ଉଠୁଛି ପଡୁଛି ପୁରୀ ରାଜନୀତି । ବିଜେପିର ବଳ ବିଜେଡିର ଅନ୍ତଃକନ୍ଦଳ, ବିନା ମୁରବୀରେ କେମିତି ଲଢିବ କଂଗ୍ରେସ ଦଳ?

303

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ ଜଗନ୍ନାଥଧାମ ପୁରୀ ମଧ୍ୟ ଏଥିରେ ପଛରେ ନାହିଁ । ପୁରୀ ଜିଲ୍ଲାର ପ୍ରତି ଗାଁରେ ଏବେ ନିର୍ବାଚନୀ ମାହୋଲ । ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ କିଏ କେଉଁଠି ହେବ ପ୍ରାର୍ଥୀ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ପଞ୍ଚାୟତସ୍ତରରେ ଦଳୀୟ ଚିହ୍ନ ବିନା ସରପଞ୍ଚ, ସମିତି ସଭ୍ୟ ଲଢାଯାଉଥିଲେ ମଧ୍ୟ ପ୍ରାର୍ଥୀଙ୍କ ପଛରେ ଦଳୀୟ ନେତାଙ୍କ ଆର୍ଶୀବାଦ ରହୁଛି । ଆଉ ଏସବୁ ଭିତରେ କିଏ କେଉଁ ଦଳର ଆଶୀର୍ବାଦ ପାଇବ ସେଥିପାଇଁ ସ୍ଥାନୀୟ ନେତାଙ୍କ ଘରେ ଭିଡ ଏଯାବତ କମିନାହିଁ । କିନ୍ତୁ ଜିଲ୍ଲା ପରିଷଦ ସଭ୍ୟ ଦଳୀୟ ଚିହ୍ନ ନେଇ ମୈଦାନକୁ ଓହ୍ଲାଉଥିବାରୁ ଏହାକୁ ହାତେଇବାକୁ ପୁରୀରେ ରାଜନୈତିକ ଦଳ ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମିଳିବ ।

୩୩ଟି ଜିଲ୍ଲା ପରିଷଦ ଆସନକୁ ନେଇ ଗଠିତ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ୨୦୧୭ରେ ବିଜେଡି ଅକ୍ତିଆର କରିଥିଲା । କ୍ଲିନ୍ ସୁଇପ ଠାରୁ ଗୋଟିଏ ପାଦ ଦୂରରେ ରହିଥିଲେ ମଧ୍ୟ ଦଳ ଏଠାରେ ଜବରଦସ୍ତ ପ୍ରଦର୍ଶନ କରିଥିଲା । ୩୨ଟି ଜିଲ୍ଲା ପରିଷଦ ଆସନ ବିଜେଡି ହାତେଇଥିବା ବେଳେ ବିଜେପି ଖାତାକୁ ଆସିଥିଲା ମାତ୍ର ଗୋଟିଏ ଜିଲ୍ଲା ପରିଷଦ ଆସନ । କିନ୍ତୁ ୨୦୨୨ରେ ପୁରୀ ରାଜନୀତି ମୋଡ ବଦଳାଇଛି । ୨୦୧୯ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଏବେ ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପୁରୀ ଜିଲ୍ଲାର ୬ ବିଧାନସଭା ଆସନ ମଧ୍ୟରୁ ୨ ଆସନରେ ବିଜେପି ବିଜୟ ବାନା ଉଡାଇଥିବା ବେଳେ ସାଂସଦ ପ୍ରାର୍ଥୀ ଭାବେ ସମ୍ବିତ ପାତ୍ରଙ୍କୁ ମଧ୍ୟ ଅଦ୍ଭୁତପୂର୍ବ ଭୋଟ ମିଳିଥିଲା । ସମ୍ବିତ ଅଳ୍ପକେ ସାଂସଦ ହେବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ଲୋକେ ପରିବର୍ତ୍ତନ ଆଡକୁ ମୁହାଁଉଥିବାର ସଂକେତ ଦେଇଥିଲେ । ପୁରୀ ରାଜନୀତିର ମାହୋଲ କିଛି ଏଭଳି ବଦଳିଥିବା ବେଳେ ଏବେ ପଞ୍ଚାୟତ ଫାଇଟ ହେବାକୁ ଯାଉଛି । ଆଉ ପଞ୍ଚାୟତ ପରୀକ୍ଷାରେ ବିଜେଡି ନିଜର ପୂର୍ବ ଫଳାଫଳକୁ ବଜାୟ ରଖିବାକୁ ଉଦ୍ୟମ କରିବ । କିନ୍ତୁ ମାଳମାଳ ଆଶାୟୀଙ୍କୁ ନେଇ ବିଜେଡିର ଅନ୍ତଃକନ୍ଦଳ ଏତେ ଅଧିକ ଯେ ଏହା ଦଳ ପାଇଁ ବୁମେରାଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏହା ବିଜେପି ପାଇଁ ବିଜେଡିକୁ ବ୍ୟାକଫୁଟକୁ ଠେଲିବାକୁ ବଡ ସୁଯୋଗ ସୃଷ୍ଟି କରିଛି । ୨୦୧୯ରେ ମିଳିଥିବା ସଫଳତା ଓ ଭୋଟରଙ୍କ ଭରସା ହିଁ ବିଜେପି ପାଇଁ ବଡ ଭୋଟବ୍ୟାଙ୍କ ବୋଲି ଦଳୀୟ ନେତା କହୁଛନ୍ତି । ଅନ୍ୟପଟେ ପଞ୍ଚାୟତ ପରୀକ୍ଷାରେ କଂଗ୍ରେସ ପାସ୍ ହେବ କି ନାହିଁ ତାହା ଏବେ ବି ସନ୍ଦିହାନ । କାରଣ  ନିର୍ବାଚନ ମୁଣ୍ଡ ଉପରେ ଥିଲେ ହେଁ ଦଳ ଏବେ ମଧ୍ୟ ଜିଲ୍ଲାରେ ମୁରବୀବିହୀନ । ଜିଲ୍ଲା ସଭାପତି ପଦ ଏଯାବତ ଖାଲି ପଡିଥିବାରୁ କାହା ନେତୃତ୍ୱରେ ପ୍ରାର୍ଥୀ ପଞ୍ଚାୟତ ପରୀକ୍ଷା ଦେବେ ତାହା ସବୁଠୁ ବଡ ପ୍ରଶ୍ନ ।

ଯେହେତୁ ବିଜେଡି ସରକାରରେ ଅଛି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଜିତିବାର ଆଧାର ହେବ ଏଣୁ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥନରେ ଲଢ଼ିବା ପାଇଁ ଆଶାୟୀଙ୍କ ଲମ୍ବା ଧାଡ଼ି ଲାଗିଲାଣି। ଯାହା ବିଜେଡି ପାଇଁ କିଛି ମାତ୍ରାରେ ଅଡୁଆ ସୃଷ୍ଟି କରିଛି । ତେବେ କାକଟପୁର, ପିପିଲି, ନିମାପଡ଼ା, ସତ୍ୟବାଦୀ, ବ୍ରହ୍ମଗିରିରେ ଦଳର ସ୍ଥିତି ସାମାନ୍ୟ ଭଲ ଅଛି। କିନ୍ତୁ ପୁରୀ ସଦରରେ ଅନ୍ତଃକନ୍ଦଳ ଜଳଜଳ ଦିଶୁଛି। ୨୦୧୯ ସାଧାରଣ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପରାଜୟ ପରେ ତାଙ୍କ ସ୍ଥାନ ନେବାକୁ ପ୍ରତିଯୋଗିତା ଚାଲିଛି। ମହେଶ୍ୱର ତାଙ୍କ ପୁଅ ତଥା ରାଜ୍ୟ ଯୁବ ବିଜେଡି ଉପସଭାପତି ସୁନିଲ ମହାନ୍ତିଙ୍କୁ ରାଜନୀତିକୁ ଆଣିଥିବାବେଳେ ସେପଟେ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଲୋକଙ୍କ ନିକଟତର ହୋଇ ସଦର ଅଞ୍ଚଳରେ ବଳ ଗୋଟାଇବାରେ ଲାଗିଛନ୍ତି। ମହେଶ୍ୱର -ଶୁଭାଶିଷଙ୍କ ମୁହାଁମୁହିଁ ଟକ୍କର ଭିତରେ ପଞ୍ଚାୟତସ୍ତରରେ ବି ଦୁଇ ନେତାଙ୍କ ନେତୃତ୍ବରେ ଆଶାୟୀ ଠିଆ ହେଲେଣି। ଯେଉଁଥିପାଇଁ ପୁରୀ ସଦର ନିର୍ବାଚନମଣ୍ଡଳୀରେ ବିଜେଡି ଭିତରେ ହିଁ ଲଢ଼େଇ ଜୋରଦାର ହେବାକୁ ଯାଉଛି। ବିଜେପି କିନ୍ତୁ ଏଠାରେ ଭଲ ସ୍ଥିତିରେ ରହିଛି। ବିଜେଡି ଅନ୍ତଃକନ୍ଦଳର ପୂର୍ଣ୍ଣ ଫାଇଦା ନେବାକୁ ଅନାଇ ବସିଛି ଦଳ । ସଦରରେ ବିଜେପି ବିଧାୟକ ଥିବାରୁ ଦଳକୁ ଏହା ବେଶ ସୁହାଇଛି । ଅନ୍ୟପଟେ କଂଗ୍ରେସ ଜିତିବା ପାଇଁ ନୁହେଁ ବରଂ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ମୈଦାନକୁ ଓହ୍ଲାଇବ ବୋଲି ପୁରୀ ରାଜନୀତିରେ ଚର୍ଚ୍ଚା ହେଉଛି ।

ସେହିଭଳି ବ୍ରହ୍ମଗିରିରେ ୨୦୧୯ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା ପରାଜୟ ବରଣ କରିଥିଲେ ବି ତାଙ୍କ ଦବଦବା କମିନି। ବିଜେପିକୁ ମାତ୍ ଦେବା ଲାଗି ସେ ପୂର୍ଣ୍ଣ ପ୍ରୟାସ ଚଳାଇଛନ୍ତି। ଇତିମଧ୍ୟରେ ସଂଜୟ ଲୋକଙ୍କ ନିକଟତର ହେବା ସହ ପଞ୍ଚାୟତ ନିର୍ବାଚନ ପାର ହେବାକୁ କ୍ଷେତ୍ର ପ୍ରସ୍ତୁତ ଶେଷ କରିସାରିଲେଣି। ସେପଟେ ବିଜେପି ବିଧାୟକ ଲଳିତେନ୍ଦୁ ମହାପାତ୍ର ମଧ୍ୟ ନିଜର ସମ୍ମାନ ରଖିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ଅନ୍ୟପଟେ ଲଳିତେନ୍ଦୁ କଂଗ୍ରେସର ହାତ ଛାଡିବା ପରେ ଦଳ ଏଠାରେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ପଡିଥିବା ବେଳେ ନିର୍ବାଚନ ଲଢି ଜିତିବାର ଆଉ ଜୁ ନାହିଁ ।

ଏହାବାଦ୍ ପିପିଲି ନିର୍ବାଚନମଣ୍ଡଳୀରେ ଉପ-ନିର୍ବାଚନର ଫଳାଫଳ ବିଜେଡିକୁ ପଞ୍ଚାୟତ ଫାଇଟରେ ଗୋଟିଏ ପାଦ ଆଗରେ ରଖିଛି । ନବାଗତ ବିଧାୟକ ରୁଦ୍ର ମହାରଥୀ ବିଭିନ୍ନ ପଞ୍ଚାୟତ ବୁଲି ସଙ୍ଗଠନକୁ ସୁଦୃଢ କରୁଥିବା ବେଳେ ଦଳରେ ଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଅନ୍ୟପଟେ ଉପ-ନିର୍ବାଚନ ପରାଜୟର ହିସାବନିକାଶ ପଞ୍ଚାୟତ ଲଢେଇରେ ପୂରା କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଆଶ୍ରିତ । ପଞ୍ଚାୟତ ନିର୍ବାଚନର ସଫଳତା ଜରିଆରେ ପୁଣିଥରେ ନିଜର ପତିଆରା ଫେରିପାଇବା ଲକ୍ଷ୍ୟରେ ରହିଛନ୍ତି ଆଶ୍ରିତ ।

 ସେହିଭଳି କାକଟପୁର ଓ ନିମାପଡ଼ାରେ ଦୁଇ ଦୁଇଜଣ ମନ୍ତ୍ରୀ ସମୀର ରଂଜନ ଦାଶ ଓ ତୁଷାରକାନ୍ତି ବେହେରା ଥିବାରୁ ବିଜେଡି ଏଠାରେ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି। କିନ୍ତୁ ନିମାପଡ଼ାରେ ବ୍ଲକ୍‌ ଅଧ୍ୟକ୍ଷ ପଦ ବିଜେଡି ହାତରୁ ଖସି ଯାଇଥିବାରୁ ଓ ବିଜେପି ନାରୀନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ଏହା ନିର୍ବାଚନମଣ୍ଡଳୀ ହୋଇଥିବାରୁ କଡା ଟକ୍କର ହେବ ବୋଲି ଆକଳନ କରାଯାଉଛି । ଏ ଦୃଷ୍ଟିରୁ ସତ୍ୟବାଦୀରେ କିନ୍ତୁ ଦଳ ଭଲ ସ୍ଥିତିରେ ଅଛି। ଏଠି ସର୍ବଦା ବିଜେଡି ଓ କଂ‌ଗ୍ରେସ ଭିତରେ ଟକ୍କର ହୋଇ ଆସିଛି। କିନ୍ତୁ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ଏକପ୍ରକାର ରାଜନୀତିରୁ ଦୂରେଇ ରହିବା ବିଜେଡିକୁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। ୨୦୧୯ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ର ସଂଗଠନକୁ ମଜବୁତ କରିବାକୁ ଲାଗିଥିଲେ ବି ପଞ୍ଚାୟତ ନିର୍ବାଚନ ବୟାନ କରିବ ବିଧାୟକ ଉମା ସାମନ୍ତରାୟଙ୍କ ପ୍ରଭାବ କେମିତି ରହିଛି?

ଏସବୁ ବାଦ୍ ଜିଲ୍ଲାରେ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଗତ ଲୋକସଭା ନିର୍ବାଚନରେ ମୁହାଁମୁହିଁ ହୋଇଥିବା ଦୁଇ ହେଭିୱେଟ ଚେହେରା ପିନାକୀ ମିଶ୍ର ଓ ସମ୍ବିତ ପାତ୍ର ପଞ୍ଚାୟତ ପରୀକ୍ଷା ପାଇଁ ଏବେ ଦିଲ୍ଲୀ ଛାଡି ପଲ୍ଲୀରେ ଡେରା ପକାଇଲେଣି । କାରଣ ଉଭୟ ନେତା ବେଶ ଭଲ ଭାବେ ଜାଣିଛନ୍ତି ପଞ୍ଚାୟତସ୍ତରରେ ନିଜର ଦବଦବା ବଢାଇଲେ ହିଁ ଆଗାମୀ ସାଧାରଣ ନିର୍ବାଚନରେ ସାଂସଦ ହେବାକୁ ସୁଯୋଗ ମିଳିବ । ଖାସକରି ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ପାଇଁ ତୃଣମୂଳସ୍ତରରେ ନିଜର ସଙ୍ଗଠନକୁ ସୁଦୃଢ କରିବାକୁ ପଞ୍ଚାୟତ ନିର୍ବାଚନ ଭଲ ସୁଯୋଗ ବୋଲି କୁହାଯାଉଛି । ସେହିଭଳି ବିଜେପି ସାଂସଦ ପ୍ରାର୍ଥୀ ଥିବା ସମ୍ବିତ ପାତ୍ର ଏହି ପଞ୍ଚାୟତ ପରୀକ୍ଷାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି । କାରଣ ଗତ ସାଧାରଣ ନିର୍ବାଚନରେ ଯେଉଁ ଅଞ୍ଚଳରୁ ଭୋଟ ହାର କମ ମିଳିଥିଲା ସେଠାରେ ଏହି ପଞ୍ଚାୟତ ନିର୍ବାଚନ ମାଧ୍ୟମରେ ନିଜର ସ୍ଥିତି ସୁଦୃଢ କରିବାକୁ ସମ୍ବିତଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି ।  ଏସବୁ ଭିତରେ ପୁରୀରେ ଦ୍ୱିମୁଖୀ ଲଢେଇ ଦେଖିବାକୁ ଥିବା ବେଳେ  କଂଗ୍ରେସ ପଞ୍ଚାୟତ ଫାଇଟରେ ବହୁତ ପଛରେ ପଡିଥିବାର ଦେଖିବାକୁ ମିଳୁଛି ।