ଖୋର୍ଦ୍ଧାରେ ପଞ୍ଚାୟତ ଫାଇଟ : ସିଟ୍ ନ ବଢିଲେ କମିବ ସାଂସଦଙ୍କ ପତିଆରା, ମାଳମାଳ ଆଶାୟୀ ବିଜେଡିକୁ ଅଡୁଆ, ସୁରଙ୍କ ନେତୃତ୍ୱରେ କମବ୍ୟାକ କରିବ କି କଂଗ୍ରେସ? 

579

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନର ଉଷ୍ମତା କେବଳ ଗାଁ ଗହଳିରେ ସୀମିତ ନାହିଁ ବରଂ ଏହି ଲଢେଇ ରାଜଧାନୀକୁ ମଧ୍ୟ ବ୍ୟାପିଛି । ରାଜଧାନୀରେ ସବୁ ନେତାଙ୍କ ଘରେ ଏବେ ଆଶାୟୀଙ୍କ ଭିଡ଼ ଲାଗି ରହୁଛି । ଟିକେଟ ଆଶାରେ ଆଶାୟୀ ପ୍ରାର୍ଥୀ ଏବେ ରାଜଧାନୀମୁହାଁ । କିନ୍ତୁ ଏହା ଭିତରେ ରାଜଧାନୀର ଉପକଣ୍ଠରେ ପଞ୍ଚାୟତ ନିର୍ବାଚନର ପାରା ଏବେ ଉପରକୁ ଚଢିଲାଣି । ରାଜଧାନୀର ଅତି ପାଖରେ ପଞ୍ଚାୟତ ଲଢେଇ ହେଉଥିବାରୁ ଏବେ ଏହା ଉପରେ ସମସ୍ତଙ୍କର ନଜର ରହିଛି । ଖାସକରି ଦଳୀୟ ଚିହ୍ନରେ ଲଢାଯାଉଥିବା ଜିଲ୍ଲା ପରିଷଦ ଆସନ କିଏ କେତୋଟି ହାତେଇବ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । ଗୋଟିଏ ପଟେ ବିଜେଡି ନେତାଙ୍କ ପାଇଁ ଏହି ପଞ୍ଚାୟତ ନିର୍ବାଚନ ଆସନ୍ତା ବିଧାନସଭା ଟିକେଟର ରାସ୍ତା ବୋଲି କୁହାଯାଉଥିବା ବେଳେ ବିଜେପି ପାଇଁ ଖାସକରି ସାଂସଦ ଅପରାଜିତାଙ୍କ ପାଇଁ ପତିଆରା ବଜାୟ ରଖିବାର ଲଢେଇ ବୋଲି କୁହାଯାଉଛି । ସେହିଭଳି ଉଭୟଙ୍କ ଲଢେଇ ଭିତରେ କଂଗ୍ରେସ କମବ୍ୟାକ୍ କରିବାକୁ ସୁଯୋଗ ଖୋଜୁଥିବା ଚର୍ଚ୍ଚା ହେଉଛି ।

ଖୋର୍ଦ୍ଧା ଜିଲ୍ଲାରେ ମୋଟ ୩୦ଟି ଜିଲ୍ଲା ପରିଷଦ ଆସନ ରହିଥିବା ବେଳେ ୧୯୦ ସରପଞ୍ଚ . ସମିତି ସଭ୍ୟ ଓ ୨୭୧୨ ୱାର୍ଡମେମ୍ବରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୨ ଲକ୍ଷ ୬୦ ହଜାର ୮୨ ଜଣ ଭୋଟର । ଏହାସହ ୩ ଦଳର ହେଭିୱେଟ ନେତାଙ୍କ ଭାଗ୍ୟ ମଧ୍ୟ ଏବେ ଭୋଟରଙ୍କ ହାତରେ ରହିଛି । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ୨୦ଟି ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିଥିବା ବେଳେ ବିଜେପି ଖାତାକୁ ଯାଇଥିଲା ୧୦ ଆସନ । ସେହିଭଳି ସବୁଠୁ ପୁରୁଣା ଦଳ ଥିବା କଂଗ୍ରେସ ଏଠାରେ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲା । କିନ୍ତୁ ୨୦୨୨ ପଞ୍ଚାୟତ ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଲାରେ ରାଜନୈତିକ ସ୍ଥିତି ସମ୍ପୂର୍ଣ୍ଣ ବଦଳିଛି । ଖୋର୍ଦ୍ଧା ଉପଖଣ୍ଡରେ ଥିବା ୪ଟି ବିଧାନସଭା କ୍ଷେତ୍ରରୁ କେବଳ ଜଟଣୀକୁ ଛାଡିଦେଲେ ଅନ୍ୟ ଆସନରେ ବିଜେଡି ଗତ ୨୦୧୯ ସାଧାରଣ ନିର୍ବାଚନରେ ସବୁଜ ବାନା ଉଡାଇଛି । ସେହିଭଳି ଜଟଣୀରେ କଂଗ୍ରେସ ହାତ ଟେକିଥିବା ବେଳେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ସାଂସଦ ଭାବେ ବାଜି ମାରିଛନ୍ତି ଅପରାଜିତା ଷଡଙ୍ଗୀ । ତେଣୁ ଏଥର ଲଢେଇ ବେଶ ରୋଚକ ହେବ ବୋଲି କୁହାଯାଉଛି ।

ବିଜେଡି ପକ୍ଷରୁ ନିର୍ବାଚନମଣ୍ଡଳୀ ୱାରୀ ନେତା ଓ ବିଧାୟକ ଏଥର ପଞ୍ଚାୟତ ନିର୍ବାଚନର ମଙ୍ଗ ଧରିଥିବା ବେଳେ ସୁରଙ୍କ ନେତୃତ୍ୱରେ କଂଗ୍ରେସ ପ୍ରାର୍ଥୀ ମୈଦାନକୁ ଓହ୍ଲାଇବେ । ଅନ୍ୟପଟେ ସାଂସଦ ଅପରାଜିତାଙ୍କ ଉପରେ ନ୍ୟସ୍ତ ରହିଛି ବିଜେପିର ଆସନକୁ ବୃଦ୍ଧି କରିବାର ଗୁରୁଦାୟିତ୍ୱ । କିନ୍ତୁ ସାମ୍ପ୍ରତିକ ରାଜନୀତିରେ ବିଜେଡି ପଞ୍ଚାୟତ ରେସରେ ଯଥେଷ୍ଟ ଆଗରେ ରହିଛି । ଆଉ ବିଜେଡିର ବ୍ଲୁ-ପ୍ରିଣ୍ଟ କିଛି ଏଭଳି ରହିଛି ।

୨୦୧୭ ନିର୍ବାଚନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ୭ଟି ଜିଲାପରିଷଦ ଆସନରୁ ବିଜେପି ଖାତାକୁ ଗୋଟିଏ ଆସନ ଯାଇଥିବା ବେଳେ ଅନ୍ୟ ସମସ୍ତ ଆସନ ଶାସକ ଦଳ ହାତେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିର ବିଜୟୀ ପ୍ରାର୍ଥୀ ବିଜେଡି କ୍ୟାମ୍ପକୁ ଡେଇଁଛନ୍ତିି । ସେହିଭଳି କଂଗ୍ରେସର ଛାମୁଆ ସଂଗଠକ ବିପିନ ଜୟସିଂ,ପ୍ରମୋଦ ତ୍ରିପାଠୀ,ରାମ ମହାପାତ୍ର ପ୍ରମୁଖ ବିଜେଡିରେ ଯୋଗଦେଇଛନ୍ତି ଯାହା ଚଳିତ ନିର୍ବାଚନରେ ବିଜେଡିର ଶକ୍ତି ବୃଦ୍ଧି କରିଛି । ସେହିଭଳି ବିଜେପି ମଧ୍ୟ ଗତ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାୟ ୭୫ହଜାର ଭୋଟ ପାଇଥିଲା ଯାହା ଚଳିତ ପଂଚାୟତ ନିର୍ବାଚନରେ ପ୍ରତିଫଳିତ ହେବାର ଆଶା ରଖିଛି ।  କିନ୍ତୁ ବିଜେଡିର ଯେଉଁ ଷ୍ଟ୍ରାଟେଜି ରହିଛି ତାହା ତୃଣମୂଳସ୍ତରରେ ବିଜେପିକୁ ଅଟକାଇବାକୁ ସକ୍ଷମ ହେବ ବୋଲି ଦଳୀୟ ନେତା କହିଛନ୍ତି ।

ଅନ୍ୟପଟେ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଗତ ପଂଚାୟତ ନିର୍ବାଚନରେ ୬ଟି ଜିଲାପରିଷଦ ଆସନରୁ ବିଜେଡି ଓ ବିଜେପି ଉଭୟ ୩ଟି ଲେଖାଏଁ ଆସନ ପାଇଥିବା ବେଳେ ଚଳିତ ଥର ଉଭୟ ଦଳ ସମସ୍ତ ଆସନକୁ ନିଜ ସପକ୍ଷରେ ନେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଚଳିତ ଥର ବିଜେଡିର ପ୍ରତିଦ୍ୱନ୍ଦ୍ୱୀ ସାଜିଥିବା ପ୍ରଦୀପ ସାହୁ ଚଳିତ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗଦେଇ ଦଳର ଶକ୍ତି ବୃଦ୍ଧି କରିଛନ୍ତି । କିନ୍ତୁ ବିଜେଡିର ଗୋଷ୍ଠୀକନ୍ଦଳକୁ ଭରସିଛି ବିଜେପି । ବିଜେଡିର ଅସନ୍ତୁଷ୍ଟ ନେତାଙ୍କୁ ନିଜ କ୍ୟାମ୍ପକୁ ନେଇ ପଦ୍ମ ପୋଖରୀ ଭର୍ତ୍ତି କରିବା ଲକ୍ଷ୍ୟରେ ରହିଛି ଅପରାଜିତାଙ୍କ ଶିବିର । ଅନ୍ୟପଟେ କଂଗ୍ରେସର ଦୁର୍ଗ କୁହାଯାଉଥିବା ବେଗୁନିଆ ବୋଲଗଡ଼ ଅଂଚଳ ନେତୃତ୍ୱ ଶୂନ୍ୟ ହୋଇପଡିଛି। ତଳସ୍ତରରେ ବହୁ କର୍ମୀ କଂଗ୍ରେସର ଥିବା ବେଳେ ଦୀର୍ଘ ଦିନ ଧରି ଏମାନଙ୍କ ନେତୃତ୍ୱ ନେଉଥିବା ନେତା ଦଳ ପରିବର୍ତ୍ତନ କରିଥିବା ବେଳେ ,କର୍ମୀଙ୍କ ଗତି କୁଆଡେ ତାହା ଚଳିତ ନିର୍ବାଚନ ହିଁ ସ୍ପଷ୍ଟ କରିବ।  ପୁଣି ଏହି ନିର୍ବାଚନ ହିଁ ସ୍ପଷ୍ଟ କରିବ କାହାର ପଲ୍ଲା ଭାରି ବିଧାୟକ ରାଜେନ୍ଦ୍ର ସାହୁ, କି କଂଗ୍ରେସ ରୁ ଆସି ବିଜେଡିରେ ଯୋଗ ଦେଇଥିବା ପ୍ରଦୀପ ସାହୁଙ୍କର । ଯାହାକି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।

ବିଜେପିର ଗଡ଼ ବୋଲାଉଥିବା ଚିଲିକା ନିର୍ବାଚନ ମଣ୍ଡଳୀ ବିଧାନସଭା ନିର୍ବାଚନ ପରଠାରୁ ବିଜେଡି କବଜାକୁ ଆସିଛି । ଏଠାରେ ୨୦୧୭ରେ ୬ଟି ଜିଲାପରିଷଦ ଆସନରୁ ବିଜେଡି ଗୋଟିଏରେ ସୀମିତ ରହିଥିବା ବେଳେ ବିଜେପି ହାତରେ। କିନ୍ତୁ ୨୦୧୯ ନିର୍ବାଚନରେ ବିଜେପିର ଏହି ଗେରୁଆ ଗଡ ଭିତରକୁ ଧସେଇ ପଶିଛି ବିଜେଡି । ଆଉ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେପିର ଏହି ଗଡକୁ ଭାଙ୍ଗିବାକୁ ପୂର୍ବତନ ବିଧାୟକ ରଘୁନାଥ ସାହୁ ଓ  ଏବେ ବିଧାୟକ ଥିବା ପ୍ରଶାନ୍ତ ଜଗଦେବ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଠାରେ ବିଜେଡିରେ ଗୋଷ୍ଠୀ କନ୍ଦଳ ରହିଛି ସତ କିନ୍ତୁ ଏହାକୁ ପ୍ରଶମିତ କରିବାକୁ ମଧ୍ୟ ଶାସକ ଦଳ ପକ୍ଷରୁ ରୀତିମତ ଉଦ୍ୟମ ଜାରି ରହିଛି । ଅନ୍ୟପଟେ ବିଜେପି ନିଜର ଏହି ଗଡକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରୁ ଉଦ୍ୟମ ଆରମ୍ଭ କରିଛି । ଏଥର ସମସ୍ତ ୬ରୁ ୬ ଜିଲ୍ଲା ପରିଷଦ ଆସନ ହାତେଇ ବିଜେଡିକୁ ଝଟକା ଦେବାକୁ ନୀଳନକ୍ସା ପ୍ରସ୍ତୁତ କରୁଛନ୍ତି ବିଜେପିର ସ୍ଥାନୀୟ ନେତୃତ୍ୱ ତଥା ପୂର୍ବତନ ବିଧାୟକ ବିଭୂତି ଭୁଷଣ ହରିଚନ୍ଦନ ଏବଂ ଦଳର ହେଭିୱେଟ ନେତାର ଟ୍ୟାଗ ପାଇଥିବା ପୃଥ୍ୱୀରାଜ ହରିଚନ୍ଦନ ।

ସେହିଭଳି ବିଜେଡି ଏବଂ କଂଗ୍ରେସର ଜିଲା ସଭାପତିଙ୍କ ଗଡ଼ ଜଟଣୀ ନିର୍ବାଚନ ମଣ୍ଡଳୀରେ କଡା ଟକ୍କର ଦେଖିବାକୁ ମିଳିପାରେ। ଯଦିଓ ପୂର୍ବ ନିର୍ବାଚନରେ ବିଜେଡି ସମସ୍ତ ଜିଲାପରିଷଦ ଆସନକୁ ଦଖଲକୁ ନେଇଥିଲା କିନ୍ତୁ ସାଧାରଣ ନିର୍ବାଚନରେ ତାହା ଓଲଟା ଫଳ ଦେଇଥିଲା ଶାସକ ବିଜେଡିକୁ । ତେଣୁ ଏଠାରେ ଉଭୟ ନେତା ନିଜ ନିଜ ସମ୍ମାନ ବଞ୍ଚେଇବା ପାଇଁ ଲଢେଇକୁ ଜୋରଦାର କରୁଥିବା ଦେଖିବାକୁ ମିଳୁଛି । ତେଣୁ ଏଠାରେ ବିଜେଡି-କଂଗ୍ରେସ ଫାଇଟ ମଧ୍ୟରେ ବିଜେପି ଅସନ୍ତୁଷ୍ଟଙ୍କୁ ସାଥୀ କରି ପଦ୍ମ ଫୁଟାଇବା ଲକ୍ଷ୍ୟରେ ରହିଛି ।

ଜୟଦେବ ନିର୍ବାଚନ ମଣ୍ଡଳୀରେ ୨ଟି ବ୍ଲକ ବାଲିଅନ୍ତା ଓ ବାଲିପାଟଣାାରେ ୬ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ୫ଟି ଓ ବିଜେପି ଗୋଟିଏ ଆସନ ଦଖଲ କରିଥିଲା । କିନ୍ତୁ ୨୦୧୭ରେ ବିଜେଡିକୁ କଡା ଟକ୍କର ଦେଉଥିବା କମଳ ପାତ୍ର ପ୍ରତିଦ୍ୱନ୍ଦ୍ୱୀ ଶିବିରକୁ ପର କରି ବିଜେଡିର ସହଯୋଗୀ ପାଲଟିବା ସହ ସବୁଜ କ୍ୟାମ୍ପକୁ ଶକ୍ତିଶାଳୀ କରିଛନ୍ତି । ତେବେ ଏଠାରେ ମଧ୍ୟ ମାଳମାଳ ଆଶାୟୀ ବିଜେଡି କ୍ୟାମ୍ପର ଚିନ୍ତା ବଢାଇଥିବା ବେଳେ ବିଜେପି ପାଇଁ ଭୋଟବ୍ୟାଙ୍କ ସାଜିଛି ଅପରାଜିତାଙ୍କ ଲୋକପ୍ର୍ରିୟତା । ଖାସକରି ଯୁବ  ଭୋଟର ବିଜେପି ପ୍ରତି ଆକର୍ଷିତ ଥିବାରୁ ବିଜେଡିର ଚିନ୍ତା ବଢିଛି ।

ବିଜେଡି କିଛି ଏମିତି ରଣନୀତି କରି ପଞ୍ଚାୟତ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଜେପି ସାଂସଦ ଅପରାଜିତାଙ୍କ ଲୋକପ୍ରିୟତାକୁ ପୁଞ୍ଜି କରି ପଞ୍ଚାୟତ ଫାଇଟକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛି ।  ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅଜିତା ଓ ୟୁଥ୍ ଫର୍ ଆକ୍ସନ ନାଁରେ ଦୁଇଟି ସଙ୍ଗଠନ ସହ ଯୋଡି ହୋଇ ଯୁବ ଓ ମହିଳାଙ୍କ ଭୋଟ ଉପରେ ଆଖି ପକାଇଛି ଅପରାଜିତାଙ୍କ କ୍ୟାମ୍ପ । ଆଉ ଏହି ଦୁଇଟି ସଙ୍ଗଠନ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଅପରାଜିତାଙ୍କ ଭୋଟବ୍ୟାଙ୍କକୁ ବଢାଉଥିବା ଚର୍ଚ୍ଚା ହେଉଛି । କିନ୍ତୁ ସବୁଠୁ ବଡ କଥା ହେଉଛି ୨୦୧୭ରେ ଅପରାଜିତାଙ୍କ ବିନା ବିଜେପି ୧୦ ଆସନରେ ବାଜି ମାରିଥିଲା । ଆଉ ୨୦୨୨ରେ ଏହି ସଂଖ୍ୟାକୁ ବଢାଇବା ଅପରାଜିତାଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ । କାରଣ ଦଳୀୟ ଫୋରମରୁ ବାହାରି ଆଗକୁ ବଢୁଥିବା ଅପରାଜିତାଙ୍କୁ ପଞ୍ଚାୟତସ୍ତରରେ ମଧ୍ୟ ଅନେକ ପୁରୁଣା କର୍ମୀ ପାଖ ପୁରାଉନଥିବା ଦଳୀୟ ଅନ୍ଦରମହଲରେ ଚର୍ଚ୍ଚା ହେଉଛି । ତେଣୁ ପୂର୍ବଥର ଭଳି ୧୦ ଜିଲ୍ଲା ପରିଷଦ ଆସନ ହାତେଇବା ଅପରାଜିତାଙ୍କ କ୍ୟାମ୍ପ ପାଇଁ ସହଜ ହେବନି । କିନ୍ତୁ ପଞ୍ଚାୟତ ନିର୍ବାଚନରେ ଦଳର ସିଟ୍ ସଂଖ୍ୟା ନ ବଢିଲେ ପତିଆରା ଲଢେଇରେ ପଛରେ ପଡିଯିବେ ଅପରାଜିତା । ତେଣୁ ଚଳିତ ପଞ୍ଚାୟତ ନିର୍ବାଚନକୁ ହେଭିୱେଟଙ୍କ ପତିଆରା ଲଢେଇ ବୋଲି କୁହାଯାଉଛି ।