ଏକପାଖିଆ ହେବ କି ଯାଜପୁରରେ ନିର୍ବାଚନ? କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ବିଜେଡି, ନେତାଙ୍କ ଭରସାରେ ବିଜେପି, ପ୍ରାର୍ଥୀ ଖୋଜୁଛି ପୁରୁଣା ଦଳ!

377

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ଏବେ ତୃଣମୂଳସ୍ତରରେ ଉଷ୍ମ ହେଉଛି ରାଜନୀତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହିଁ ଦଳର ପରାକାଷ୍ଠା ଦେଖାଇବାର ମୁଖ୍ୟ ମାଧ୍ୟମ । ତେଣୁ ପଞ୍ଚାୟ୍ତ ନିର୍ବାଚନର ଫଳାଫଳ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ଥିବାରୁ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ହାତେଇବାକୁ ସବୁ ଦଳ ଆଶା ରଖିଛନ୍ତି । ଆଉ ଏସବୁ ଭିତରେ ଯାଜପୁର ରାଜନୀତି ବେଶ ରୋଚକ ସ୍ଥିତିରେ ପହଞ୍ଚିଛି । ୨୦୧୭ ତୁଳନାରେ ୨୦୨୨ ନିର୍ବାଚନରେ ଯାଜପୁରର ରାଜନୈତିକ ଚିତ୍ରପଟ୍ଟ ସମ୍ପୂର୍ଣ୍ଣ ବଦଳି ଯାଇଛି । ପଞ୍ଚାୟତ ସମିତି ସହ ଦଳୀୟ ଚିହ୍ନରେ ଲଢାଯାଉଥିବା ଜିଲ୍ଲା ପରିଷଦ ଆସନ କିଏ ହାତେଇବ ତାହାକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହୋଇଛି ।

ଯାଜପୁର ଜିଲ୍ଲାରେ ଚଳିତ ବର୍ଷ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୩୯ଟି ଜିଲ୍ଲା ପରିଷଦ ଜୋନକୁ ନେଇ ଗଠିତ ଯାଜପୁର ଜିଲ୍ଲା ପରିଷଦ ଗତ ୨ଟି ନିର୍ବାଚନରେ ବିଜେଡି ଅକ୍ତିଆରରେ ରହିଛି । ୨୦୧୨ରେ ଯାଜପୁର ଜିଲ୍ଲାରେ ସମସ୍ତ ୩୯ଟି ଜିଲ୍ଲା ପରିଷଦ ଆସନକୁ ବିଜେଡି ପୋଛି ନେଇଥିବା ବେଳେ ୨୦୧୭ରେ ବିଜେପି ସାମାନ୍ୟ ମୁଣ୍ଡ ଟେକି ଥିଲା । ୩୯ଟି ଜୋନରୁ ମାତ୍ର ୬ଟି ଜୋନରେ ବିଜେପି ନିଜର ପତିଆରା ଜାହାରି କରିପାରିଥିଲା । ଜିଲ୍ଲାରେ ୩ ନମ୍ବର ସ୍ଥାନରେ ଥିବା କଂଗ୍ରେସ ଗୋଟିଏ ବି ଖାତା ଖୋଲି ପାରିନଥିଲା । ତେବେ ୨୦୧୭ରେ ବରୀ, ବିଞ୍ଝାରପୁର ଓ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ୨ଟି ଲେଖାଏଁ ଜିଲ୍ଲା ପରିଷଦ ଜୋନ୍ ଜିତି ଯାଜପୁରରେ ପଦ୍ମ କଅଁଳିବା ଆରମ୍ଭ କରିଥିଲା । ଆଉ ଏହାର ପ୍ରଭାବ ୨୦୧୯ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା ।

ଜିଲ୍ଲାରେ ଗତ ବିଧାନସଭା ନିର୍ବାଚନରେ ବଡଚଣା,ସୁକିନ୍ଦା,ବରୀ ନିର୍ବାଚନ ମଣ୍ଡଳୀରେ ବିଜେପି ଭଲ ସ୍ଥିତିରେ ରହିଥିଲା । କିନ୍ତୁ ସମୟ ଗଡିବା ସହ ବରୀ ରାଜନୈତିକ ସମୀକରଣ ଗୋଳିଆ ହୋଇଛି । ବିଜେପିର ଟାଣୁଆ ନେତା ବିଶ୍ୱ ରଂଜନ ମଲ୍ଲିକ ନିକଟରେ ନିଜର ଦଳବଳ ନେଇ ବିଜେଡିରେ ସାମିଲ ହୋଇଛନ୍ତି । ଯାହା ବରୀରେ ବିଜେପିକୁ ବ୍ୟାକଫୁଟକୁ ଠେଲି ଦେଇଛି । କାରଣ ୨୦୧୭ ପଞ୍ଚାୟତ ନିର୍ବାଚନରେ ବରୀରେ ବିଶ୍ୱରଞ୍ଜନ ବିଜେଡିକୁ ଟକ୍କର ଦେବା ସହ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇଥିଲେ । ତେଣୁ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ତାଙ୍କୁ ଦଳରେ ସାମିଲ କରି ବରୀରେ ନିଜକୁ ଶକ୍ତିଶାଳୀ କରିଥିଲା । କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡି ବିଶ୍ୱରଞ୍ଜନଙ୍କ ସମର୍ଥିତ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କୁ ଦଳରେ ସାମିଲ କରି ତାଙ୍କ ବିରୋଧରେ ହିଁ ପ୍ରାର୍ଥୀ କରିଥିଲା । ଆଉ ବିଜେଡି ରଚିଥିବା ବ୍ୟୁହରେ ଫଶିଥିଲେ ବିଶ୍ୱରଞ୍ଜନ । ତେବେ ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ ଏବେ ବିଜେଡି କ୍ୟାମ୍ପରେ ଏଣ୍ଟ୍ରି ମାରିଛନ୍ତି ବିଶ୍ୱରଞ୍ଜନ । ଯାହା ବରୀ ରାଜନୀତିକୁ ସମ୍ପୂର୍ଣ୍ଣ ଓଲଟପାଲଟ କରି ଦେଇଛି ।

ସାଧାରଣ ନିର୍ବାଚନ ପରେ ପରେ ଯାଜପୁରରେ ବିଜେଡି ନିଜର ଷ୍ଟ୍ରାଟେଜିରେ ବଡ ପରିବର୍ତ୍ତନ କରିଥିଲା । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜେ ଗୋଟିଚାଳନା କରିବା ସହ ଯାଜପୁରକୁ ବିରୋଧୀ ଶୂନ୍ୟ କରିବାକୁ ଉଦ୍ୟମ ଜାରି ରଖିଥିଲେ । ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରି କଳେବଳେ ବିଜେଡି ସମର୍ଥନକୁ ବଢ଼ାଇ ଚାଲିଥିଲେ ପ୍ରଣବ । ସବୁ ନିର୍ବାଚନ ମଣ୍ଡଳୀରେ ପ୍ରଣବ ନିଜର ଆଧିପତ୍ୟ ବିସ୍ତାର କରିଥିବା ବେଳେ ସବୁ ବିଧାୟକଙ୍କ ପ୍ରିୟ ହୋଇ ଜିଲ୍ଲାରେ ବିଜେଡି ଗାଡିର ବେଗ ବଢ଼ାଇଛନ୍ତି ।

ସାଧାରଣ ନିର୍ବାଚନ ପରେ ବିଜେଡିକୁ କେବଳ ଫାଇଦା ହୋଇଛି ତାହା ନୁହେଁ ବରଂ ବିଜେପିକୁ ବଡ ଝଟକା ମଧ୍ୟ ଲାଗିଛି । ବିଶ୍ୱରଞ୍ଜନଙ୍କ ଭଳି ପ୍ରଭାବଶାଳୀ ନେତା ବିଜେପି ଶିବିର ଶଙ୍ଖ ଫୁଙ୍କିଥିବା ବେଳେ ୨୦୧୭ରେ ବିଜେପି ଚିହ୍ନରେ ଜିତିଥିବା ୬ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୫ ଜଣ ବିଜେପି ଛାଡି ବିଜେଡି ଶିବିର ମୁହାଁ ହୋଇ ସାରିଛନ୍ତି । ଦଳରେ ନେତୃତ୍ୱର ଘୋର ଅଭାବ ହିଁ ବିଜେପିକୁ ଚଳିତ ପଞ୍ଚାୟତ ନିର୍ବାଚନରେ ବ୍ୟାକଫୁଟକୁ ଠେଲିବ ବୋଲି ଚର୍ଚ୍ଚା ହେଉଛି । କାରଣ ଜିଲ୍ଲାରେ ଦଳର ଶୀର୍ଷ ନେତୃତ୍ୱ କୁହାଯାଉଥିବା ଗୌତମ ରାୟ କେବଳ ନିଜ ନିର୍ବାଚନମଣ୍ଡଳୀ ମଧ୍ୟରେ ସୀମିତ ରହୁଥିବାରୁ ନେତା ଓ କର୍ମୀଙ୍କ ମଧ୍ୟରେ ତାଳମେଳ ରହୁନଥିବା କୁହାଯାଉଛି ।

ସେହିଭଳି ଜିଲ୍ଲାରେ କଂଗ୍ରେସ ନିଜର ଆଧିପତ୍ୟ ଜାହିର ପାଇଁ ସଂଘର୍ଷ ଜାରି ରଖିଥିବା ବେଳେ ସବୁ ବେଳେ ସବୁ ସମସ୍ୟାରେ ଆଗକୁ ଆସୁଥିଲେ ମଧ୍ୟ ତାହାକୁ ଭୋଟରେ ରୂପାନ୍ତରିତ କରିପାରିନାହାନ୍ତି । ଜିଲ୍ଲା ସଭାପତି ମନୋଜ ରାଉତ ସବୁ ବେଳେ ଦଳର ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଟାଣୁଆ ପ୍ରାର୍ଥୀ ଚୟନ ସମ୍ଭବ ହୋଇପାରୁନାହିଁ । ଉଭୟ ଜାତୀୟ ଓ ରାଜ୍ୟସ୍ତରରେ ଦଳର ଯାହା ସ୍ଥିତି ତାହା ଜିଲ୍ଲା ରାଜନୀତିରେ ମଧ୍ୟ ସ୍ପଷ୍ଟ ବାରି ହୋଇ ପଡୁଛି । ଗୋଟିଏ ପଟେ ଶାସକ ବିଜେଡିରେ ମାଳ ମାଳ ଆଶାୟୀ ରହିଥିବା ବେଳେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଖୋଜା ଅଭିଯାନ ଏଯାବତ ଜାରି ରହିଥିବା କୁହାଯାଉଛି । କଂଗ୍ରେସ ଦଳରେ ସେହିଭଳି ଟାଣୁଆ ତଥା ପ୍ରଭାବଶାଳୀ ନେତା ନଥିବାରୁ ଦଳୀୟ ଚିହ୍ନରେ ଲଢିବାକୁ କିଛି ସ୍ଥାନରେ ନେତା ପଛଘୁଞ୍ଚା ଦେଉଥିବା ଚର୍ଚ୍ଚା ହେଉଛି । ଏପରିକି ପ୍ରାର୍ଥୀ ପାଇଁ ଦଳକୁ ଗଣମାଧ୍ୟମରେ ବିଜ୍ଞାପନ ଦେବାକୁ ପଡିଛି । ଯାହା ଦର୍ଶାଉଛି ଯାଜପୁରରେ କେତେ ଅସହାୟ ଓ ଶକ୍ତିହୀନ ହୋଇପଡିଛି କଂଗ୍ରେସ ।

ସାମ୍ପ୍ରତିକ ସ୍ଥିତିରେ ଯାଜପୁରରେ ବିଜେଡି ପଞ୍ଚାୟତ ରେସରେ ଆଗରେ ରହିଛି । ଏହାସତ୍ତେ୍ୱ ମଧ୍ୟ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ଗୋଷ୍ଠୀ କନ୍ଦଳ । ଅନ୍ୟ ନିର୍ବାଚନମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ରହିଥିଲେ ମଧ୍ୟ ତାହା ପଞ୍ଚାୟତ ଫଳାଫଳକୁ ଏତେଟା ପ୍ରଭାବିତ କରିବ ବୋଲି ଆଶା ନାହିଁ । କିନ୍ତୁ ବରୀ ନିର୍ବାଚନମଣ୍ଡଳୀରେ ବିଧାୟିକା-ବିଶ୍ୱରଞ୍ଜନଙ୍କ ମଧ୍ୟରେ ଥିବା କନ୍ଦଳ ଏବେ ପୋଷ୍ଟରରୁ ଆରମ୍ଭ ହୋଇ ଗୋଷ୍ଠୀ ସଂଘର୍ଷରେ ପହଞ୍ଚିଲାଣି । ତେଣୁ ଦଳ ଏଠାରେ କାହା ନେତୃତ୍ୱରେ ନିର୍ବାଚନ ଲଢିବ, ପ୍ରାର୍ଥୀ ଚୟନରେ କାହାକୁ ଗୁରୁତ୍ୱ ଦିଆଯିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ବିଧାୟିକା-ବିଶ୍ୱରଞ୍ଜନଙ୍କ ଲଢେଇ ଏବେ ବରୀରେ ବିଜେଡିକୁ ଦୁଇଫାଳ କରିଛି ସତ କିନ୍ତୁ ଏଠାରେ ବିରୋଧୀ ସେତେଟା ସଙ୍ଗଠିତ ନଥିବାରୁ ଏହାର ଫାଇଦା ଅନ୍ୟ ଦଳ ଉଠାଇବ ଏହାର ସମ୍ଭାବନା କ୍ଷୀଣ । ତଥାପି ଏଠାରେ ଦଳର କ୍ରାଇସିସ ମ୍ୟାନେଜର ମୁଣ୍ଡ ଖେଳାଇ କିଛି ସମାଧାନର ବାଟ ବାହାର କରିବେ ବୋଲି ଆଶା ବାନ୍ଧି ବସିଛନ୍ତି କର୍ମୀ । ଆଉ ଯଦି ଏଭଳି ହୁଏ ତେବେ ୫୦-୫୦ ଫର୍ମୁଲାରେ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବେ ଉଭୟ ବିଧାୟିକା-ବିଶ୍ୱରଞ୍ଜନ ।

ବରୀ ବ୍ୟତୀତ ବଡଚଣାରେ ମଧ୍ୟ ଦଳ ସ୍ଥିତି ଟିକିଏ ଟଳମଳ ରହିଛି । ବଡଚଣାରେ ବରିଷ୍ଠ ରାଜନେତା ତଥା ବିଧାୟକ ଅମର ଶତପଥୀ ଯଦିଓ ଗତ ସାଧାରଣ ନିର୍ବାଚନରେ ବିଜୟ ପାଇଁ ସଂଘର୍ଷ କରିଥିଲେ ତଥାପି ବିଜେଡି ସେଠାରେ ଜିଲ୍ଲା ପରିଷଦ ପଦ ପାଇଁ ବଳ କଷିବାକୁ ପ୍ରସ୍ତୁତ ରହିଛି । ୨୦୧୨ ଓ ୨୦୧୭ ନିର୍ବାଚନରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅସଂରକ୍ଷିତ ରହିଥିବା ବେଳେ ୨୦୨୨ ପାଇଁ ଅନୁସୂଚିତ ଜାତି(ମହିଳା) ପାଇଁ ସଂରକ୍ଷିତ ହୋଇଛି । ଯାହାକୁ କି ଶାସକ ବିଜେଡି ହାତେଇପାରେ ବୋଲି ଜିଲ୍ଲା ରାଜନୈତିକ ସ୍ଥିତି ସଂକେତ ଦେଉଛି ।