ଆସିଲା ପଂଚାୟତ ନିର୍ବାଚନ ରେଜଲ୍ଟ ! ବିଜେଡିକୁ ୪୭୩, ବିଜେପିକୁ ୨୯୭ ଓ କଂଗ୍ରେସକୁ ୬୦ଟି ଆସନ

32

କନକ ବ୍ୟୁରୋ : ପ୍ରକାଶ ପାଇଛି ପଂଚାୟତ ନିର୍ବାଚନର ଫଳାଫଳ । ବିଧିବଦ୍ଧ ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ମୋଟ ୮୪୬ଟି ଜୋନରେ ନିର୍ବାଚନ ହୋଇଥିଲା । ବିଜେଡିକୁ ୪୭୩, ବିଜେପିକୁ ୨୯୭, କଂଗ୍ରେସକୁ ୬୦ ଏବଂ ଅନ୍ୟାନ୍ୟକୁ ୧୬ଟି ଆସନ ମିଳିଛି । ଏହା ଛଡା ଅନ୍ୟ ୩ଟି ଜୋନରେ ଫଳଫଳ ପ୍ରକାଶ କରାଯାଇ ନଥିବା ବେଳେ ଚିତ୍ରକୋଣ୍ଡାର ୨ଟି ଜୋନରେ ନିର୍ବାଚନ ଅନୁଷ୍ଠିତ ହୋଇନାହିଁ ।

ସେହିପରି ନୟାଗଡର ଗୋଟିଏ ଆସନରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି ଏବଂ ନୂଆପଡା କୋମନାର ଗୋଟିଏ ଜୋନରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ନିର୍ବାଚନ ହୋଇନଥିବା ନିର୍ବାଚନ କମିଶନ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ନିର୍ବାଚନ କମିଶନଙ୍କ ଘୋଷଣା ପରେ କିଏ କେଉଁଠି ଜିଲ୍ଲା ପରିଷଦ ଗଠନ କରିବ ସେନେଇ ଚିତ୍ର ସ୍ପଷ୍ଟ ହୋଇଛି । ବିଜେଡି ୧୬ଟି ସ୍ଥାନରେ , ବିଜେପି ୮ଟି ସ୍ଥାନରେ ଏବଂ କଂଗ୍ରେସ ଗୋଟିଏ ଜିଲ୍ଲା ପରିଷଦ ଗଠନ କରିବ । ବିଜେଡି ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନୟାଗଡ, ନୂଆପଡା ଓ ପୁରୀରେ ଜିଲ୍ଲା ପରିଷଦ ଗଠନ କରିବା ସ୍ପଷ୍ଟ ହୋଇଛି ।

ସେହିପରି ବରଗଡ, ବଲାଙ୍ଗିର, ଦେବଗଡ, କଳାହାଣ୍ଡି, ମାଲକାନଗିରି, ମୟୂରଭଂଜ, ସମ୍ବଲପୁର ଓ ସୁବର୍ଣ୍ଣପୁରରେ ବିଜେପି ଜିଲ୍ଲା ପରିଷଦ ଗଠନ ପାଇଁ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛି । କଂଗ୍ରେସ କେବଳ ଗୋଟିଏ ଜିଲ୍ଲାରେ ଜିଲ୍ଲା ପରିଷଦ ଗଢିବ । ଝାରସୁଗୁଡାରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଏହି ନିର୍ବାଚନରେ ଦଳ ସଫଳତା ପାଇଛି ।

ସେହିପରି ୫ଟି ଜିଲ୍ଲାରେ ଝୁଲା ସ୍ଥିତି ରହିଛି । କୌଣସି ବି ଦଳକୁ ବହୁମତ ମିଳିନଥିବାରୁ ଏଠି କିଏ ଜିଲ୍ଲା ପରିଷଦ ଗଠନ କରିବ ତାହା ସ୍ପଷ୍ଟ ହୋଇନାହିଁ । ଗଜପତି, କନ୍ଧମାଳ, ନବରଙ୍ଗପୁର, ରାୟଗଡା ଓ ସୁନ୍ଦରଗଡରେ ଜିଲ୍ଲା ପରିଷଦ କିଏ ଗଢିବ ତାହା ସ୍ପଷ୍ଟ ହୋଇନାହିଁ । ବିଜେଡି, ବିଜେପି କିମ୍ବା କଂଗ୍ରେସକୁ ଏହି ସବୁ ଜିଲ୍ଲାରେ ସ୍ପଷ୍ଟ ବହୁମତ ମିଳି ନାହିଁ । ତେଣୁ ଏହି ସବୁ ଜିଲ୍ଲାରେ ଘୋଡା ବୋପାର ହେବା ସମ୍ଭାବନା ଥିବା ନେଇ ଚର୍ଚ୍ଚା ହେଉଛି ।