ନୟାଗଡ ରାଜନୀତି, ବଢିଲାଣି ତାତି । ବିଜେଡି-ବିଜେପିକୁ ବିପଦ ବିଦ୍ରୋହୀ ପ୍ରାର୍ଥୀ, ଅସ୍ତିତ୍ୱ ବଞ୍ଚାଇବାକୁ କଂଗ୍ରେସର ରଣନୀତି ।

471

କନକ ବ୍ୟୁରୋ : ଗତ କିଛି ଦିନ ପୂର୍ବେ ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଥିଲା ନୟାଗଡ । ବିରୋଧୀ ଡେରା ପକାଇଥିଲେ ନୟାଗଡରେ । ଟାର୍ଗେଟରେ ଥିଲେ ମନ୍ତ୍ରୀ ଅରୁଣ ସାହୁ । ପରୀ ହତ୍ୟାକାଣ୍ଡକୁ ନେଇ ନୟାଗଡରୁ ବ୍ୟାପିଥିବା ନିଆଁ ରାଜଧାନୀ ରାଜନୀତିକୁ ଉଷ୍ମ କରିଥିଲା । ତେବେ ନୟାଗଡରେ ଲାଗିଥିବା ପରୀ ନିଆଁ ଶିଥିଳ ପଡିନଥିବା ବେଳେ ଏବେ ପୁଣିଥରେ ପଞ୍ଚାୟତ ନିର୍ବାଚନର ତାତି ନୟାଗଡ ରାଜନୀତିକୁ ଗରମ କରିଛି । ଉଭୟ ଶାସକ-ବିରୋଧୀ ପଞ୍ଚାୟତ ନିର୍ବାଚନ ବୈତରଣୀ ପାର କରିବାକୁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଚିନ୍ତା ବଢାଇଛି ପ୍ରାର୍ଥୀ ଚୟନ । ଖାସକରି ଜିଲ୍ଲା ପରିଷଦ ଆସନ କିଏ କେତୋଟି ହାତେଇବ ତାହା ଏବେ ସମସ୍ତଙ୍କର ଫୋକସରେ ରହିଛି ।

ଗତ ଜିଲ୍ଲାପରିଷଦ ନିର୍ବାଚନରେ ସମୁଦାୟ ୨୪ ଆସନରୁ ବିଜେଡି ଖାତାକୁ ଏକତରଫା ଭାବେ ୧୯ ଟି ଆସନ ଯାଇଥିବା ବେଳେ ଭାରତୀୟ ଜନତା ପାର୍ଟି ୪ ଆସନ ହାତେଇଥିଲା । ଅବଶିଷ୍ଟ ଗୋଟିଏ ଆସନ ଆମ ଓଡିଶା ପାର୍ଟି ହାସଲ କରିଥିବା ବେଳେ ପରବର୍ତୀ ସମୟରେ ତାହା ବିଜେଡି ଖାତାରେ ଯୋଡି ହୋଇଥିଲା । କିନ୍ତୁ ଚଳିତ ନିର୍ବାଚନରେ ସଂରକ୍ଷଣ ଅଙ୍କ ବଦଳିଛି । ଏକାଧିକ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଅଣସଂରକ୍ଷିତଙ୍କ ତାଲିକା ବଢିଛି । ନୟାଗଡ ବିଧାନସଭା ଅଧିନରେ ଆସୁଥିବା ୬ଟି ଜୋନରେ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ବିଜେଡି ନିଜର ସଙ୍ଗଠନକୁ ସୁଦୃଢ କରିଛି । ତେବେ ମାଳମାଳ ଆଶାୟୀ ଦଳର ଚିନ୍ତାକୁ ଦ୍ୱିଗୁଣିତ କରିଛନ୍ତି । କିଭଳି ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ମ୍ୟାନେଜ କରିହେବ ସେନେଇ ଅରୁଣଙ୍କ ଶିବିରରେ ଅଙ୍କକଷା ଚାଲିଛି । ଯେଉଁଥିପାଇଁ ଦିନରାତି ଏକ କରି ପ୍ରତିଟି ପ୍ରାର୍ଥୀଙ୍କ ସହ ୱାନ ଟୁ ୱାନ ଆଲୋଚନା ଜାରି ରଖିଛନ୍ତି ଅରୁଣ । କାରଣ ଏହି ପଞ୍ଚାୟତ ନିର୍ବାଚନର ଫଳାଫଳ ସହ ଯୋଡି ହୋଇ ରହିଛି ଅରୁଣଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ । ତେଣୁ ପଞ୍ଚାୟତ ନିର୍ବାଚନ ପରୀକ୍ଷାକୁ ହାଲୁକାରେ ନେଉନାହାନ୍ତି ନିର୍ବାଚନ ପରିଚାଳନାରେ ମାହିର ଥିବା ଅରୁଣ ।

ଅନ୍ୟପଟେ ପରୀ ପ୍ରସଙ୍ଗ ଉଠାଇ ଅରୁଣଙ୍କୁ ପଞ୍ଚାୟତ ନିର୍ବାଚନରେ ଚେକମେଟ ଦେବାକୁ ଉଦ୍ୟମ ଆରମ୍ଭ କରିଛି ବିଜେପି । ଆଉ ଏହାର ନେତୃତ୍ୱ ନେଉଛନ୍ତି ଇରାନୀ ରୟ । ଅରୁଣଙ୍କ ଭଳି ଇରାନୀ ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କ ସହ ମୁହାଁମୁହିଁ ଆଲୋଚନା କରିବା ପରେ ଟାଣୁଆ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବାକୁ ଲକ୍ଷ୍ୟ ରଖିଛନ୍ତି । ସବୁଠୁ ବଡ କଥା ହେଲା, ବିଧାନସଭା ନିର୍ବାଚନ ପୂର୍ବରୁ ଅରୁଣଙ୍କ ପତିଆରାକୁ ଚ୍ୟାଲେଞ୍ଜ କରିବା ପାଇଁ ଇରାନୀଙ୍କ ପାଖରେ ଏହା ସବୁଠୁ ବଡ ସୁଯୋଗ । ତେଣୁ କଳେ ବଳେ କୌଶଳେ ଅରୁଣଙ୍କ ପ୍ରଭାବକୁ ନୟାଗଡ ରାଜନୀତିରେ ନିଶ୍ଚିହ୍ନ କରିବାକୁ ଇରାନୀ ପରୀ ପ୍ରସଙ୍ଗକୁ ବଡ ଅସ୍ତ୍ର କରିପାରନ୍ତି ।

ସେହିଭଳି ରଣପୁର ବିଧାନସଭା ଆସନ ଅଧୀନରେ ସମାନ ଭାବରେ ୬ଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ଗତ ନିର୍ବାଚନରେ ୪ଟି ଆସନ ବିଜେପି ଖାତାକୁ ଯାଇଥିଲା । ଚଳିତ ନିର୍ବାଚନ ବେଳକୁ ସ୍ଥିତି କିନ୍ତୁ ଭିନ୍ନ ରହିଛି । ବିଧାୟକ ବଦଳିଛନ୍ତି । ସମସ୍ତ ୬ ରୁ ୬ ଆସନ କବଜା କରିବା ପାଇଁ ବିଧାୟକ ସତ୍ୟନାରାୟଣ ପ୍ରଧାନ ଜୋରଦାର ଉଦ୍ୟମ କରୁଛନ୍ତି । ସେହିଭଳି ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ୱରେ ବିଜେପି ମଧ୍ୟ ତାର ସଂପୂର୍ଣ ଶକ୍ତି ଲଗାଇ ବିଜେଡିକୁ ଶକ୍ତ ଧକ୍କା ଦେବାପାଇଁ ଉଦ୍ୟମ ଜାରି ରଖିଛି । ପୂର୍ବଥର ଅପେକ୍ଷା ଏଥର ରଣପୁରରେ କ୍ଲିନସୁଇପ କରିବା ଲକ୍ଷ୍ୟରେ ରହିଛି ସୁରମାଙ୍କ ଶିବିର ।

୬ ଆସନ ବିଶିଷ୍ଟ ଖଣ୍ଡପଡା ବିଧାନସଭା ଆସନରେ ପୂର୍ବରୁ ୫ ଆସନ ବିଜେଡି ଓ ଗୋଟିଏ ଆସନ ଆମ ଓଡିଶାକୁ ଯାଇଥିଲା । ବିଧାୟକ ସୌମ୍ୟ ରଞ୍ଜନଙ୍କ ବିଜେଡିରେ ଯୋଗଦାନ ପରେ ଏଠାରେ ବିଜେଡି ଏକମାତ୍ର ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ପ୍ରତିପକ୍ଷ ବିଜେପି ପ୍ରାର୍ଥୀ ଦେଉଥିଲେ ମଧ୍ୟ ବିଜେଡିକୁ କାବୁ କରିବା ସହଜ ହେବନାହିଁ ବୋଲି ଅନୁମାନ କରାଯାଉଛି । କେବଳ ଭାପୁର ବ୍ଳକରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହେବାର ସମ୍ଭାବନା ଥିବା ବେଳେ ଶେଷ ମୁହୁର୍ତରେ କିଭଳି ଏହାକୁ ମ୍ୟାନେଜ କରିହେବ ସେନେଇ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଏଠାରେ କଂଗ୍ରେସର ସ୍ଥିତି ଏତେଟା ଭଲ ନଥିବାରୁ ଲଢେଇ ବିଜେଡି-ବିଜେପି ମଧ୍ୟରେ ହେବ ବୋଲି କୁହାଯାଉଛି ।

ସମାନ ୬ ଆସନ ବିଶିଷ୍ଟ ଦଶପଲ୍ଲା ବିଧାନସଭା ଆସନରେ ଗତ ନିର୍ବାଚନରେ ୬ଟି ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିଥିଲା ବିଜେଡି । ତେଣୁ ଏହି ଟ୍ରେଣ୍ଡର ପୁନରାବୃତ୍ତି ଚଳିତଥର ମଧ୍ୟ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଚଳିତଥର ବିଜେଡିର ଏହି ବିଜୟରଥରେ ବ୍ରେକ ଦେବାକୁ ଜୋରଦାର ଉଦ୍ୟମ କରୁଛି ବିଜେପି । ତେବେ ବିଜେଡି ପାଇଁ ଏଠାରେ ବଡ ବିପଦ ସୃଷ୍ଟି କରିପାରନ୍ତି ଟିକେଟ ଆଶାୟୀ ଅସନ୍ତୁଷ୍ଟ ପ୍ରାର୍ଥୀ ।

ଅନ୍ୟପଟେ କଂଗ୍ରେସର ସ୍ଥିତି ଯାହା ପଞ୍ଚାୟତ ନିର୍ବାଚନ ବୈତରଣୀ ପାର କରିବା ଦଳ ପାଇଁ ସେତେଟା ସହଜ ହେବନି । ଦଳର ସ୍ଥିତି ଦେଖି ବରିଷ୍ଠ ନେତା ନିର୍ବାଚନ ଲଢିବାକୁ ମୁହଁ ମୋଡୁଥିବା ବେଳେ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ କଂଗ୍ରେସ ଏଠାରେ ଯୁବ ନେତୃତ୍ୱଙ୍କ ଉପରେ ଭରସା କରିଛି । ତେଣୁ ଏଭଳି ସ୍ଥିତିରେ ଚଳିତଥର ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ କିଏ ହାତେଇବ ତାହା ଏବେ ସବୁଠୁ ବଡ ପ୍ରଶ୍ନ ।