କନକ ବ୍ୟୁରୋ: ରାସନ କାର୍ଡରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ତଦନ୍ତର ଚେତାବନୀ ଦେବା ପରେ ମୋହନ ସରକାର ‘ଆମ ଓଡିଶା ନବୀନ ଓଡ଼ିଶା’ରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାଶ ପାଇଁ କସରତ ଆରମ୍ଭ କରିଛନ୍ତି । ଏନେଇ ପଞ୍ଚାୟତିରାଜମନ୍ତ୍ରୀ ରବି ନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ କରାଯିବ । କାର୍ଯ୍ୟାଦେଶ କିଏ କରାଉଥିଲା ତାହାର ତଥ୍ୟ ପଞ୍ଚାୟତିରାଜ ବିଭାଗ ପାଖରେ ରହିବା କଥା । କିନ୍ତୁ ପଞ୍ଚାୟତ ବିଭାଗର ପ୍ରମୁଖ ସଚିବ ଏବାବଦରେ ଜାଣୁନଥିଲେ ।

Advertisment

ମନ୍ତ୍ରୀଙ୍କ ଚେତାବନୀ ପରେ, ଠିକାଦାର, ନେତା, ଅଫିସରଙ୍କ ଭିତରେ ଛନକା ପଶିଛି । କାହାର କେତେବେଳେ ପାଳି ପଡିବ, କାହା ନାଁ ସାମନାକୁ ଆସିବ ସେ ନେଇ ଛାନିଆ ହୋଇପଡିଛନ୍ତି । ତେବେ ଖୋଳତାଡ କଲେ କାହାକୁ ଧରାଯିବ, କିଏ ଉତ୍ତରଦାୟୀ ତାହା ସବୁଠୁ ବଡ ପ୍ରଶ୍ନବାଚୀ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

ନିର୍ବାଚନର ଅଳ୍ପ କିଛି ମାସ ପୂର୍ବରୁ ଆମ ଓଡିଶା ନବୀନ ଓଡିଶା ନାଁରେ ବିଜେଡି ସରକାର ଏକ ନୂଆ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ପାଇଁ ପ୍ରାୟ ୪ ହଜାର କୋଟି ଟଙ୍କା ପାଣ୍ଠିର ବ୍ୟବସ୍ଥା ମଧ୍ୟ କରିଥିଲେ । ଏବଂ ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା । ଏବେ ସେହି ଟଙ୍କା କେତେ ସ୍ୱଚ୍ଛତାର ସହ ଖର୍ଚ୍ଚ ହୋଇଛି ତାର ହିସାବ ନିକାସ କରିବାକୁ ଯାଉଛି ବିଜେପି ସରକାର।