କଲେଜରେ ନିର୍ବାଚନୀ ସଭା : ପ୍ରିନ୍ସପାଲ ଓ ଏସଡିପିଓଙ୍କୁ ନିଲମ୍ବନ ନିର୍ଦ୍ଦେଶ ।

210

କନକ ବ୍ୟୁରୋ : ମହାକାଳପଡା ମା ତାରିଣୀ କଲେଜରେ ନିର୍ବାଚନୀ ସଭା କରିବା ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନଙ୍କ ବଡ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ।  ନିର୍ବାଚନ ସମୟରେ ଆଚରଣ ବିଧି ଉଲ୍ଲଂଘନ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ନିର୍ବାଚନ କମିଶନ ସୁପାରିଶ କରିଛନ୍ତି। କଲେଜର ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଦାଶଙ୍କୁ ନିଲମ୍ବନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖାଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଏବାବଦରେ ନିର୍ବାଚନ କମିଶନଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ।

ସେହିପରି ସାଲେପୁର ଏସଡିପିଓ ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ କରିବାକୁ ପୋଲିସ ଡିଜିଙ୍କୁ ଚିଠି ଲେଖାଯାଇଛି। ତୁରନ୍ତ ଏସଡିପିଓଙ୍କୁ ମୁଖ୍ୟାଳୟରେ ଅବସ୍ଥାପିତ କରିବାକୁ କୁହାଯାଇଛି  । ଉଭୟଙ୍କ ନାଁରେ ଆଇପିସି ସେକ୍ସନ ୧୮୮ ଆଧାରରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କଣ ଥିଲା ପୂରା ଘଟଣା ?

ଦୁଇ ଦିନ ପୂର୍ବେ ମହାକାଳପଡା ମା  ତାରେଣୀ କଲେଜରେ ପଞ୍ଚାୟତ ଭୋଟ ପାଇଁ  ଏକ ସଭାର ଆୟୋଜନ କରାଯାଇଥିଲା । ଆଉ ଏହାର ଆୟୋଜକ କଲେଜ ପ୍ରିନ୍ସିପାଲ ଓ ସାଲେପୁର ଏସଡିପିଓ ଥିବା ଅଭିଯୋଗ ହୋଇଛି । ଏପରିକି କଲେଜ ପରିସରରେ ଶହ ଶହ ଲୋକଙ୍କୁ ଏକାଠି କରି ଆଶାୟୀ ସରପଞ୍ଚ ପ୍ରାର୍ଥୀ ଭୋଟ ମାଗୁଥିବାର ଦେଖିବାକୁ ମିଳିଥିଲା ।

ନିର୍ବାଚନ ସମୟରେ କୌଣସି ପ୍ରଚାର କିମ୍ବା ସଭା ହୋଇପାରିବନି ବୋଲି କୁହାଯାଇଥିବା ବେଳେ କିଭଳି ଶହ ଶହ ଲୋକଙ୍କୁ କଲେଜ ଭିତରକୁ ସଭା କରିବାକୁ ଅନୁମତି ମିଳିଥିଲା । ପ୍ରଥମେ ଏହାକୁ ବନ୍ଧୁ ମିଳନ ସଭା କହି ଖସିଯିବାକୁ ଚେଷ୍ଟା କରିଥିଲେ କଲେଜର ଅଧ୍ୟକ୍ଷ । କିନ୍ତୁ ଭିଡ଼ିଓ ସାମ୍ନାକୁ ଆସିବା ପରେ ସବୁ ସତ ପଦାକୁ ଆସିଥିଲା । କିନ୍ତୁ ପ୍ରଶ୍ନ ଉଠୁଛି କଲେଜରେ ଏଭଳି ସଭା କରିବାକୁ ପ୍ରିନ୍ସପାଲ କାହା ଠାରୁ ଅନୁମତି ଆଣିଥିଲେ? ସବୁଠାରୁ ବଡକଥା ହେଲା, ଦୁଇ ସରକାରୀ କର୍ମଚାରୀ  କିଭଳି ଜଣେ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ତାହା ସମସ୍ତଙ୍କୁ ଚକିତ କରିଥିଲା ।