ସୁନ୍ଦରଗଡରେ ପଞ୍ଚାୟତ ନିର୍ବାଚନ  : ନେତାଙ୍କ ଅଙ୍କକଷା ଭୁଲ କରିବେନି ତ ଜନତା?

195

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନପତ୍ର ଦାଖଲ । ନାମାଙ୍କନପତ୍ର ଦାଖଲ ସହ ପଞ୍ଚାୟତ ମୈଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ଆଉ ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଛି ସୁନ୍ଦରଗଡ । ଜିଲ୍ଲାର ଗୋଳିଆ ରାଜନୀତି ହିଁ ସୁନ୍ଦରଗଡର ପଞ୍ଚାୟତ ନିର୍ବାଚନକୁ ରୋଚକ କରିଛି । ତେବେ ଚଳିତଥର ପଞ୍ଚାୟତ ପଲିିଟିକ୍ସରେ କିଏ ପାସ୍ କରିବ ତାହାକୁ ନେଇ ଏବେଠୁ ଆରମ୍ଭ ହୋଇଛି ଅଙ୍କକଷା । ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଉପରେ ସବୁ ଦଳର ନଜର ଥିବାବେଳେ ଦଳୀୟ ଚିହ୍ନରେ ଲଢାଯାଉଥିବା ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିବା ଏବେ ପ୍ରତିଟି ଦଳ ପାଇଁ ପ୍ରାଥମିକତା ପାଲଟିଛି ।

୩୫ଟି ଜିଲ୍ଲା ପରିଷଦ ଆସନ ଥିବା ସୁନ୍ଦରଗଡ ଜିଲ୍ଲାରେ ଚଳିତଥର ହେବାକୁ ଯାଉଛି ଘମାସାନ ନିର୍ବାଚନୀ ଲଢେଇ । କିଏ ଏହି ବିରାଟ ସୁନ୍ଦରଗଡ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବ ତାହାକୁ ନେଇ ଆରମ୍ଭ ହୋଇଗଲାଣି ଗୋଟିଚାଳନା । କାରଣ ଏହି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବା ଜିଲ୍ଲାର ବଡ ନେତାଙ୍କ ପାଇଁ ସମ୍ମାନର ଲଢେଇ ହେବାକୁ ଯାଉଛି । ଏହି ପଦବୀ ହାତେଇବା ସହ ନିଜର ପତିଆରା ବଢାଇବାର ସୁଯୋଗ ପାଇବେ ନେତା । କିନ୍ତୁ ସୁନ୍ଦରଗଡର ଗୋଳିଆ ରାଜନୀତି ଭିତରେ କାହାକୁ ଭରସା କରିବେ ଜନତା, ତାହା ସବୁଠୁ ବଡ ପ୍ରଶ୍ନ?

ଆଦିବାସୀ ବହୁଳ ସୁନ୍ଦରଗଡ ଜିଲ୍ଲା । ୩ ସବଡିଭିନ୍ , ୧୭ ବ୍ଲକ ଓ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି ୩୫ ଗୋଟି ଜିଲ୍ଲା ପରିଷଦ ଆସନ ।  ଗତ ଦୁଇଟି ପଞ୍ଚାୟତ ନିର୍ବାଚନକୁ ଦେଖିଲେ ସ୍ପଷ୍ଟ ବାରି ହୁଏ ଯେ, ସୁନ୍ଦରଗଡ ଭୋଟରଙ୍କୁ ବୁଝିବା ନେତାଙ୍କ ପକ୍ଷେ ସହଜ ନୁହେଁ । କାରଣ ୨୦୧୨ ମସିହାରେ ବିଜେଡି ଖାତାକୁ ଆସିଥିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ । ମୋଟ ୩୫ଟି ଜୋନ ମଧ୍ୟରୁ ୧୯ଟି ବିଜେଡି ଖାତାକୁ ଆସିଥିବା ବେଳେ ୮ଟି କଂଗ୍ରେସ, ୭ଟି ସ୍ୱାଧୀନ ଓ ଜେଏମଏମ ଗୋଟିଏ ଜୋନରେ ବିଜୟୀ ହୋଇଥିଲା । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେଡି ଏଠାରେ ଜିଲ୍ଲା ପରିଷଦ ଗଠନ କରିଥିଲା ।

କିନ୍ତୁ ୨୦୧୭ର ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ୨୦୧୨ରେ ସୁନ୍ଦରଗଡରେ ଗୋଟିଏ ପଦ୍ମ ଫୁଟିନଥିବା ବେଳେ ୨୦୧୭ରେ ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ସାଜିଥିଲା ବିଜେପି । ଉଭୟ ବିଜେଡି ଓ କଂଗ୍ରେସକୁ ବଡ ଝଟକା ଦେଇଥିଲେ ସୁନ୍ଦରଗଡବାସୀ । ଯାହା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ରାଜନୀତିର ଗଣିତକୁ ଓଲଟପାଲଟ କରିଥିଲା । ୨୦୧୭ ରେ ବିଜେଡିକୁ ୧୪ଟି ଜୋନ୍, ବିଜେପିକୁ ୧୩ , କଂଗ୍ରେସକୁ ୫ , ସିପିଏମ , ସିପିଆଇ ଓ ସ୍ୱାଧୀନ ଖାତାକୁ ଯାଇଥିଲା ଗୋଟିଏ ଲେଖାଏଁ ଜିଲ୍ଲା ପରିଷଦ ଜୋନ୍ । ତେଣୁ ଏଭଳି ସ୍ଥିତିରେ କିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବ ତାହାକୁ କିଛି ଦିନ ସସପେନ୍ସ ଦେଖିବାକୁ ମିଳିଥିଲା । ତେବେ ‘ଦେଣ-ନେଣ’ ରାଜନୀତି ବଳରେ ବିଜେଡି-କଂଗ୍ରେସ ଓ ବାମଦଳ ମେଣ୍ଟ  ଏହି ସସପେନ୍ସ ଉପରୁ ପରଦା ହଟାଇଥିଲା । ବିଜେଡିକୁ ଅଧ୍ୟକ୍ଷ ଓ କଂଗ୍ରେସକୁ ମିଳିଥିଲା ଉପାଧ୍ୟକ୍ଷ ପଦ । କିନ୍ତୁ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଶାସକ ବିଜେଡିକୁ ଶେଷ ପର୍ଯ୍ୟନ୍ତ କସରତ କରିବାକୁ ପଡିଥିଲା ।

ଠିକ୍ ସମାନ ସ୍ଥିତି ୨୦୨୨ରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ୨୦୧୭ ପରେ ଦଳବଦଳ ରାଜନୀତି ସୁନ୍ଦରଗଡ ରାଜନୀତିରେ ଅନେକ କିଛି ପରିବର୍ତ୍ତନ ଆଣିଛି ।  ୨୦୧୭ ପଞ୍ଚାୟତ ନିର୍ବାଚନ ବେଳକୁ କଂଗ୍ରେସରେ ଥିବା ଯୋଗେଶ ସିଂ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡି ଦଳକୁ ଯାଇ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି । ଏବେ ସେ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ଦାୟିତ୍ୱରେ ଅଛନ୍ତି । ଆଉ ଏହି ପଞ୍ଚାୟତ ନିର୍ବାଚନ ତାଙ୍କ ପାଇଁ ଏକ ସେମିଫାନାଲ୍ ୨୦୨୪ରେ ପୁଣି ବିଜେଡି ଟିକେଟ୍ ପାଇବା ପାଇଁ । ତେଣୁ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ସହ କିଭଳି ଅଧିକରୁ ଅଧିକ ଜିଲ୍ଲା ପରିଷଦ ଆସନ ଆସିବ ତାହାର ଗୁରୁଦାୟିତ୍ୱ ଏବେ ଯୋଗେଶଙ୍କ ଉପରେ ।

କେବଳ ଯୋଗେଶ ନୁହଁନ୍ତି ୨୦୧୭ରେ କଂଗ୍ରେସ ବିଧାୟକ ଥିବା ଡା. ପ୍ରଫୁଲ ମାଝୀ ୨୦୧୯ରେ କଂଗ୍ରେସରୁ ନିର୍ବାଚନ ହାରିବା ପରେ ୨୦୨୧ରେ ବିଜୁ ଜନତା ଦଳରେ ଯୋଗ ଦେଇ ସାରିଛନ୍ତି । ଆଉ ଏହାସହ ସୁନ୍ଦରଗଡରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିଛି ବିଜେଡି । ଯାହାର ଫାଇଦା ଚଳିତ ପଞ୍ଚାୟତ ନିର୍ବାଚନରେ ଦଳକୁ ମିଳିପାରେ ବୋଲି କୁହାଯାଉଛି ।

ସେହିଭଳି ୨୦୧୭ରେ ବିଜେଡିରେ ଥିବା କୁସୁମ ଟେଟେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡି ଛାଡି ବିଜେପି ଶିବିରକୁ ଯାଇ ନିର୍ବାଚନ ଲଢି ଜିତିବା ସହ ବିଧାୟିକା ଅଛନ୍ତି । ତେଣୁ ତାଙ୍କ ପାଇଁ ମଧ୍ୟ ଏହି ନିର୍ବାଚନ ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ନିର୍ବାଚନମଣ୍ଡଳୀରେ ନିଜର ପ୍ରଭାବ ବିସ୍ତାର କରିବାକୁ ଏହା କୁସୁମଙ୍କ ପାଇଁ ବଡ ସୁଯୋଗ । ତେଣୁ ଏହାକୁ ହାତଛଡା କରିବା ମୁଡରେ ନାହାନ୍ତି କୁସୁମ । ଅନ୍ୟପଟେ ବିଜେପିର ବିଜୟକୁ ସହଜ କରିବାକୁ ସାଂସଦ ଜୁଏଲ ଓରାମଙ୍କ ଶିବିର ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି । ଯେହେତୁ ଦଳ ୨୦୧୭ରେ ଦମଦାର ପ୍ରଦର୍ଶନ କରିଥିଲା, ତେଣୁ ଏହି ଧାରା ବଜାୟ ରଖିବାର ବଡ ଦାୟିତ୍ୱ ଜୁଏଲଙ୍କ ଉପରେ ରହିଛି । ଦଳୀୟ ଚିହ୍ନରେ ଲଢାଯାଉଥିବାରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅକ୍ତିଆର କରିବା ଏବେ ଜୁଏଲଙ୍କ ଫୋକସରେ ରହିଛି ।

ସେହଭଳି ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀ ୨୦୧୭ରେ  ସମତା କ୍ରାନ୍ତି ଦଳରେ ଥାଇ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ହେଲେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ହାତଧରି ଲୋକସଭା ଟିକେଟ ପାଇଥିଲେ ମଧ୍ୟ ପରାଜିତ ହୋଇଥିଲେ ଜର୍ଜ । ଏହାସତ୍ତେ୍ୱ ମଧ୍ୟ ଜର୍ଜଙ୍କର ନିଜସ୍ୱ ଏକ ଭୋଟବ୍ୟାଙ୍କ ରହିଛି । ଯାହା କଂଗ୍ରେସକୁ ପଞ୍ଚାୟତ ନିର୍ବାଚନରେ କିଛି ମାତ୍ରାରେ ସୁହାଇବ । ଯେହେତୁ ଜର୍ଜ ରାଉରକେଲା ସାଙ୍ଗଠନିକ ଜିଲ୍ଲାର ସଭାପତି ରହିଛନ୍ତି ତେଣୁ ପଞ୍ଚାୟତ ଫାଇଟ ତାଙ୍କ ପାଇଁ ସମ୍ମାନର ଲଢେଇ ସାଜିଛି । ୨୦୧୭ରେ କଂଗ୍ରେସର ଯେଉଁ ସ୍ଥିତି ଥିଲା ତାହା ୨୦୨୨ରେ ନାହିଁ ସତ କିନ୍ତୁ କଂଗ୍ରେସ ପୂର୍ବଥର ଭଳି କିଙ୍ଗମେକର ଭୂମିକାରେ ନଜର ଆସିପାରେ ବୋଲି କୁହାଯାଉଛି ।

୨୦୧୭ ପଞ୍ଚାୟତ ନିର୍ବାଚନର ଝଲକ ୨୦୧୯ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା । ୭ ବିଧାନସଭା ଆସନରେ ଭିନ୍ନ ଭିନ୍ନ ଦଳରୁ ବିଧାୟକ ବାଛିଥିଲେ ସୁନ୍ଦରଗଡବାସୀ । ଶାସକ ବିଜେଡି ସମେତ ବିଜେପି, କଂଗ୍ରେସ ଏପରିକି ସିପିଆଇ ବିଧାୟକ ଭିନ୍ନ ଭିନ୍ନ ଆସନରୁ ଜିତିଛନ୍ତି । ତେଣୁ ଭୋଟରଙ୍କ ମୁଡ କଣ ରହିଛି ତାହାର ଅନ୍ଦାଜ ଲଗାଇବା ଏବେ ବି କଷ୍ଟକର । ଭୋଟର କାହା ଆଡକୁ ଢଳିବେ ତାହା ସସପେନ୍ସରେ ଥିବା ବେଳେ ୩ ଦଳ ପାଇଁ ଚିନ୍ତା ବଢିଛି । ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ମୈଦାନକୁ ଓହ୍ଲାଇବେ ସତ କିନ୍ତୁ ପ୍ରକୃତ ପରୀକ୍ଷା ଦେବେ ହେଭିୱେଟ ନେତା । କାରଣ ପତିଆରାର ଲଢେଇରେ କେହି ପଛରେ ରହିବାକୁ ଚାହିଁବେ ନାହିଁ ।