ନାମାଙ୍କନ ଭିତରେ ପଦ ନିଲାମ ! ୪୪ ଲକ୍ଷରେ ସରପଞ୍ଚ ପଦ ହେଲା ବିକ୍ରି, ବଲାଙ୍ଗୀର ପୁଇଁତଳା ବ୍ଲକରୁ ଆସିଲା ସାଂଘାତିକ ଅଭିଯୋଗ ।

374

କନକ ବ୍ୟୁରୋ :  ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ, ମତଦାନ ଓ ଭୋଟ ଗଣନା ଭଳି ଶବ୍ଦକୁ ନେଇ ଚର୍ଚ୍ଚା ଭିତରେ ସରପଞ୍ଚ ପଦ ନିଲାମର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବଲାଙ୍ଗୀର ପୁଇଁତଳା ବ୍ଲକର ଏକ ପଞ୍ଚାୟତକୁ ୪୪ ଲକ୍ଷ ଟଙ୍କା ଦେଇ ଜଣେ ପ୍ରାର୍ଥୀ ସରପଞ୍ଚ ପଦବୀର ନିଲାମୀ ଜିତିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ୨୦୧୭ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଏଇ ଖବର ସାମ୍ନାକୁ ଆସିବା ପରେ ପୁରା ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପଞ୍ଚାୟତ ନିର୍ବାଚନ ପାଇଁ ସାରାରାଜ୍ୟରେ ରାଜନୀତି ସରଗରମ ଥିବାବେଳେ ବଲାଙ୍ଗୀଲ ଜିଲ୍ଲା ପୁଇଁତଳା ବ୍ଲକ ବିଲେଇସର୍ଡା ପଂଚାୟତରୁ ଆସିଛି ଏମିତି ଏକ ସାଂଘାତିକ ଅଭିଯୋଗ । ନାମାଙ୍କନ କରିବାର ଦିନକ ପୂର୍ବରୁ ବିଲେଇସର୍ଡା ଗାଁରେ ବସିଥିଲା ବୈଠକ । ବୈଠକରେ ଗ୍ରାମବାସୀମାନେ ଇଲେକ୍ସନ ବଦଳରେ ସିଲେକ୍ସନ କରିବାକୁ ନିଷ୍ପତି ନେଇଥିଲେ । ହେଲେ, ଏଥିପାଇଁ ପ୍ରାର୍ଥୀମାନଙ୍କୁ କୁଆଡେ ନିଲାମ ଡାକିବାକୁ କୁହାଯାଇଥିଲା । ଯେଉଁ ପ୍ରାର୍ଥୀ ଗାଁର ମନ୍ଦିର ନିର୍ମାଣ ପାଇଁ ସର୍ବାଧିକ ଟଙ୍କା ଦେଇପାରିବେ ସେ ହିଁ ସରପଞ୍ଚ ହେବେ ବୋଲି କୁହାଯାଇଥିଲା । ସେହି ଅନୁସାରେ ଜଣେ ପ୍ରାର୍ଥୀ ୪୪ ଲକ୍ଷ ଟଙ୍କା ବୋଲି ଡାକିବା ପରେ ତାଙ୍କୁ ହିଁ ସରପଞ୍ଚ ଘୋଷଣା କରାଯାଇଥିବା ଅଭିଯୋଗ ହୋଇଛି ।

ଗାଁରେ ବୈଠକ କଥାକୁ ସ୍ୱୀକାର କରିଥିଲେ ବି ୪୪ଲକ୍ଷ ଟଙ୍କା କଥାକୁ ଖଣ୍ଡନ କରିଛନ୍ତି ଗ୍ରାମବାସୀ । କହିଛନ୍ତିି କୋଭିଡ ସମୟ ହୋଇଥିବାରୁ ନିର୍ବାଚନ ନକରି ସମସ୍ତ ଆଶାୟୀ ପ୍ରାର୍ଥୀଙ୍କୁ ଡାକି ଆଲୋଚନା କରାଯାଇଥିଲା । ଆଉ ଜଣଙ୍କୁ ସରପଞ୍ଚ କରିବା ପାଇଁ ନିଷ୍ପତି ହୋଇଥିଲା । ଯାହାକୁ ସରପଞ୍ଚ କରିବା ପାଇଁ ଗ୍ରାମସଭାରେ ନିଷ୍ପତି ହୋଇଥିଲା, ସେ କାଗଜପତ୍ର କାର୍ଯ୍ୟ ପାଇଁ ୪୪ ହଜାର ଟଙ୍କା ଦେବାକୁ କହିଛନ୍ତି । ଘଟଣା ଉପରେ ନଜର ରଖାଯାଇଥିବା କହିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ।

ଅଭିଯୋଗ ଅନୁସାରେ ଏହି ପଂଚାୟତରେ ୪ଜଣ ଆଶୟୀ ପ୍ରାର୍ଥୀ ଥିଲେ । କିନ୍ତୁ ଗ୍ରାମସଭା କରି ସେମାନଙ୍କ ଉପରେ ଚାପ ସୃଷ୍ଟି କରାଯାଇଥିଲା ଓ ପଦବୀ ପାଇଁ ନିଲାମୀ ଡକାଯାଇଥିଲା । ଶେଷରେ ୪୪ ଲକ୍ଷ ଟଙ୍କାରେ ଡିଲ ହୋଇଥିବା ଅଭିଯୋଗ ହୋଇଛି । ୨୦୧୭ରେ ମଧ୍ୟ ସମାନ ପ୍ରକ୍ରିୟାରେ ଜଣଙ୍କୁ ନିର୍ବାଚିତ କରାଯାଇଥିଲା । ଓ ଏଥିପାଇଁ ସରପଞ୍ଚ ହୋଇଥିବା ପ୍ରାର୍ଥୀ ୭ଲକ୍ଷ ଟଙ୍କା ଦେଇଥିବା  କୁହାଯାଉଛି । ଯାହାକିି ଗଣତନ୍ତ୍ରର ପୂରା ପ୍ରକ୍ରିୟା ଉପରେ ବଡ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି ।