ପଞ୍ଚାୟତ ନିର୍ବାଚନ ପ୍ରଚାରରେ କେତେ ଗାଡି ବ୍ୟବହାର କରିପାରିବେ ପ୍ରାର୍ଥୀ ? ଜାଣନ୍ତୁ ଗାଇଡଲାଇନ୍

487

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିପାରିବେ ପ୍ରାର୍ଥୀ ? ନିର୍ବାଚନ କମିଶନ ଏ ନେଇ ଆଦେଶନାମା ଜାରି କରିବା ସହ ପ୍ରଚାରରେ କେତେ ଗାଡି ବ୍ୟବହାର ହୋଇପାରିବ ସେନେଇ ମଧ୍ୟ ଗାଇଡଲାଇନ ଜାରି କରିଛନ୍ତି । ଜିଲ୍ଲା ପରିଷଦ ପ୍ରାର୍ଥୀ ୫ଟି କାର ଓ ୧୦ଟି ବାଇକ ବ୍ୟବହାର କରିପାରିବେ । ସେହିପରି ସରପଞ୍ଚ ୨ଟି କାର୍ ବା ଜିପ୍, ୫ଟି ବାଇକ୍ ବ୍ୟବହାର କରିପାରିବେ । ସମିତି ସଭ୍ୟ ପ୍ରାର୍ଥୀ ବି ୨ଟି କାର୍ ବା ଜିପ ଏବଂ ୫ଟି ବାଇକ୍ ପ୍ରଚାରରେ ବ୍ୟବହାର କରିପାରିବେ ।

ତେବେ ମୋଟର ଯାନ ବ୍ୟବହାର ଦିନଠାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଯାନର ପ୍ରକାର, ତାହାର ପଞ୍ଜିକରଣ ନମ୍ବର, ଗାଡି ମାଲିକଙ୍କ ନାମ ଉପ ଜିଲ୍ଲାପାଳଙ୍କୁ ଏବଂ ପଞ୍ଚାୟତ ସମିତି ଓ ସରପଞ୍ଚ ପ୍ରାର୍ଥୀ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବେ । ଏବଂ ଏହି ଗାଡି ବ୍ୟବହାର ତଥ୍ୟର ୩ଟି ନକଲ ଦାଖଲ କରାଯିବ ।

ଏଥର ପଞ୍ଚାୟତ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିପାରିବେ ପ୍ରାର୍ଥୀ ? ସେନେଇ ରାଜ୍ୟ ନିର୍ବାଚନ କମିଶନ ସ୍ଥିର କରିଛନ୍ତି ଖର୍ଚ୍ଚ ସୀମା । ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ଖର୍ଚ୍ଚ ସୀମା ୫ ଲକ୍ଷ ରହିଛି । ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ୨ ଲକ୍ଷ ଟଙ୍କାର ଖର୍ଚ୍ଚ ସୀମା ନିର୍ଦ୍ଧାରିତ । ପୂର୍ବରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ଥିଲା । ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ୮୦ ହଜାର ଟଙ୍କା ଖର୍ଚ୍ଚ ସୀମା ଥିଲା । ନିର୍ବାଚନ ବେଳେ ଖର୍ଚ୍ଚ ସୀମା ବୃଦ୍ଧି ପାଇଁ ସର୍ବଦଳୀୟ ବୈଠକରେ ଦାବି ହୋଇଥିଲା । ଆଉ ଏବେ ଖର୍ଚ୍ଚ ସୀମା ବୃଦ୍ଧି ଉପରେ ମୋହର ମାରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।