ଆଜି ମାଲକାନଗିରିରେ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ : ଯୋଜନାକୁ ନେଇ ଜୋରଧରିଲା ରାଜନୀତି

ଏପଟେ ଆୟୁଷ୍ମାନ ଯୋଜନାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ 

130

କନକ ବ୍ୟୁରୋ : ନୂଆ ରୂପରେ ଆସିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ମାଲକାନଗିରିରେ ସ୍ମାର୍ଟ ହେଲ୍ଥ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଆଜିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ମାଲକାନଗିରିରୁ ସ୍ମାର୍ଟ ହେଲ୍ଥ କାର୍ଡ ବିତରଣ କରିବେ ରାଜ୍ୟ ସରକାର । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ବିରୋଧୀ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ରାଜ୍ୟରେ ପ୍ରଥମ ଜିଲ୍ଲା ଭାବେ ମାଲକାନଗିରିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଆଜି ସକାଳ ସାଢ଼େ ୧୧ଟାରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରି ଷ୍ଟାଡିୟମରେ ଶ୍ରୀ ପଟ୍ଟନାୟକ ପହଞ୍ଚିବେ। ସ୍ଥାନୀୟ ସଂସ୍କୃତି ଭବନ ଠାରେ ପ୍ରଥମ ପର୍ଯ୍ୟାୟରେ ୧୫୦ଜଣ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିବେ। ପ୍ରାୟ ଗୋଟିଏ ଘଣ୍ଟା ସେ ମାଲକାନଗିରି‌ରେ ରହିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ସବୁ ହିତାଧିକାରୀଙ୍କର ଗତକାଲି କୋଭିଡ୍‌ ଟେଷ୍ଟ କରାଯାଇଛି। ନେଗେଟିଭ୍ ରିପୋର୍ଟ ଆସିଥିବା ହିତାଧିକାରୀ ହିଁ କାର୍ଯ୍ୟକ୍ରମରେ ଭାଗ ନେବେ।

କାର୍ଡର ବୈଧତା ଏବଂ ଉପଯୋଗିତା ଉପରେ ସନ୍ଦେହ ପ୍ରକାଶ କରିଥିବା ବେଳେ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, କାହିଁକି ଅସହିଷ୍ଣୁ ହୋଇପଡୁଛନ୍ତି ବିରୋଧୀ ।ଏପଟେ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେଲେ ଓଡ଼ିଶାର ଗରିବ ଲୋକଙ୍କ ସମେତ ଗୁଜୁରାଟ, ପଶ୍ଚିମବଂଗ, କର୍ଣ୍ଣାଟକ, ଆନ୍ଧ୍ର ଭଳି ରାଜ୍ୟରେ କାମ କରୁଥିବା ଲୋକମାନେ ବିଶେଷ ଭାବେ ଉପକୃତ ହେବେ । ତେଣୁ ଓଡ଼ିଶା ଲୋକଙ୍କ ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିିଛନ୍ତି ।