କନକ ବ୍ୟୁରୋ : ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକଙ୍କ ବଡ ବୟାନ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ କରିବ ମୋହନ ସରକାର । ଗଣମାଧ୍ୟମକୁ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଏହି ଯୋଜନାରେ କିଛି କାମ ହୋଇଛି । କିନ୍ତୁ ଯୋଜନା ବାବଦରେ ବିଭାଗ ଅବଗତ ନାହିଁ । ଏହା କୌଣସି ଯୋଜନା ନଥିଲା । ତୃତୀୟ ମହଲା ମନଟରିଂ କରୁଥିଲା, ବ୍ଲକ ଓ ଡିଆରଡିଏ ଏହାକୁ କାର୍ଯ୍ୟକାରୀ କରୁଥିଲା । ଖୋଳତାଡ ହେଲେ କାହାକୁ ଧରାଯିବ, କିଏ ଉତ୍ତରଦାୟୀ ତାହା ସବୁଠୁ ବଡ ପ୍ରଶ୍ନବାଚୀ ବୋଲି କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ।

Advertisment

କାର୍ଯ୍ୟାଦେଶ କିଏ କରାଉଥିଲା ତାହାର ତଥ୍ୟ ପଞ୍ଚାୟତରାଜ ବିଭାଗ ପାଖରେ ରହିବା କଥା । କିନ୍ତୁ ପଞ୍ଚାୟତରାଜ ବିଭାଗର ପ୍ରମୁଥ ସଚିବ ଏ ବାବଦରେ ଜାଣୁନଥିଲେ । ରାମ ଭରସାରେ ଏହି ଯୋଜନା ଚାଲୁଥିଲା । ଓଡ଼ିଶାର ବିଭିନ୍ନ ପଞ୍ଚାୟତରେ ଯେଉଁ କାମ ହେଉଥିଲା ତାହା ରାମ ଭରସାରେ ଚାଲିଥିଲା । କିଏ କରୁଛି, କେତେ କାମ ହେଉଛି ତାହାର କୌଣସି ତଥ୍ୟ ନଥିଲା । ତେଣୁ ଯେଉଁ ଅନିୟମିତତା ହୋଇଛି ତାହାର ଖୋଳତାଡ କରି ଲୋକଲୋଚନକୁ ଆଣିବୁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ । ଗତ ନିର୍ବାଚନ ପୂର୍ବରୁ ଆମ ଓଡ଼ିଶା, ନବୀନ ଓଡିଶା ଜରିଆରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷର ଅନୁଦାନ ଦେଇଥିଲେ ପୂର୍ବ ସରକାର । ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଏହି ଅର୍ଥ ବ୍ୟୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହି ଯୋଜନାରେ ଅନିୟମିତତାର ଗନ୍ଧ ବାରିଛି ନୂଆ ସରକାର ।