କନକ ବ୍ୟୁରୋ : କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ବସିଛି । ତେବେ ବିଧାନସଭା ଅଧିବେଶନ ଚାଲିଥିବାରୁ କୌଣସି ସୂଚନା ଦେଇନାହାନ୍ତି । କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ସୂଚନା ମିଳିଛି । ମୁଖ୍ୟତଃ ପଂଚାୟତ, ନଗର ଉନ୍ନୟନ ଓ ପୂର୍ତ ବିଭାଗର କିଛି ପ୍ରସ୍ତାବ ଉପରେ ମୋହର ବାଜିଥିବା ଜଣାପଡିଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ପଞ୍ଚାୟତ ପୋଖରୀଗୁଡ଼ିକର ପରିଚାଳନା ଭାର ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବା ନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ମାଛ ଚାଷ ପାଇଁ ପୋଖରୀର ନିଲାମ ପ୍ରକ୍ରିୟା ଏସ୍ଏଚ୍ଜି ଦ୍ବାରା ହିଁ କରାଯିବ । ଆଗକୁ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ବେଶ୍ ଗୁରୁତ୍ବ ବହନ କରୁଛି । ଏହା ସହ ଏସ୍ସିବି ମେଡିକାଲ କଲେଜର ନବୀକରଣ ପ୍ରକଳ୍ପ ପାଇଁ ପୂର୍ବରୁ ଡକାଯାଇଥିବା ଟେଣ୍ଡର୍ରେ ମନୋନୀତ ହୋଇଥିବା ଏଲ୍ ଆଣ୍ଡ୍ ଟି ସଂସ୍ଥାକୁ କାର୍ଯ୍ୟାଦେଶ ଦେବାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ସେହିପରି ଭୂଆସୁଣିରେ ବିଏମ୍ସି ପକ୍ଷରୁ ହେବାକୁ ଥିବା ବାୟୋ ମାଇନିଂ ପ୍ରକଳ୍ପର ଟେଣ୍ଡର୍କୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ଏହା ବାଦ୍ ନଗର ଉନ୍ନୟନ, ପରିବହନ ଓ ପୂର୍ତ୍ତ ବିଭାଗର ଆଉ କିଛି ପ୍ରସ୍ତାବ କ୍ୟାବିନେଟ୍ରେ ପାରିତ ହୋଇଛି ।