କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ କାହାର ଭାଗ୍ୟ ନିର୍ଦ୍ଧାରଣ କରିବ? କାରଣ ଏହି ନିର୍ବାଚନ ଫଳାଫଳକୁ ଆଗାମି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ବୋଲି କୁହାଯାଉଛି । ବିଶେଷକରି ଜିଲ୍ଲାପରିଷଦ ଆସନ ଦଳୀୟ ସଂକେତରେ ଲଢ଼ା ଯାଉଥିବାରୁ ଏଥିରୁ ରାଜ୍ୟର ରାଜନୈତିକ ଚିତ୍ର ସ୍ପଷ୍ଟ ହେବ ବୋଲି ଚର୍ଚ୍ଚା ହେଉଛି । ହେଲେ ଚଳିତ ଥର କେଉଁ ଦଳ କେତେ ଆସନ ପାଇବେ , ସେନେଇ ଭବିଷ୍ୟବାଣୀ ଜାରି ରଖିଛନ୍ତି ରାଜନୈତିକ ଦଳର ନେତା । ବିଜେଡି ୬୫୦ରୁ ଅଧିକ ଜିଲ୍ଳାପରିଷଦ ଆସନ ଦଖଲ କରିବା ନେଇ ଦାବି କରଥିବାବେଳେ, ବିଜେପି କହିଛି, ଗତ ନିର୍ବାଚନ ତୁଳନାରେ ଅଧିକ ଆସନରେ ବିଜୟୀ ହେବ ।
କଂଗ୍ରେସ ବି ସମାନ ଦାବିକୁ ଦୋହରାଇଛି । ଦ୍ୱିତୀୟ ସ୍ଥାନକୁ ଫେରିବା ସହ ୨ଶହରୁ ଅଧିକ ଆସନରେ ବିଜୟୀ ହେବେ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ । ... ୨୦୧୨ରେ ବିଜେଡି ୬୫୧ ଆସନ ଦଖଲ କରିଥିଲା । କଂଗ୍ରେସ ଦ୍ୱିତୀୟ ଦଳ ଭାବେ ୧୨୮ ଆସନ ଜିତିଥିଲା ଓ ବିଜେପି ମାତ୍ର ୩୬ଟି ଆସନରେ ସୀମିତ ରହିଥିଲା । କିନ୍ତୁ. ୨୦୧୭ ନିର୍ବାଚନରେ ରାଜ୍ୟ ରାଜନୀତିରେ ଏକ ବଡ ପରିବର୍ତନ ଦେଖିବାକୁ ମିଳିଥିଲା । ବିଜେପି କଂଗ୍ରେସକୁ ପଛରେ ପକାଇ ରାଜ୍ୟରେ ଦ୍ୱିତୀୟ ସ୍ଥାନକୁ ଚାଲି ଆସିଥିଲା ।
ଏପରିକି ୨୦୧୭ରେ ବିଜେଡିକୁ କଡା ଟକ୍କର ଦେଇଥିଲା ବିଜେପି । ଯେଉଁଥିପାଇଁ ୨୦୧୭ରେ ବିଜେଡି ୪୭୩ ଆସନରେ ବିଜୟୀ ହୋଇଥିବାବେଳେ , ବିଜେପି ୨୯୭ ଓ କଂଗ୍ରେସ ମାତ୍ର ୬୦ଟି ଜିଲ୍ଲାପରିଷଦ ଆସନରେ ବିଜୟୀ ହୋଇଥିଲେ । ଆଉ ଏଥର ବିଜେଡି ୨୦୧୨ର ଫଳାଫଳକୁ ଦୋହରାଇବ ବୋଲି ଦାବି କରୁଛି । ହେଲେ, କାହାକୁ ଲୋକ ଭୋଟ ଦେଇଛନ୍ତି ତିନି ଦିନ ଭିତରେ ତାହା ସ୍ପଷ୍ଟ ହେବ ।