ପଞ୍ଚାୟତ ନିର୍ବାଚନ : ମାଲକାନଗିରି ଦେଖିବ ମହାଲଢେଇ । କ୍ଷମତାକୁ ଫେରିବାକୁ ଜି ଜାନ ଲଗାଇଛି ଶାସକ ଦଳ, ଚେକମେଟ୍ ଦେବାକୁ ବିରୋଧୀ ଗୋଟାଉଛନ୍ତି ବଳ ।

212

କନକ ବ୍ୟୁରୋ : ନେତା ବାଛିବେ ଗାଁ ଜନତା  । ପଞ୍ଚାୟତ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏବେ ଗାଁ ମୁହାଁ ରାଜନେତା । କୋଭିଡ କଟକଣା ଯୋଗୁ ପ୍ରଚାର କାର୍ଯ୍ୟରେ ଏକ ବଡ ଧରଣର ବାଧକ ସୃଷ୍ଟି ହୋଇଛି ସତ । ତଥାପି ଉପାନ୍ତ ଅଞ୍ଚଳରେ ନିର୍ବାଚନର ମାହୋଲ ସ୍ପଷ୍ଟ ବାରି ହେଉଛି । ନେତା ମାନେ ଗାଁ କୁ ଗାଁ ଘୁରି ବୁଲୁଛନ୍ତି । ନିଜ ଆଭିମୁଖ୍ୟ ସମ୍ପର୍କରେ ଗାଁ ଲୋକଙ୍କୁ ବୁଝାଉଛନ୍ତି । ସଭା ସମିତିର ଆୟୋଜନ କରୁଛନ୍ତି । ବିଶେଷ କରି ମାଲକାନଗିରି ଜିଲ୍ଲା, ଯେଉଁଠି ଅଧିକାଂଶ ଗ୍ରାମାଞ୍ଚଳରେ ମୋବାଇଲ ନେଟଓର୍କ ନାହିଁ । ସେଇଠି ନେତାଙ୍କ ଡିଜିଟାଲ ପ୍ରଚାର କେମିତି ଫଳପ୍ରଦ ହେବ? ତେଣୁ ଲୁଚାଛପାରେ ନେତାଙ୍କ ସୁଅ ଛୁଟୁଛି ଦୁର୍ଗମ ତଥା ଅପହଞ୍ଚ ଇଲାକାକୁ । ଆଉ ଏହି ରେସରେ ଶାସକ ଦଳ ଆଗରେ ଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଶିବିର ସେତେଟା ସକ୍ରିୟ ଥିବା ଜଣାପଡୁନି ।

ମାଲକାନଗିରି ଜିଲ୍ଲାରେ ଦବଦବା କାହାର..

ମାଲକାନଗିରି ଜିଲ୍ଲାରେ ୧୫ଟି ଜିଲ୍ଲା ପରିଷଦ ଜୋନ ଥିବା ବେଳେ ୫ଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ସ୍ଥିର ହୋଇଛି ।  ପୂର୍ବରୁ ମାଲକାନଗିରିରେ ବିଜେଡି ବିଜୟର ବାନା ଉଡାଇ ଆସୁଥିବା ବେଳେ ୨୦୧୭ରେ କିନ୍ତୁ ବଡ ଝଟକା ଲାଗିଥିଲା । ସେହିଭଳି ୨୦୧୨ରେ ମାତ୍ର ଗୋଟିଏ ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇଥିବା ବିଜେପି ୨୦୧୭ରେ ବିଜେଡିକୁ ଜୋରଦାର ଝଟକା ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା । ୨୦୧୨ରେ ବିଜେପିର ଅବସ୍ଥା ଯାହା ଥିଲା ୨୦୧୭ରେ ବିଜେଡିକୁ ସମଦଶା ଭୋଗିବାକୁ ପଡିଥିଲା । ୨୦୧୭ ପଞ୍ଚାୟତ ନିର୍ବାଚନରେ ମାଲକାନଗିରି ଜିଲ୍ଲାର ମୋଟ ୧୫ଟି ଜିଲ୍ଲା ପରିଷଦ ଜୋନରୁ ୧୩ଟି ଆସନରେ ନିର୍ବାଚନ ହୋଇଥିଲା । ତେବେ ୧୩ଟି ଆସନରୁ ବିଜେଡି ମାତ୍ର ଗୋଟିଏ ଜୋନରେ ଖାତା ଖୋଲି ପାରିଥିଲା । ମାଲକାନଗିରି ଜୋନ – ୩ର ଧନ ତାଙ୍ଗୁଲୁ ମାତ୍ର ୨୨୩୦ ଭୋଟରେ ବିଜୟ ଲାଭ କରି ଶାସକ ଦଳର ଏକମାତ୍ର ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜେଡିର ଅସ୍ତିତ୍ୱକୁ ବଞ୍ଚାଇଥିଲେ ।  ସମଗ୍ର ଜିଲ୍ଲାରେ ବିଜେଡି ମାତ୍ର ୨୩.୫୪ ପ୍ରତିଶତ ଭୋଟ ହାତେଇ ଥିବା ବେଳେ ବିଜେପି ୪୨.୫୨ ପ୍ରତିଶତ ଭୋଟ ପାଇ ୧୦ଟି ଆସନରେ ବିଜୟ ଲାଭ କରି ନିଦ୍ୱନ୍ଦ୍ୱର୍ରେ ପରିଷଦ ଗଠନ କରିଥିଲା । ଆଉ କଂଗ୍ରେସ ଦଳ ବିଜେଡି ଠାରୁ ଗୋଟିଏ ଆସନ ଅଧିକ ପାଇ ନିଜର ଦମଦବା ଜାହିର କରିଥିଲା । ତେବେ  ମାଓବାଦୀଙ୍କ ବିରୋଧ ଯୋଗୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳିର ୨ ଟି ଆସନରେ ଆଦୌ ଭୋଟ ହୋଇ ପାରିନଥିଲା । କିନ୍ତୁ ଏଥର ଚିତ୍ରକୋଣ୍ଡା ବ୍ଲକର ଦୁଇଟି ଜୋନ ରେ ନିର୍ବାଚନ ହେବା ନେଇ ଆଶା ସଞ୍ଚାର ହୋଇଛି । କାରଣ ମାଓ ଗତିବିଧି କମି ଆସି ଥିବା ବେଳେ ପୋଲିସ ସୁରକ୍ଷାବଳୟ ଭିତରେ ରହିଛି ଚିତ୍ରକୋଣ୍ଡା ।

କିଏ ହେବେ ଅଧ୍ୟକ୍ଷା..

ଗତ ୨୦୧୨ ମସିହାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି (ମହିଳା ବର୍ଗ) ଲାଗି ସଂରକ୍ଷିତ ରହି ଥିବା ବେଳେ ୨୦୧୭ ରେ ଏହା ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖା ଯାଇଥିଲା । ଆଉ ୨୦୨୨ରେ ପୁଣି ମାଲକାଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦକୁ ଅନୁସୂଚିତ ଜନଜାତି ମହିଳା ବର୍ଗ ପାଇଁ ସଂରକ୍ଷିତ ରଖାଯାଇଛି । ବିଜୁ ଜନତା ଦଳ ପକ୍ଷରୁ କଂଗ୍ରେସ ଫେରନ୍ତା ଲକ୍ଷ୍ମୀପ୍ରିୟା ନାୟକଙ୍କ ନାଁ ଉପରେ ଏକ ପ୍ରକାର ମୋହର ମାରିଥିବା ବେଳେ ବିଜେପି ଓ କଂଗ୍ରେସ କିନ୍ତୁ ଏଯାଏଁ ନିଜ ପତ୍ତା ଖୋଲି ନାହାନ୍ତି । ଲକ୍ଷ୍ମୀପ୍ରିୟା ନାୟକ ଦୁଇ ଦୁଇ ଥର ସମିତି ସଭ୍ୟା ଭାବେ ବିଜୟ ଲାଭ କରି ମାଥିଲି ବ୍ଲକ ଅଧ୍ୟକ୍ଷା ରହିଛନ୍ତି । ଏହାଛଡା ମାଲକାନଗିରି ଜିଲ୍ଲାରେ ପ୍ରଦୀପ ମାଝୀଙ୍କ ଆନୁଗତ ଭାବେ ସେ ଜଣା ଶୁଣା । ତେବେ ପ୍ରଦୀପ ମାଝୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଦଳ ରେସରେ ଆଗରେ ରଖିଥିବା ଚର୍ଚ୍ଚା ହେଉଛି । ଏହାଦ୍ୱାରା ଶାସକ ଦଳ ଗୋଟିଏ ଗୁଳିରେ ୨ଟି ଶିକାର କରିବା ଲକ୍ଷ୍ୟରେ ରହିଛି । ପ୍ରଥମତଃ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ଲକ୍ଷ୍ମୀପ୍ରିୟାଙ୍କୁ ଥଇଥାନ କରାଯିବ, ଅନ୍ୟପଟେ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ମଧ୍ୟ ସନ୍ତୁଷ୍ଟ କରାଯାଇପାରିବ । ତେବେ ବିଜେପି ଏଠାରେ ଗତଥର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିବାରୁ ମାପିଚୁପି ଗୋଟି ଚାଳନା କରୁଛି । ଦଳରେ ଯେପରି କୌଣସି ଗୋଷ୍ଠୀ କନ୍ଦଳ ଦେଖାନଦେବ ସେଥିପାଇଁ ଶାସକ ଦଳର ପ୍ରାର୍ଥୀ ଚୟନ ଉପରେ ନଜର ରଖିଛି । କଂଗ୍ରେସର ପାରମ୍ପରିକ ଭୋଟବ୍ୟାଙ୍କ ଥିବାରୁ ଦଳ ଏହାକୁ ଧରି ଆଗକୁ ବଢିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି । ଏସବୁ ଭିତରେ ଚଳିତଥର ମାଲକାନଗିରିରେ ତ୍ରିମୁଖୀ ଲଢେଇର ଆକଳନ କରାଯାଉଥିବା ବେଳେ ଜିଲ୍ଲା ପରିଷଦରେ କିଏ କେତୋଟି ଜୋନରେ ବାଜି ମାରିବ ତାହାର ଅନ୍ଦାଜ ଲଗାଇବା କଷ୍ଟକର ହୋଇପଡିଛି ।

ବଙ୍ଗୀୟ ଭୋଟରଙ୍କ ହାତରେ ଚାବି…

ମାଲକାନଗିରି ଜିଲ୍ଲାରେ ୭ଟି ବ୍ଲକରେ ମୋଟ ୧୧୧ଟି ଗ୍ରାମପଞ୍ଚାୟତ ରହିଛି । ଆଉ ଏଥର ୩୫୩୮୪୩ ଭୋଟର ନିଜ ନିଜ ମତ ସାବ୍ୟସ୍ତ କରି ନିଜ ନିଜ ଓାର୍ଡ ମେମ୍ବର, ସରପଂଚ, ସମିତି ସଭ୍ୟ ଓ ୧୫ଟି ଜିଲ୍ଲା ପରିଷଦ ସଭ୍ୟ ବାଛିବେ । ତେବେ ମାଲାକନଗିରି ଜିଲ୍ଲା ଅଦିବାସୀ ବହୁଳ ଜିଲ୍ଲା ହୋଇଥିଲେ ହେଁ, ଏଠାରେ ବଙ୍ଗୀୟ ଭୋଟରଙ୍କ ହାତରେ ରହିଛି ବିଜୟର ଅସଲ ଚାବି କାଠି । କାରଣ ଜିଲ୍ଲାରେ ଆଦିବାସୀ ଭୋଟରଙ୍କୁ ବାଦ ଦେଲେ ଜିଲ୍ଲାରେ ପ୍ରାୟ ୧୯୫୦୦୦ ଅନୁସୁଚିତ ଜାତି ବର୍ଗର ଭୋଟ ରହିଛି । ତେବେ ଏହି ୧୯୫୦୦୦ ଭୋଟର ମାନଙ୍କ ମଧ୍ୟରୁ ପ୍ରାୟ ଦେଢ ଲକ୍ଷ ବଙ୍ଗୀୟ ଭୋଟର ରହିଛି । ବିଶେଷ କରି କାଲିମେଳା – ୧, କାଲିମେଳା – ୨, କାଲିମେଳା – ୩, ପଡିଆ, କୋରୁକୋଣ୍ଡା -୧ , କୋରୁକୋଣ୍ଡା – ୨, ମାଲକାନଗିରି -୧, ମାଲକାନଗିରି -୨ ପରି ଆସନରେ ବଙ୍ଗୀୟ ଭୋଟର ମାନଙ୍କ ଦବ ଦବା ରହିଛି । ଗତ ୨୦୧୭ ନିର୍ବାଚନରେ ବଙ୍ଗୀୟ ଭୋଟର ମାନେ ବିଜେପିକୁ ବିଜୟ ମୁକୁଟ ପିନ୍ଧାଇଥିଲେ । ତେବେ ଚଳିତ ବର୍ଷ ବଙ୍ଗୀୟ ଭୋଟର ମାନଙ୍କୁ ନିଜ ଆଡେ ଆକୃଷ୍ଟ କରିବା ପାଇଁ ବହୁ ଆଗରୁ କସରତ ଆରମ୍ଭ କରିଛି ବିଜେଡି । ବିଶେଷ କରି ବଙ୍ଗୀୟ ଭାଷୀଙ୍କ ବିଭିନ୍ନ ସମ୍ପ୍ରଦାୟକୁ ଭିନ୍ନ ଭିନ୍ନ ଉପାୟରେ ଦଳରେ ସାମିଲ କରୁଛି ବିଜେଡି । ବିଶେଷ କରି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ମନ୍ତ୍ରୀ ତୁଷାର କାନ୍ତି, ଚନ୍ଦ୍ର ସାରଥୀ ବେହେରା, କପା ନିଗମ ଅଧ୍ୟକ୍ଷ ଇଶ୍ୱର ପାଣିଗ୍ରାହୀ ବାରମ୍ବାର ବଙ୍ଗୀୟ ସମ୍ପ୍ରଦାୟ ସହ ବଡ ବଡ ବୈଠକ କରୁଥିବା ଦେଖିବାକୁ ମିଳିଛି । ନିକଟରେ ମତୁଆ ସମ୍ପ୍ରଦାୟର ପ୍ରାୟ ୧୫ ହଜାର ଭୋଟରଙ୍କୁ ନେଇ ପୋଟେରୁ ଠାରେ ଏକ ମିଶ୍ରଣ ପର୍ବ ଆୟୋଜନ କରି ବଙ୍ଗୀୟ ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି ବିଜେଡି । ତେବେ ମତୁଆ ସମ୍ପ୍ରଦାୟକୁ ଏଭଳି ଗୁରୁତ୍ୱ ଦେବା ଅନ୍ୟ ବଙ୍ଗୀୟ ସମ୍ପ୍ରଦାୟକୁ କ୍ଷୁବ୍ଧ କରିଛି । ତେଣୁ ସବୁ ସମ୍ପ୍ରଦାୟକୁ ଏକାଠି କରି ଭୋଟ ହାତେଇବା ଦଳ ପାଇଁ ଏକ ବଡ ଚ୍ୟାଲେଞ୍ଜ ।

ସ୍ୱାଭିମାନ ଅଞ୍ଚଳ ଉପରେ ନଜର..

ଗତ ୨୦୧୭ ନିର୍ବାଚନରେ ସ୍ୱାଭିମାନ ଅଞ୍ଚଳରେ ଆଦୌ ଭୋଟ ଗ୍ରହଣ ହୋଇ ପାରି ନ ଥିଲା । ନିର୍ବାଚନ କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖା ଯାଇ ଥିବା ବେଳେ ବିଜେପି ସ୍ପଷ୍ଟ ବହୁମତରେ ପରିଷଦ ଗଠନ କରି ସାରି ଥିବାରୁ ଆଉ ନିର୍ବାଚନ ଲାଗି ଆଗ୍ରହ ଦେଖାଇ ନ ଥିଲେ ଶାସକ କିମ୍ବା ଅନ୍ୟ ଦଳ । ତେବେ ଏଥର ସ୍ୱାଭିମାନ ଅଂଚଳର ଚିତ୍ର ବଦଳିଛି । ଗତ ଜୁଲାଇ ୨୦୧୮ ରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଂଚଳରେ ବିକାଶର ସୁଅ ଛୁଟିଛି । ପ୍ରତି ଗାଁ କୁ ରାସ୍ତା ସମେତ ଭିନ୍ନ ଭିନ୍ନ ଯୋଜନାରେ ଅନେକ ବିକାଶମୂଳକ କାମ ହୋଇଛି । ସୁରକ୍ଷା ଦୃଷ୍ଟି କୋଣରୁ ଅନେକ ବିଏସଏଫ କ୍ୟାମ୍ପ ନିର୍ମାଣ ହୋଇଛି । ମାଓବାଦୀ ମାନେ ସେଠାରେ ଏବେ ବ୍ୟାକ ଫୁଟରେ ରହି ଥିବାରୁ ନିର୍ବାଚନ ହେବା ନେଇ କୌଣସି ଆଶଙ୍କା ନାହିଁ । ତେବେ ସରକାରଙ୍କ ବିକାଶମୂଳକ କାମକୁ ଦେଖି ସ୍ୱାଭିମାନ ଅଞ୍ଚଳବାସୀ କଣ ନିଷ୍ପତି ନେବା ତାହା ଫଳାଫଳ ରୁ ସ୍ପଷ୍ଟ ହବ । ଆଉ ଏହି ୨ଟି ଆସନ ରେ ଶାସକ ଦଳ ଭଲ ପ୍ରଦର୍ଶନ କରିବ ବୋଲି ମତ ପ୍ରକାଶ ପାଉଛି ।

କେଉଁ ନେତାଙ୍କ ହାତରେ ରେ ପ୍ରଚାରର ଡୋରି..

ନିକଟରେ କଂଗ୍ରେସର ଟାଣୁଆ ନେତା ପ୍ରଦୀପ ମାଝୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଏବଂ ତାଙ୍କର ମାଲକାନଗିରି ଜିଲ୍ଲାରେ ବେଶ ଦଖଲ ମଧ୍ୟ ରହିଛି । ତେଣୁ ଦଳ ପ୍ରଦୀପ ମାଝୀଙ୍କ ଏକ ପ୍ରମୁଖ ଚେହେରା ଭାବେ ବ୍ୟବହାର କରିବ । ଏଥିସହ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ଚନ୍ଦ୍ର ସାରଥୀ ବେହେରା ଓ ଇଶ୍ୱର ପାଣିଗ୍ରାହୀ ପ୍ରମୁଖଙ୍କ ଉପରେ ରହିଛି ମାଲକାନଗିରି ଜିଲ୍ଲାର ଡୋରି । ପୂର୍ବତନ ବିଧାୟକ ମାନସ ମାଡକାମିଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଜେଡି ଜୋନ ଅନୁଯାଇ ଛୋଟ ଛୋଟ କମିଟି ଗଠନ କରି ପ୍ରଚାର ଦାୟିତ୍ୱ ନ୍ୟସ୍ତ କରିଛି । ଏଥିସହ ସରପଞ୍ଚ  ଠାରୁ ଆରମ୍ଭ କରି ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା ମଧ୍ୟ ଜୋନ କମିଟିର ସୁପାରିଶ କ୍ରମେ ପ୍ରଦାନ କରାଯିବ ବୋଲି ଜଣା ପଡୁଛି । ତେବେ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଚାର ଅଭିଯାନକୁ ସେଭଳି ଜୋରଦାର କରାଯାଇନାହିଁ । ଯାହା ପଞ୍ଚାୟତ ନିର୍ବାଚନରେ ଉଭୟ ଦଳକୁ ମାଲକାନଗିରିରେ ବ୍ୟାକଫୁଟରେ ରଖିଛି ।  ତେବେ ନାମାଙ୍କନପତ୍ର ଦାଖଲ ପରଠାରୁ ପ୍ରଚାରକୁ ଜୋରଦାର କରିବାକୁ ଉଭୟ ଦଳ ପ୍ରସ୍ତୁତ ହେଉଥିବା ବେଳେ ବିଜେଡି କିନ୍ତୁ ଏହି ରେସରେ ଦୁଇ ପାଦ ଆଗରେ ରହିଛି । କାରଣ ପୁଣିଥରେ ଗେରୁଆ ଗଡକୁ ଭାଙ୍ଗି ସବୁଜ ପତାକା ଉଡାଇବା ଲକ୍ଷ୍ୟରେ ରହିଛି ଦଳ । ତେବେ ଏସବୁ ଭିତରେ ଭୋଟରଙ୍କୁ କିଏ  ପ୍ରଭାବିତ କରିବ, ଏବଂ ବିଜୟ ବାନା ଏଥର କିଏ ଧରିବ, ତାହା ସମୟ କହିବ ।