କରୋନା ମାଡରେ ଭାଙ୍ଗିଲା ମଧ୍ୟବିତ୍ତଙ୍କ ଅଂଟା : ପିଉ ରିସର୍ଚ ସେଂଟର ତଥ୍ୟ, ଗତବର୍ଷ ମଧ୍ୟବିତ୍ତ ସ୍ତରରୁ ତଳକୁ ଖସିଲେ ୩.୨ କୋଟି ଭାରତୀୟ

ଦୈନିକ ଆୟ ୭ଶହ ଟଙ୍କାରୁ ବି କମ୍

167

କନକ ବ୍ୟୁରୋ : ଗତବର୍ଷର କରୋନା ସଂକ୍ରମଣର ପ୍ରଭାବ ଅର୍ଥନୀତିରେ ଉପରେ ପଡିଛି । ଏହାର ପ୍ରମାଣ ମିଳିଛି ଏକ ଗବେଷଣାର ତଥ୍ୟରୁ । ଆମେରିକାର ପିଉ ରିସର୍ଚ କେନ୍ଦ୍ର କରିଥିବା ସର୍ଭେ ତଥ୍ୟ ଅନୁସାରେ କରୋନା ଭୂତାଣୁ ଜନିତ ମହାମାରୀ ଯୋଗୁଁ ପ୍ରାୟ ୩.୨ କୋଟି ଭାରତୀୟ ମଧ୍ୟବିତ୍ତ ଶ୍ରେଣୀରୁ ତଳକୁ ଖସିଛନ୍ତି ।

ଏହି ରିପୋର୍ଟ ଅନୁସାରେ ରୋଜଗାର ହରାଇବା ଫଳରେ ସେମାନଙ୍କ ଅର୍ଥନୀତି ପ୍ରଭାବିତ ହୋଇଛି । ସେମାନେ ଗରିବ ହୋଇଛନ୍ତି । ମଧ୍ୟବିତ୍ତ ଭାରତୀୟ ଅର୍ଥାତ ଦିନକୁ ୭ଶହରୁ ୧୪ଶହ ଟଙ୍କା ଆୟକରୁ ଥିବା ବ୍ୟକ୍ତିଙ୍କ ସଂଖ୍ୟାରେ ୩.୨ କୋଟି ଲୋକଙ୍କ ସଂଖ୍ୟା କମିଥିବା ପିଉ ରିପୋର୍ଟରେ ଉଲ୍ଲେଖ ରହିଛି । ଅର୍ଥାତ ୩ କୋଟି ୨୦ ଲକ୍ଷ ଲୋକଙ୍କ ଦୈନିକ ଆୟ ୭ଶହ ଟଙ୍କାରୁ ମଧ୍ୟ କମ୍ ।

ମହାମାରୀ ପୂର୍ବରୁ ମଧ୍ୟବିତ୍ତ ଭାରତୀୟଙ୍କ ସଂଖ୍ୟା ୯ କୋଟି ୯୦ ଲକ୍ଷ ଥିବା ବେଳେ କରୋନା ପ୍ରଭାବରେ ଏହି ସଂଖ୍ୟା ଏକ- ତୃତୀୟାଂଶ କମିଯାଇଥିଲା । ବର୍ତମାନ ଦେଶର ମଧ୍ୟବିତ୍ତ ଲୋକଙ୍କ ସଂଖ୍ୟା ୬.୬ କୋଟି ବୋଲି ରିପୋର୍ଟ କହିଛି । କରୋନା ପ୍ରଭାବରେ ଭାରତରେ ଆଶ୍ଚର୍ଯ୍ୟଜନକ ଭାବେ ମଧ୍ୟବିତ୍ତ ପ୍ରଭାବିତ ହୋଇଛନ୍ତି ଏବଂ ଦେଶରେ ଗରିବଙ୍କ ସଂଖ୍ୟା ଚୀନ ତୁଳନାରେ ବେଶ ଅଧିକ ବୃଦ୍ଧି ପାଇଛି ।

ଦେଶରେ ଦୈନିକ ୧୪୦ ଟଙ୍କାରୁ କମ୍ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୭ କୋଟି ୫୦ ଲକ୍ଷ ଲୋକ ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ସେପଟେ ଭାରତର କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା ଦେଶର ଅର୍ଥନୀତିରେ ଏକ ପ୍ରତିକୂଳ ପ୍ରଭାବ ପକାଇବା ଆଶଙ୍କା ରହିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।