କନକ ବ୍ୟୁରୋ : ରଘୁନାଥପାଲ୍ଲୀରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ପାଣ୍ଡିଆନ ନାଁ ନନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହୁଛନ୍ତି, ଓଡ଼ିଶାରେ ଏବେ ପରିବର୍ତ୍ତନର ହାୱା ବହୁଛି, ରାଜ୍ୟ ସରକାରକୁ ଲୋକମାନେ ବଦଳାଇବାକୁ ଚାହୁଁଛନ୍ତି । କିନ୍ତୁ ଓଡ଼ିଶାରେ ବାସ୍ତବରେ ନବୀନ ହାୱା ଚାଲୁଛି । ମହାପ୍ରଭୁଙ୍କ ଆଶୀର୍ବାଦରେ ପୁଣିଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

Advertisment

କେନ୍ଦ୍ରମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇ ପାଣ୍ଡିଆନ କହିଛନ୍ତି, ଯଦି ନବୀନ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନିଅନ୍ତି ତେବେ ମୁଁ ରାଜନୀତିରୁ ସନ୍ୟାସ ନେବି । କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁଯାୟୀ ଯଦି ପରିବର୍ତ୍ତନର ହାୱା ଚାଲୁଛି ତାହାହେଲେ ବିଜେପି ସରକାର ନ ଆସିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି କହିପାରିବେ କି? ଦମ ଥିଲେ ଏହି ଚ୍ୟାଲେଞ୍ଜକୁ କେନ୍ଦ୍ରମନ୍ତ୍ରୀ ଗ୍ରହଣ କରନ୍ତୁ । କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବିଜେପି ଦଳର ବିଶ୍ୱାସ ନାହିଁ । ଓଡ଼ିଶାରେ ବିଜେପି ସରକାର ଗଢିବେ ବୋଲି ତାଙ୍କ ନିଜର ବିଶ୍ୱାସ ନାହିଁ କି ଦଳର କର୍ମୀଙ୍କର ମଧ୍ୟ ବିଶ୍ୱାସ ନାହିଁ । କେନ୍ଦ୍ରମନ୍ତ୍ରୀଙ୍କ ଆତ୍ମବିଶ୍ୱାସ ବଢାଇବାକୁ ବଡ ବଡ ନେତା ଆସୁଛନ୍ତି କିନ୍ତୁ ଏଥିରେ ଫେଲ ମାରୁଛନ୍ତି । ଜୁନ୍ ୪ରେ ଓଡ଼ିଶାବାସୀ ଉଚିତ୍ ଜବାବ ଦେବେ । ଓଡ଼ିଶାବାସୀଙ୍କ ସ୍ନେହ, ଆଶୀର୍ବାଦ ଓ ଭଲପାଇବା ନବୀନ ପଟ୍ଟନାୟକଙ୍କୁ ଶକ୍ତି ଦେଉଛି । ବାହାରୁ ଯିଏ ଆସିଲେ ବି ଓଡ଼ିଶାବାସୀଙ୍କ ଉପରେ ପ୍ରଭାବ ପକାଇବ ନାହିଁ । ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆଦୌ ବିଶ୍ୱାସ କରନ୍ତୁନି । ଏଭଳି କହି ବିରୋଧୀଙ୍କୁ ଟାର୍ଗେଟ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ଭିକେ ପାଣ୍ଡିଆନ ।