି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୯ ତାରିଖରେ ଶପଥ ନେବା ପରେ ବିଜୁଳି ବିଲ୍ ରଦ୍ଦ କରିବାକୁ ପ୍ରଥମ ଦସ୍ତଖତ କରିବେ । ୯୦% ପରିବାରକୁ ବିଜୁଳି ବିଲ୍ ଦେବାକୁ ପଡିବନି । ଏହା ହେଉଛି ନବୀନଙ୍କ ଗ୍ୟାରେଣ୍ଟି । ଡବଲ ଇଞ୍ଜିନ ସରକାର ଦିନରେ ଲଣ୍ଠନ ଦେଖାଇବେ । ଡବଲ ଇଞ୍ଜିନ ସରକାର ଲୋକଙ୍କୁ ଭୁଆଁ ବୁଲାଇବେ, ମିଛ କହିବେ, ଅପପ୍ରଚାର କରିବେ । କେବଳ ନିର୍ବାଚନ ଆସିଲେ ବିଜେପି ନେତାଙ୍କୁ ଏମିତି ଭୂମିକାରେ ଦେଖିବାକୁ ପାଇବେ । ନିର୍ବାଚନ ପରେ ଏମାନଙ୍କୁ ଖୋଜିଲେ ମଧ୍ୟ ପାଇବେନି ।

ପାଣ୍ଡିଆନ କହିଛନ୍ତି, ଆଜି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଥାନ୍ତା ବୋଲି ଖବର ପାଇଥିଲୁ । ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରିଥାନ୍ତେ ଖବର ମିଳିଥିଲା । ୪ରୁ ୫ ଜଣ ବିଜେପିର ଟାଣୁଆ ନେତା ଏଥିପାଇଁ ୯ଟା ବେଳେ ସାମ୍ବାଦିକ ସମ୍ମିଳନୀ କରିଥାନ୍ତେ । କିନ୍ତୁ ନିଜ ନିଜ ଭିତରେ ଝଗଡା ହୋଇଯିବାରୁ ବିଳମ୍ବରେ ପ୍ରେସମିଟ୍ କଲେ ଏବଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେନି । ଏହାସହ ଚ୍ୟାଲେଞ୍ଜ ଦେଇ ପାଣ୍ଡିଆନ କହିଛନ୍ତି ଯଦି ଦମ ଅଛି ତେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି । ନବୀନଙ୍କ ବିରୋଧରେ କାହାକୁ ପ୍ରାର୍ଥୀ କରିବାକୁ ୧୦ ବର୍ଷ ହେଲା ପାଉନାହାନ୍ତି ବୋଲି କହି କଟାକ୍ଷ କରିଛନ୍ତି ପାଣ୍ଡିଆନ ।