ନବରଙ୍ଗପୁରରେ ନୂଆ ସମୀକରଣ । ବିଜେଡିରେ ପ୍ରଦୀପଙ୍କ ପ୍ରବେଶ, ବିରୋଧୀଙ୍କ ପାଇଁ ହେବନି ତ ଘାତକ?

275

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି । କୋଭିଡ କଟକଣା ଭିତରେ ନିର୍ବାଚନ ହେଉଥିବାରୁ ସଭା ସମିତି ଉପରେ କଟକଣା ଲାଗିଛି ସତ, ତେବେ ନିଜ ସପକ୍ଷରେ ଭୋଟ ହାତେଇବାକୁ ଏବେ ଘର ଘର ବୁଲିବା ଆରମ୍ଭ କଲେଣି ପ୍ରାର୍ଥୀ । ଆଉ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇ ଗାଁ ମୁହାଁ ଏବେ ନେତା । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଚିତ୍ର ରହିଥିବା ବେଳେ ନବରଙ୍ଗପୁରର ପଞ୍ଚାୟତ ନିର୍ବାଚନକୁ ନେଇ ଅଧିକ ଚର୍ଚ୍ଚା । ଏହି ଚର୍ଚ୍ଚା ଏଥିପାଇଁ ବଢିଛି କାରଣ ପଞ୍ଚାୟତ ନିର୍ବାଚନ ଦିନ କେଇଟା ପୂର୍ବରୁ କଂଗ୍ରେସ ଦଳର ଟାଣୁଆ ନେତା ପ୍ରଦୀପ ମାଝୀ ‘ହାତ’ ଛାଡି ‘ଶଙ୍ଖ’ ଫୁଙ୍କିଛନ୍ତି । ଆଉ  ବିଜେଡି ଶିବିରରେ ପ୍ରଦୀପଙ୍କ ଯୋଗଦାନ ଦଳକୁ କେତେ ଫାଇଦା ଦେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ଗତ ଦୁଇଟି ପଞ୍ଚାୟତ ନିର୍ବାଚନରେ ବିଜେଡି ନବରଙ୍ଗପୁରରେ ଜିଲ୍ଲା ପରିଷଦ ଆସନ ହାତେଇଛି । ଆଉ ସେତେବେଳେ ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ସାଜିଥିଲା କଂଗ୍ରେସ ଏବଂ ସବୁଠୁ ବଡ କଥା ହେଲା କଂଗ୍ରେସର ମଙ୍ଗ ଧରିଥିଲେ ଖୋଦ୍ ପ୍ରଦୀପ ମାଝୀ । କିନ୍ତୁ ପରିବର୍ତ୍ତିତ ରାଜନୀତିରେ ପ୍ରଦୀପ ମାଝୀ ଏବେ ବିଜେଡିର ହେଭିୱେଟ ନେତା । ତେଣୁ ନବରଙ୍ଗପୁର ରାଜନୀତିରେ ଏଥର କିଛି ନୂଆ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ନବରଙ୍ଗପୁର ଜିଲ୍ଲାରେ ୨୬ ଗୋଟି ଜିଲ୍ଲା ପରିଷଦ ଜୋନ ରହିଛି ।  ଅଧ୍ୟକ୍ଷ ପଦ ହାତେଇବା ପାଇଁ  ୧୪ଟି ଆସନ ଜିତି ଥିବା ଦଳ  ସଂଖ୍ୟା ଗରିଷ୍ଠତା  ହାସଲ କରିପାରିବ । ଯଦି ବିଗତ ଦୁଇଟି ପଞ୍ଚାୟତ ନିର୍ବାଚନ ଦେଖିବା ତେବେ ୨୦୧୨ ଓ ୨୦୧୭ରେ ବିଜେଡି ସର୍ବ ବୃହତ ଦଳ ଭାବେ ଜିଲ୍ଲା ପରିଷଦ ଆସନ ନିଜ ଅକ୍ତିଆରରେ ରଖିବାରେ ସକ୍ଷମ ହୋଇଛି ।  ୨୦୧୨ରେ ୨୬ ଗୋଟି ଆସନ ମଧ୍ୟରୁ ଏକକ ସଂଖ୍ୟା ଗରିଷ୍ଠତା ଦଳ ଭାବେ ୨୦ ଗୋଟି ଆସନରେ ବିଜୟୀ ହୋଇ ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା ।

କିନ୍ତୁ ୨୦୧୭ରେ ସ୍ଥିତି ବଦଳିଥିଲା, ୨୬ଟି ଆସନ ମଧ୍ୟରୁ ବିଜେଡି ୧୧, କଂଗ୍ରେସ ୮ ଓ ବିଜେପି ୭ଟି ଆସନରେ ବିଜୟୀ ହୋଇଥିଲା । ବିଜେଡି ଏକକ ସଂଖ୍ୟାଗରିଷ୍ଠତା ସ୍ୱପ୍ନକୁ ଭାଙ୍ଗିଥିଲେ ପ୍ରଦୀପ । ମ୍ୟାଜିକ ନମ୍ବର ହାତେଇନଥିଲେ ମଧ୍ୟ ସର୍ବବୃହତ ଦଳ ଭାବେ ଅଧ୍ୟକ୍ଷ ପଦ ହାତେଇଥିଲା ବିଜେଡି । କିନ୍ତୁ ଏବେ ରାଜନୈତିକ ପାଣିପାଗ ସମ୍ପୂର୍ଣ୍ଣ ବଦଳି ଯାଇଛି ।  ପଞ୍ଚାୟତ ନିର୍ବାଚନ ପରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ଗଡ଼ ଥିବା ଡାବୁଗାଁ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ଭୁଜବଳ ମାଝୀଙ୍କୁ ପରାଜିତ କରି ମନୋହର ରନ୍ଧାରୀ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିଭଳି ଉମରକୋଟ ସିଟରେ ବିଜେପି ବିଧାୟକ ଭାବେ ନିତ୍ୟାନନ୍ଦ ଗଣ୍ଡ ବିଜୟୀ ହୋଇଥିଲେ । ତେଣୁ ନବରଙ୍ଗପୁରର ରାଜନୈତିକ ସମୀକରଣ ସାଧାରଣ ନିର୍ବାଚନ ପରେ ପୂରା ଓଲଟପାଲଟ  ହୋଇଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଏହି ଓଲଟପାଲଟ ରାଜନୀତି ବିଜେଡିକୁ ବେଶ ସୁହାଇବ ବୋଲି କୁହାଯାଉଛି । କାରଣ ନବରଙ୍ଗପୁରରେ ବିଜେଡିକୁ ଚ୍ୟାଲେଞ୍ଜ ଦେଉଥିବା ଟାଣୁଆ କଂଗ୍ରେସ ନେତା ପ୍ରଦୀପ ମାଝୀ ନବୀନଙ୍କ ସହଯୋଗୀ ସାଜି ସାରିଛନ୍ତି । ଆଉ ଅନେକ କର୍ମୀଙ୍କୁ ବିଜେଡିରେ ସାମିଲ କରି ବିରୋଧୀ ଶିବିରକୁ ଦୁର୍ବଳ କରିଛନ୍ତି ପ୍ରଦୀପ ।

ତେବେ ପ୍ରଦୀପଙ୍କ ବିଜେଡିରେ ଯୋଗଦାନ ଏହି ନିର୍ବାଚନକୁ ରୋଚକ କରିବା ପଛର ଆଉ ଏକ ବଡ କାରଣ ହେଉଛି ଦଳରେ କାହାର ପତିଆରା ବଢିବ । କାରଣ ପୂର୍ବରୁ ସାଂସଦ ରମେଶ ମାଝୀ ହିଁ ଜିଲ୍ଲାରେ ବିଜେଡିର ସବୁଠୁ ବଡ ଚେହେରା ସାଜିଥିଲେ । କିନ୍ତୁ ଦଳରେ ପ୍ରଦୀପଙ୍କ ଏଣ୍ଟ୍ରି  ରମେଶଙ୍କ ପ୍ରଭାବକୁ ହ୍ରାସ କରିବାକୁ ଯଥେଷ୍ଟ ବୋଲି ଚର୍ଚ୍ଚା ହେଉଛି । କାରଣ ପ୍ରଦୀପ ଜଣେ ଦୃଢ ସଙ୍ଗଠକ ଭାବେ ଜଣାଶୁଣା । ଏହାଛଡା ବିଜେଡିରେ ତାଙ୍କୁ ଗରୁଦାୟିତ୍ୱ ମିଳିବାର ପ୍ରତିଶ୍ରୁତି ମିଳିବା ପରେ ହିଁ ସେ କଂଗ୍ରେସର ହାତ ଛାଡିଛନ୍ତି ବୋଲି ଚର୍ଚ୍ଚା ହୁଏ ।  ତେଣୁ ଚଳିତ ପଞ୍ଚାୟତ ନିର୍ବାଚନରେ ଉଭୟ ନେତା ଚାହିଁବେ ସେମାନଙ୍କ ସମର୍ଥିତ ପ୍ରାର୍ଥୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବସନ୍ତୁ । ଯାହାଦ୍ୱାରା ଜିଲ୍ଲା ରାଜନୀତିକୁ ନିଜେ କଣ୍ଟ୍ରୋଲ କରିପାରିବେ । ଆଉ ଏହି ସ୍ଥିତି ହିଁ ଦଳ ପାଇଁ ବୁମେରାଂ ହୋଇପାରେ ।

ଅନ୍ୟପଟେ କଂଗ୍ରେସର ହାତ ପ୍ରଦୀପ ମାଝୀ ଛାଡିବା ପରେ ଏଠାରେ ଦଳର ମଙ୍ଗ ସମ୍ଭାଳିଛନ୍ତି ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ । ଦଳ ଛାଡିଥିବା ଅନେକ ପୁରୁଣା ନେତାଙ୍କ ହାତ ଧରି କଂଗ୍ରେସକୁ ସଶକ୍ତ କରୁଛନ୍ତି ମୁନ୍ନା । ଯେହେତୁ ଦଳର ଏଠାରେ କିଛି ପାରମ୍ପରିକ ଭୋଟ ରହିଛି ତେଣୁ ସେହି ଆଧାରରେ ଆଗକୁ ବଢୁଛି କଂଗ୍ରେସ । ଏପରିକି ଦଳରେ ସେଭଳି ଗୋଷ୍ଠୀକନ୍ଦଳ ନଥିବା ବେଳେ ଆଗୁଆ ପ୍ରାର୍ଥୀ ଘୋଷଣା କରି କଂଗ୍ରେସ ପଞ୍ଚାୟତ ଫାଇଟରେ ନିଜର ପଞ୍ଝାକୁ ଆହୁରି ମଜବୁତ କରୁଛି । ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଆବଶ୍ୟକୀୟ ଆସନ ଜିତିନପାରିଲେ ମଧ୍ୟ ଦଳ ଏଠାରେ କିଙ୍ଗମେକର ଭୂମିକାରେ ଉଭା ହେବ ବୋଲି କୁହାଯାଉଛି ।

ସେହିଭଳି ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ୭ଟି ଜିଲ୍ଲା ପରିଷଦ ଜୋନ ହାତେଇଥିବା ବିଜେପି ଏଥର ଏହି ସଂଖ୍ୟାକୁ ବଢାଇବା ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ । ଆଉ ଏହି ଚ୍ୟାଲେଞ୍ଜକୁ ବଳ ଯୋଗାଇବ ଉମରକୋଟ ବିଧାନସଭା ଆସନ । କାରଣ ଉମରକୋଟର ବିଧାୟକ ପଦ ଏବେ ବିଜେପି ହାତରେ ରହିଥିବା ବେଳେ ଏହା ଅଧିନରେ ଆସୁଥିବା ୪ ଜିଲ୍ଲା ପରିଷଦ ଜୋନକୁ ଅକ୍ତିଆର କରିବା ଲକ୍ଷ୍ୟରେ ରହିଛି ଦଳ । କିନ୍ତୁ ପୂର୍ବରୁ ଯେହେତୁ ବିଜେଡି ଏଠାରେ ବିଜୟୀ ହୋଇ ଆସୁଥିଲା ତେଣୁ ଉମରକୋଟ ଗଡ ଦଖଲ କରିବାକୁ ଦଳ ପକ୍ଷରୁ ମଧ୍ୟ ଜୋରଦାର ଉଦ୍ୟମ କରାଯାଉଛି । ଏପରିକି ଉମରକୋଟ ନଚେତ ରାଇଘର ବ୍ଲକରୁ କାହାକୁ ଅଧ୍ୟକ୍ଷ ପଦରେ ବସାଇବାକୁ ସାଙ୍ଗଠନିକ ଦୃଷ୍ଟିକୋଣରୁ ବିଚାର କରାଯାଉଛି । ଯାହା ବିଜେଡିକୁ ଫାଇଦାରେ ରଖିବ ବୋଲି କୁହାଯାଉଛି ।  ତେଣୁ ଚଳିତ ପଞ୍ଚାୟତ ନିର୍ବାଚନରେ ୩ ଦଳ ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି ।