କନକ ବ୍ୟୁରୋ: ଆସିବାରେ ଲାଗିଛି ପଞ୍ଚାୟତ ଫଳାଫଳ । ତୃତୀୟ ଦିନର ଗଣତି ଭିତରେ ଟ୍ରେଣ୍ଡରେ ଏକତରଫା ଭଳି ଆଗେଇ ଚାଲିଛି ବିଜେଡି । ଆଉ ବିରୋଧୀ ବିଜେପି ଏବେ ଟ୍ରେଣ୍ଡ ହିସାବରେ ବ୍ୟାକଫୁଟରେ ପଡ଼ିଛି । ତେବେ ଏଭଳି ଶୋଚନୀୟ ରେଜଲ୍ଟ ନେଇ ବିଜେପି ସାଂସଦ ସୁରେଶ ପୂଜାରୀ ମୁହଁ ଖୋଲିଛନ୍ତି । କହିଛନ୍ତି, ସବୁ ଭୁଲ ପଛର କାରଣ ଥାଏ, ପରାଜୟର କାରଣ ଥାଏ । ସମୟ ଆସିଛି କାରଣ ପଛର ନିରାକରଣ କରିବାର । ୨୦୧୭ରେ ବରଗଡ଼ର ୨୫ଟା ଜୋନରେ ଜିତିଥିଲୁ । ଆଉ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହାତେଇ ଥିଲୁ । ଚଳିତ ନିର୍ବାଚନରେ ୮ଟା ଅକ୍ତିଆର କରିବାକୁ ଯାଉଛୁ ତେଣୁ ଏଭଳି ରେଜଲ୍ଟରେ ବିଚଳିତ ହେବାର ନାହିଁ । ମୁଁ ରାଜ୍ୟସ୍ତରୀୟ ନେତାଙ୍କୁ ପରାଜୟର କାରଣ ବାବଦରେ ଅବଗତ କରିଛି । ଏବେ ଦଳକୁ ସମୀକ୍ଷା କରିବା ପାଇଁ ପଡ଼ିବ ।
ବିଜେପି ପାଇଁ ନେତୃତ୍ୱର ସଙ୍କଟ ପରାଜୟର କାରଣ କି? ଏନେଇ ସୁରେଶ କହିଛନ୍ତି କି, ଯୋଗ୍ୟ ନେତୃତ୍ୱ ଅଛନ୍ତି । ଖାଲି ଟିକେ ପରସ୍ପର ପ୍ରତି ସ୍ନେହ-ଭଲ ପାଇବା ଦରକାର । ନେତାଙ୍କ ମଧ୍ୟରେ ସମନ୍ୱୟ ରହିବା ଦରକାର । ଭାରତୀୟ ଜନତା ପାର୍ଟିରେ ଭଲ ଖେଳାଳି ଅଛନ୍ତି । ଟ୍ରଫି ଦେଲା ଭଳି ଚାମ୍ପିୟନ ଖେଳାଳି ଅଛନ୍ତି ।
ଏଥର ଆମେ ପରାଜୟ ହୋଇଛୁ ତାହା ସ୍ୱୀକାର କରିବାକୁ ପଡ଼ିବ । କାହିଁକି ଏଭଳି ସ୍ଥିତି ହେଲା ସମସ୍ତଙ୍କୁ ଏନେଇ କାରଣ ଖୋଜି ନିରାକରଣ କରିବାକୁ ପଡ଼ିବ । ଆଉ ଦଳକୁ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ସମୀକ୍ଷା କରି ପ୍ରସ୍ତୁତ ହେବାକୁ ପଡ଼ିବ । ଭାରତୀୟ ଜନତା ପାର୍ଟି ସାମୁହିକ ନେତୃତ୍ୱ ଉପରେ ବିଶ୍ୱାସ କରେ । ଏକା ସାଙ୍ଗରେ ବସ, ଏକା ସାଙ୍ଗରେ ଚିନ୍ତାକର ଏବଂ ଏକା ସାଙ୍ଗରେ କାମକର, ଏହା ଆମ ଦଳର ମନ୍ତ୍ର ତେଣୁ ପରାଜୟର କାରଣ ମୁଁ ଗଣମାଧ୍ୟମରେ ନୁହେଁ ପାର୍ଟିଫୋରମରେ କହିବି । ଦଳର ଏଇଟା ଆଭ୍ୟନ୍ତରୀଣ ମାମଲା ତେଣୁ ଦଳ ଏହାକୁ ସମୀକ୍ଷା କରିବ ।